ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି ସହିତ ଜଡିତ ବୋଲି ବିଜୁ ଜନତା ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ ଓ ଦଳର ମୁଖପାତ୍ର ତୁମ୍ୱନାଥ ପଣ୍ଡା, ଏହି ଘଟଣାରେ ରାଜ୍ୟ ସରକାରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ ଦୋହରାଇ ଥିଲେ । ବିଜେଡି କହିଛି ପେପର ଲିକ୍ ଘଟଣାରେ କିଏ ସମ୍ପୃକ୍ତ? ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଓ ତାଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅଧିକାଂଶ ବିଜେପି ନେତାଙ୍କ ସହିତ ଫଟୋ ରହିଛି । ଇପ୍ସିତା ସାହୁ କହିଛନ୍ତି ଗତ ୧୫ ମାସରେ ୧୬ଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁଁ ନିଯୁକ୍ତି ଆଶାୟୀ ମାନେ ହତାଶ ହୋଇଛନ୍ତି । ପୋଲିସ ଏସ୍ଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଏହାକୁ ଅକ୍ଟୋବର ୭ ଓ ୮ ତାରିଖରେ କରିବା ପାଇଁ ସ୍ଥିର କରାଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ୱର ଦିନ ଆଉଥରେ ବାତିଲ କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଶ୍ରୀକାକୁଲମ ପୋଲିସ୍ ଦ୍ୱାରା ଗିରଫ କରାଯିବା ପରେ ବ୍ରହ୍ମପୁର ପୋଲିସ୍କୁ ହସ୍ତାନ୍ତର ହୋଇଛି । ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଇପ୍ସିତା ସାହୁ ଆଉ ମଧ୍ୟ କହିଛନ୍ତି, ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚ ପଦବୀଧାରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଗତକାଲି ଆମ ଦଳ ତରଫରୁ ଅଭିଯୋଗ କରାଯାଇଥିଲା । ଆଜି ଆମେ ତାହାର ପ୍ରମାଣ ଆପଣଙ୍କ ସାମ୍ନାରେ ରଖୁଛୁ । ଏହି ନିଯୁକ୍ତି ଦାୟିତ୍ୱ ଓପିଆରବି ଉପରେ ଥିଲାବେଳେ ଏହାର ଅଧ୍ୟକ୍ଷ ଭାବେ ସନ୍ତୋଷ ଉପାଧ୍ୟାୟଙ୍କୁ ନିଯୁକ୍ତି ଦିଆଯାଇଥିଲା । ୯୩୩ ଜଣ ଏସ୍ଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍ ମାଇଣ୍ଡ ଡିଜିଟାଲକୁ ନେଇଥିଲା । ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ଦେଇଥିଲେ । ଏହାପରେ ଆଇଟିଆଇ ଦ୍ୱାରା ରିଚ୍ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକ୍କୁ ସହଯୋଗୀ ଭାବେ ନିଆଯାଇଥିଲା । ସିଲିକନ ଡିଜିଟେକ୍ ତାର ସହଯୋଗୀ ଭାବେ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନୀକୁ ଦାୟିତ୍ୱ ଦେଇଥିଲା । ଏହି ପଞ୍ଚସଫ୍ଟ ସଂସ୍ଥା ଦ୍ୱାରା ମୁଖ୍ୟତଃ ମୋଟା ଅଙ୍କର ଉକ୍ରୋଚ ଗ୍ରହଣ କରି ଜାଲିଆତି କରି ଚାକିରି ଦେବା ପାଇଁ ଉଦ୍ୟମ କରାଯାଉଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘଟଣାରେ ବିଜେପିର ସମ୍ପୃକ୍ତି ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଗ୍ରହଣୀୟ ନୁହେଁ । ମନମୋହନଙ୍କ ଉପସ୍ଥିତିରେ ଏହି ଚାକିରି ବିକ୍ରି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ବିଜେପିରେ ଯୋଗ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କାହା ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଏକ ଅନଭିଜ୍ଞ କମ୍ପାନୀକୁ କିପରି ଏଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ? ୯୩୩ ଜଣ ଏସ୍ଆଇ ପଦବୀ ପାଇଁ ହେବାକୁ ଥିବା ନିଯୁକ୍ତିରେ, ଚାକିରି ବିକ୍ରିରେ ବିଜେପିର ବରିଷ୍ଠ ନେତାମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି । ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି ଏହି ପ୍ରସଙ୍ଗରେ ମତ ଦେଇ, ଦୁର୍ନୀତିରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ବିଜେପିର ନୀତି ଓ ଜିନ୍ରେ ଅଛି ବୋଲି କହିଥିଲେ । ବାସ୍ତବରେ ଚାକିରି ବିକ୍ରି କରିବା ଭଳି ସାଙ୍ଘାତିକ କାର୍ଯ୍ୟ ବିଜେପି ଜିନ୍ରେ ଅଛି, ବ୍ୟାପମ ଦୁର୍ନୀତି ଯାହାର ଜ୍ୱଳନ୍ତ ଉଦାହରଣ । ତେଣୁ ଏହି ଘଟଣାର ତଦନ୍ତଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ । ତୁମ୍ୱନାଥ ପଣ୍ଡା କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗୋଟିଏ ପଟେ, ଗିରଫ ହୋଇଥିବା ୧୧୪ ଜଣ ପୋଲିସ ଏସ୍ଆଇ ପଦବୀ ଆଶାୟୀଙ୍କ ପରିବାରଙ୍କୁ ଆଜି ବ୍ରହ୍ମପୁର ଜେଲ ସାମ୍ନାରେ ଦେଖିବାକୁ ମିଳିଥିଲା । ଅପରପକ୍ଷରେ, ଚୌଦ୍ୱାର ଜେଲରୁ ଦୁଇ ଜଣ ଆନ୍ତଃରାଜ୍ୟ ଅପରାଧୀ କାଲି ମଧ୍ୟରାତ୍ରିରେ ଫେରାର ହୋଇଯିବା ଖବର ଆସିଛି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି । ଗୋଟିଏ ପଟେ ରାଜ୍ୟ ସରକାର ପରୀକ୍ଷାଟିଏ ସୁରୁଖୁରୁରେ କରାଇ ପାରୁନାହାନ୍ତି, ଆରପଟରେ ଗିରଫ ଅଭିଯୁକ୍ତ ମାନଙ୍କୁ ଜେଲ ଭିତରେ ରଖିବାରେ ସକ୍ଷମ ହେଉନାହାନ୍ତି । ଗୁରୁତର ତ୍ରୁଟି ଘଟିଥିବା ଏହି ଦୁଇଟି ବିଭାଗର ଦାୟିତ୍ୱରେ ଜଣେ ଅଧିକାରୀ ଅଛନ୍ତି ଓ ଉଭୟ ବିଭାଗ ଗୃହ ମନ୍ତ୍ରାଳୟ ଅଧୀନରେ, ଅର୍ଥାତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏହି ଦୁର୍ନୀତି ଅଭିଯୋଗ ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର । ଏଥିରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ସରକାର ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ । ସିବିଆଇକୁ ହସ୍ତାନ୍ତର ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । Post navigation ଏସ୍ଆଇ ପରୀକ୍ଷା ଘୋଟାଲାରେ ପୂର୍ବତନ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଗିରଫ