ବାଲେଶ୍ୱର ଏଫ୍‌ଏମ୍ କଲେଜରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ। ଏହି ଘଟଣା ସମସ୍ତ ଓଡ଼ିଶାବାସୀଙ୍କୁ ଦୁଃଖ ଦେଇଛି। ରାଜନୈତିକ ଦଳ ହିସାବରେ ବିଜେପି ପାର୍ଟି ହେଉ କିମ୍ବା ଓଡ଼ିଶା ସରକାର ହେଉ ସମସ୍ତେ ଏହି ଘଟଣାରେ ବ୍ୟଥିତ ଅଛନ୍ତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି କରୁଛି କଂଗ୍ରେସ।

ନାରୀ ନିର୍ଯାତନା ଉପରେ କଂଗ୍ରେସର କହିବାର ଅଧିକାର କେଉଁଠୁ ଆସିଲା ? କଂଗ୍ରେସ ସରକାର ସମୟରେ ଛବିରାଣୀ ହତ୍ୟାକାଣ୍ଡଠରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ, ଦିଲ୍ଲୀର ନୈନା ସାହାଣୀ ଭଳି ଘଟଣା ଘଟିଥିଲା। ଏସବୁଥିରେ କଂଗ୍ରେସ କର୍ମୀ ଓ ନେତାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲା। ଏହାହିଁ କଂଗ୍ରେସ ଶାସନର କଳଙ୍କିତ ଇତିହାସ। କିନ୍ତୁ ପୂର୍ବରୁ କଂଗ୍ରେସ ଏସବୁ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ନ ଥିଲା। ମାତ୍ର ବିଜେପି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁ୍‌ଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶା ସରକାର ଏହି ଘଟଣାକୁ ଗମ୍ଭୀରତା ସହ ନେଇଛନ୍ତି। ଘଟଣା ଘଟିବାର ୬ ଘଂଟା ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପ୍ରତ୍ୟାବର୍ତନ କରିବା ପରେ ତୁରନ୍ତ ବିମାନବନ୍ଦରରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏମ୍ସ ହସ୍ପିଟାଲ ଯାଇ ଡାକ୍ତରଖାନା କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପୀଡ଼ିତାଙ୍କ ପରିବାର ସହ ଭେଟ କରିଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ସମ୍ବେଦନଶୀଳ ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ପୀଡ଼ିତାଙ୍କୁ ଏମ୍ସ ହସ୍ପିଟାଲ ପଠାଇବାକୁ ଆରମ୍ଭ କରି କିପରି ନିରେପକ୍ଷ ତଦନ୍ତ ହେବ ସେନେଇ ସମସ୍ତ ଉଦ୍ୟମ କରିଛନ୍ତି।

ତେବେ ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍‌କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି। ଜୁଲାଇ ୧ ତାରିଖରେ ପୀଡ଼ିତା ଛାତ୍ରୀ ଯେତେବେଳେ ଏସମ୍ପର୍କରେ ଅଭିଯୋଗ କରିଥିଲେ, ସେତେବେଳେ ଛାତ୍ର କଂଗ୍ରେସର ବାଲେଶ୍ୱର ଜିଲା ସମ୍ପାଦକ ସାମାଜିକ ଗଣାମଧ୍ୟମରେ ଏହି ଅଭିଯୋଗ ମିଥ୍ୟା ବୋଲି ଲେଖିଥିଲେ। ଉପସ୍ଥାନ କମ୍ ଯୋଗୁ ରାଜନୀତି କରିହେବ ନାହିଁ ସେଥିପାଇଁ ଏଭଳି ମିଛ ଅଭିଯୋଗ ଆଣିଥିବା ସେ ଉଲ୍ଲେଖ କରିଥିଲେ। ସେପରି ଛାତ୍ର କଂଗ୍ରେସର ଅନ୍ୟ ଜଣେ କର୍ମୀ ମଧ୍ୟ ଆତ୍ମହତ୍ୟା କରିଦିଅ ବୋଲି ଲେଖିଥିଲେ। ମାତ୍ର ଏବେ ପକ୍ଷ ପରିବର୍ତନ କରି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୀଡ଼ିତାଙ୍କ ପରିବାର ସହ ଠିଆ ହେବା ବଦଳରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ହୀନ ରାଜନୀତି କରୁଛି କଂଗ୍ରେସ। ସେମାନଙ୍କ ଉପରେ କ’ଣ କାର୍ଯ୍ୟନୁଷ୍ଠାନ ନେଇଛି ତାହା ପ୍ରଥମେ ସ୍ପଷ୍ଟ କରୁ କଂଗ୍ରେସ।

ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତି ନ ଘଟେ ସେଉପରେ ବିଜେପି ସରକାର କାର୍ଯ୍ୟ କରୁଛି। ଏହି ଘଟଣାରେ ପୀଡ଼ିତାଙ୍କ ମା’ ବାପାଙ୍କ ସହ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ଠିଆ ହୋଇଛି। ପୀଡ଼ିତାଙ୍କୁ କିପରି ଉନ୍ନତମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ସେସମସ୍ତ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ। ମହିଳା ହିଂସାରେ କେହି ସମ୍ପୃକ୍ତ ରହିଲେ ବିଜେପି ସରକାର ସେମାନଙ୍କୁ ସୁରକ୍ଷା ଦେବନାହିଁ। ବିଜେପି ସରକାର ଏହି ପ୍ରସଙ୍ଗରେ ସବୁବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟ କୌଣସି ସରକାର ସମୟରେ ଏହି ପ୍ରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା। ଡାକ୍ତରମାନେ ଭଗବାନ ସ୍ୱରୁପ ହୋଇ ଏବେ ଛାତ୍ରୀଙ୍କୁ ସୁସ୍ଥ କରିବା ପାଇଁ ସବୁପ୍ରକାର ଚେଷ୍ଟା କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ତାଙ୍କ ମାଧ୍ୟମରେ ଆହୁରି ଶକ୍ତି ପ୍ରଦାନ କରୁନ୍ତୁ। ପୀଡ଼ିତା ତୁରନ୍ତ ସୁସ୍ଥ ହୁଅନ୍ତୁ। ତାଙ୍କ ପରିବାର ମୁହଁରେ ପୁଣି ଥରେ ହସ ଫେରୁ। ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନକରି ଓଡ଼ିଶା ସରକାର ଉପରେ ଭରସା ରଖିବାକୁ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *