ନକଲି ସିଆଇଡି ଅଧିକାରୀମାନଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ । ସିଆଇଡି ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ । ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କଲା ପୋଲିସ ।

ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି । ଚନ୍ଦ୍ରଶେଖପୁର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଏବଂ ୪ ପୁରୁଷ ରହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡ଼ା, ଅନପୂର୍ଣ୍ଣା ପଣ୍ଡା, ଜେମାମଣୀ ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମିଲୁ ନାୟକ ଏବଂ ମନୋଜ କୁମାର ମିଶ୍ର ।

ଏକ ଗ୍ୟାଙ୍ଗ୍ ନିଜକୁ ସିଆଇଡି ଅଧିକାରୀ କହି ଭୁବନେଶ୍ୱରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରୁଥିଲେ । ବେଆଇନ କାର୍ଯ୍ୟ ଚାଲିଥିବାର ଭୟ ଦେଖାଇ ଟଙ୍କା ଆଦାୟ କରୁଥିଲେ । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଋଣ ପରିଶୋଧ ହୋଇନଥିବା କହି ଚଢ଼ଉ କରିଥିଲେ । ସେହି ସମୟରେ ପିଲାଙ୍କର ପରୀକ୍ଷା ମଧ୍ୟ ଚାଲିଥିଲା । ତଥାପି ଏହି ଗ୍ୟାଙ୍ଗ୍ ନ ଅଟକି କଲେଜ କର୍ତ୍ତୃପକ୍ଷଙ୍କୁ ଧମକ ଦେଇ ଗେଟରେ ତାଲା ପକାଇ ନିଲାମ ପାଇଁ ନାଲି ପତାକା ଲଗାଇଦେଇଥିଲେ । ଫଳରେ ପରୀକ୍ଷାରେ ବାଧା ସୃଷ୍ଟି ହୋଇଥିଲା । ବାଧ୍ୟ ହୋଇ କୌଣସି ଉପାୟ ନ ପାଇଁ କଲେଜ କର୍ତ୍ତୃପକ୍ଷ ଚନ୍ଦ୍ରେଶେଖରପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଫୋନ୍ କରିବାରୁ ସେମାନେ ନିଜକୁ ସିଆଇଡି ଅଧିକାରୀ ବୋଲି ପରିଚୟ ଦେଇଥିଲେ । ତଥାପି ପୋଲିସର କଲେଜରେ ପହଁଚି ଯାଞ୍ଚ କରିଥିଲା । ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ନକଲି ସିଆଇଡି ଅଧିକାରୀ ବୋଲି ଜାଣି ସେମାନଙ୍କୁ ଗିରଫ କରିଛି ।

ଏହି ଗ୍ୟାଙ୍ଗ ପାତ୍ରପଡ଼ା ଅଞ୍ଚଳରେ ଏକ ଘରୋଇ ଯାଞ୍ଚ ସଂସ୍ଥା ଖୋଲି ବିଭିନ୍ନ ଅନୁଷ୍ଠାନରେ ଚଢ଼ଉ କରୁଥିଲେ । ବିଶେଷ କରି ଯେଉଁମାନେ ଋଣ ନେଇଛନ୍ତି ସେମାନଙ୍କୁ ଟାର୍ଗେଟ୍ କରୁଥିଲେ । ଋଣ ପରିଶୋଧ ହୋଇ ନାହିଁ କହି ନାଲି ପତାକା ମାରି ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ । ପ୍ରାୟ ୪ ବର୍ଷ ହେବ ଏଭଳି କାର୍ଯ୍ୟ କରିଆସୁଛନ୍ତି । ଆଜି ପୋଲିସ ପାତ୍ରପଡ଼ାରେ ପହଁଚି ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢ଼ଉ କରିବାବେଳେ ମାଲିକ ଫେରାର ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *