ଆଜି ରାଜ୍ୟରେ ଜାରି ହେଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍‌ । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଛି । ଏହି ଯୋଜନାରେ ଜୁଲାଇ ୧ ତାରିଖ ସୁଦ୍ଧା ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ସାମିଲ ହୋଇପାରିବେ। ଗାଇଡଲାଇନ୍ ଅନୁସାରେ ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ବୟସର ମାପକାଠି ଭାବେ ଗ୍ରହଣ କରାଯିବ । ସେହିପରି ହିତାଧିକାରୀଙ୍କ ବୟସ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ । ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର କାର୍ଡ । ଯୋଜନାର ଲାଭ ପାଇବା ପାଇଁ ହେଲେ ହିତାଧିକାରୀ ଓଡ଼ିଶାର ହୋଇଥିବା ଆବଶ୍ୟକ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯୋଜ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଯେକୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଏହି ଯୋଜନାରେ ମହିଳାଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଆସନ୍ତା ୫ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ। ନିଜ ଇଚ୍ଛା‌ରେ ସେ ଏହି ଟଙ୍କା ଖର୍ଚ୍ଚ କରିପାରିବେ।

ସେହିପରି ଏହି ଗାଇଡଲାଇନ୍ ଅନୁସାରେ ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :

୧- ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୨ -ଆୟକର ଦେୟ ହିତାଧିକାରୀ ହୋଇଥିବେ।

୩- ଯେ କୌଣସି ସହରାଞ୍ଚଳ ଶ୍ୱାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)

୪-ଭାରତ ସରକାର କିମ୍ବା ରାଜ୍ୟ ସରକାର ରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) ।  କିମ୍ବା ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ ।

ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ଯମରେ ନିୟୋଜିତ ସମସ୍ତ / କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

କେମିତି କରିବେ ଆବେଦନ ?

ଫର୍ମ ପୂରଣ କରି ଅଫଲାଇନରେ କିମ୍ବା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବାକେନ୍ଦ୍ରଗୁଡିକରେ ମାଗଣାରେ ଫର୍ମ ମିଳିବ । ଫର୍ମ ପୂରଣ କରିବା ପରେ ଆବେଦନକାରୀଙ୍କୁ ମୋ ସେବାକେନ୍ଦ୍ର ଓ ସାଧାରଣ ସେବାକେନ୍ଦ୍ରରେ ଦାଖଲ କରିବାକୁ ପଡିବ । ଆବେଦନକାରୀଙ୍କ ଫର୍ମ ଓ ଆଧାରରେ କୌଣସି ଅସଙ୍ଗତି ଥିଲେ ଆଧାର କାର୍ଡ ସୂଚନାକୁ ଚୂଡ଼ାନ୍ତ ଧରାଯିବ । ଏହାକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ସହିତ ଯାଞ୍ଚ କରାଯିବ । ହିତାଧିକାରୀଙ୍କୁ e-KYC କରାଯିବ । ଫେସ୍ ଅଥେଣ୍ଟିକେସନ ମାଧ୍ୟମରେ ସୁଭଦ୍ରା ପୋର୍ଟାଲ କିମ୍ବା ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏହି e-KYC କରାଯିବ ।

ଆପଣଙ୍କ ମୋବାଇଲ ନମ୍ବର ଆଧାର ସହ ଲିଙ୍କ ହୋଇଥିବା ଦରକାର । ସେହିପରି ଆପଣଙ୍କ ବ୍ୟାଙ୍କ ଖାତା ଥିବା ଦରକାର । ଯଦି କୌଣସି ମହିଳାଙ୍କର ବ୍ୟାଙ୍କ ଖାତା ନଥିବ ତେବେ ତାଙ୍କୁ ବ୍ୟାଙ୍କ ଖାତା ଖୋଲିବାକୁ ପଡ଼ିବ ।

ସୂଚନା ମୁତାବକ; ଗତ ୨୩ ତାରିଖ ଦିନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି କରିଥିଲେ। ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *