ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏ ନେଇ ଆଜି ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି କମ୍ପାନୀକୁ ସରକାର ଜମି ଓ ବର୍ଜ୍ୟ ଯୋଗାଇବେ । କମ୍ପାନୀ ତାଙ୍କର ପ୍ଲାଣ୍ଟ୍‌ ତିଆରି କରିବ ।ଟ୍ୱିନ୍‌ ସିଟିରେ ପ୍ରାଥମିକ ସ୍ତରରେ ପ୍ଲାଣ୍ଟ୍‌ ହେବ । ପରେ ପରେ ମ୍ୟୁନିସିପାଲଟି କର୍ପୋରେସନରେ ଏହାକୁ କରାଯିବ । ଖୁବଶୀଘ୍ର ବିଭାଗୀୟ ବୈଠକ ବସିବ ଓ ତ୍ୱରିତ ଦିଗରେ କାର୍ଯ୍ୟ ଆଗକୁ ବଢିବ ।

ମନ୍ତ୍ରୀ କହିଛନ୍ତି ବାରଣାସୀ ହରିତ୍ କୋୟଲା ପରିଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ପ୍ଲାଣ୍ଟ୍ ଦୈନିକ ୧୦୦ ଟନ୍‌ ସବୁଜ ଅଙ୍ଗାର ସୃଷ୍ଟି କରିବା ସହ ପ୍ରାୟ ୩୦୦ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିପାରୁଛି । ଟାରେଫାକ୍ସନ୍ ପ୍ରକ୍ରିୟାରେ ସହରରୁ ନିର୍ଗତ ହେଉଥ‌ିବା ବର୍ଜ୍ୟବସ୍ତୁକୁ ଥର୍ମୋକେମିକାଲ୍ ଟ୍ରିଟମେଣ୍ଟ ଦ୍ଵାରା ଏଥୁରୁ ୨୫୦ ୫୦ ରୁ ୩୦୦ ଡିଗ୍ରୀ ତାପମାତ୍ରା ଉତ୍ପନ ହେବା ସହ ନିୟନ୍ତ୍ରିତ ଅମ୍ଳଜାନ ପରିବେଶରେ ସବୁଜ ଅଙ୍ଗାରରେ ପରିଣତ କରାଯାଉଛି । ପ୍ଲାଣ୍ଟର ଦୈନିକ ବର୍ଜ୍ୟ ଟ୍ରିଟମେଣ୍ଟ୍ କ୍ଷମତା ୪୦୦ ଟନ୍‌ ଥ‌ିବାବେଳେ ଏହା ୧୩ ଟନ୍ ମିଥେନ୍ ନିର୍ଗମକୁ କମ୍ କରିପାରୁଛି ।

ଓଡ଼ିଶାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବର୍ଜ୍ୟବସ୍ତୁକୁ ଉପଯୋଗ କରି ସବୁଜ ଇନ୍ଧନ ସୃଷ୍ଟି ହୋଇପାରିବ ଏବଂ ଏଥୂରୁ ଉତ୍ପନ ହେଉଥିବା ସବୁଜ ଅଙ୍ଗାର, ତାପଜ ବିଦ୍ୟୁତ୍ ପ୍ରକଳ୍ପରେ ବ୍ୟବହୃତ ହୋଇପାରିବ, ଯାହା ପାରମ୍ପରିକ କୋଇଲା ଉପରେ ନିର୍ଭରଶୀଳତା କମାଇ ପାରିବ । ଏହା ବାୟୁ ପ୍ରଦୂଷଣର ମାତ୍ରାକୁ କମ୍ କରିବା ସହ ଶକ୍ତି ସୁରକ୍ଷାକୁ ନିଶ୍ଚିତ କରିପାରିବ ।

Leave a Reply

Your email address will not be published. Required fields are marked *