ପୂର୍ବତନ ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବେଆଇନ ଫାର୍ମ ହାଉସ ଉପରେ ହୋଇଛି ବୁଲ୍ଡୋଜର ଆକ୍ସନ । ବେଆଇନ ସରକାରୀ ଜମି ଜବରଦଖଲ ଅଭିଯୋଗରେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଜଡିତ ଥିବା ଏକ ଫାର୍ମହାଉସକୁ ଯାଜପୁର ପ୍ରଶାସନ ଉଚ୍ଛେଦ କରିଛି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସରକାରୀ ଜମି ଉପରେ ଥିବା ଫାର୍ମ ହାଉସ ପାଚେରୀ ସହିତ କିଛି ଘରକୁ ଉଚ୍ଛେଦ କରାଯାଇଛି । ପ୍ରାୟ ଏକ ଏକର ୧୦ ଡିସିମିଲ୍ ସରକାରୀ ଜମିକୁ ପ୍ରଣବ ମାଡ଼ି ବସିଥିଲେ । ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ବିବାଦୀୟ ଜମିରେ ନିର୍ମିତ ସୀମା ପାଚେରି ଭାଙ୍ଗିବା ପାଇଁ ତହସିଲ କର୍ତ୍ତୃପକ୍ଷ ଜେସିବି ସମେତ ଭାରୀ ଯନ୍ତ୍ରପାତି ନିୟୋଜିତ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଉଚ୍ଛେଦ ପ୍ରକ୍ରିୟା ସମୟରେ କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସ୍ଥାନରେ ଏକ ଦୃଢ଼ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସରକାରୀ ସୂତ୍ର ଅନୁଯାୟୀ, ମୋଟ ୧୨ ଏକର ୮୮ ଡେସିମିଲ ଅଞ୍ଚଳରେ ସୀମା ପ୍ରାଚୀର ନିର୍ମାଣ କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ୧ ଏକର ୧୦ ଡେସିମିଲ ଜବରଦଖଲ ସରକାରୀ ଜମି ଭାବରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପ୍ରଶାସନ କହିଛି ଯେ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଅନଧିକୃତ ଦଖଲ ଉଚ୍ଛେଦ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏହା ସହ ଘେରାବନ୍ଦୀ ପରିସରରେ ଏକ ଛେଳି ଫାର୍ମ ପ୍ରତିଷ୍ଠା କରାଯାଇଛି। ଅଭିଯାନ ସମୟରେ, ସୀମା ପାଚେରିର କିଛି ଅଂଶ ଏବଂ ଜବରଦଖଲ ଜମିରେ ଥିବା କିଛି ନିର୍ମାଣକୁ ଭାଙ୍ଗି ଦିଆଯାଇଥିଲା। ସୂଚନା ଯୋଗ୍ୟ; ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ତଳଗଡ଼ ରାଜସ୍ୱ ସର୍କଲ ଅଧୀନ ମଧୁପୁରଗଡ଼ ମୌଜାରେ ପ୍ରଣବ ବଳବନ୍ତରାୟଙ୍କ ଫାର୍ମହାଉସ ରହିଛି । ବିଜେଡ଼ି କ୍ଷମତା ଥିବାବେଳେ ସରକାରୀ ଜମିକୁ ହାତ କରି ସେଠାର ଫାର୍ମ ହାଉସ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା । ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ନୋଟିସ ହୋଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରଣବ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଚ୍ଛେଦ ହେବ ବୋଲି ଜଣା ପଡିଥିଲା । ନିଜର ୧୨. ୮୮ ଏକର ଜାଗାକୁ ଚିହ୍ନଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତହସିଲ ପକ୍ଷରୁ ପ୍ରଣବଙ୍କ ସୀମାକୁ ଲାଗି ରହିଥିବା ଉତ୍ତରପ୍ରଦେଶର ଦୟାଶଙ୍କର, ଜଗନ୍ନାଥ ମଠ ମାର୍ଫିତ ଜଗନ୍ନାଥ ବଳ ବିଜେ ମଧୁପୁର ଗଡ଼, ରେବତୀ ବଳ, ଶ୍ରୀବାସ ଜେନା, ମଧୁପୁରଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରଭାସ ଗଡ଼ନାୟକଙ୍କୁ ମାପଚୁପ ବିଷୟରେ ନୋଟିସ ଜାରି କରାଯାଇଥିଲା । ଏହା ପରେ ଗତ ସପ୍ତାହରେ ପ୍ରଶାସନ ପକ୍ଷରୁ ଜମିର ମାପଚୁପ କରାଯାଇଥିଲା । ପ୍ରାୟ ଦୁଇ ଦିନ ଧରି ମାପଚୁପ ହୋଇଥିଲା । Post navigation Panchayat Elections: ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ: ରବି ନାୟକ Nuapada NAC Chairman Joins BJP: ବିଜେପିରେ ଯୋଗ ଦେଲେ ନୂଆପଡ଼ା ଏନ୍ ଏ ସି ଅଧ୍ୟକ୍ଷ ଆଦମ ଖାଁ