ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହାରାହାରି ଦିନକୁ ଯାଉଛି ୧୮ ଜଣଙ୍କ ଜୀବନ। ଏହା ସହିତ ୩୦ ଜଣ ଆହତ ହେଉଛନ୍ତି । ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଗୃହରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନ ରାଜ୍ୟରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ଆଇଆଇଟି ମାଡ୍ରାସ ସହିତ କେବେ ରାଜିନାମା କରିଥିଲେ ଓ ରାଜିନାମା ଅନୁଯାୟୀ ଉକ୍ତ ସଂସ୍ଥାକୁ ବାର୍ଷିକ କେତେ ଟଙ୍କା ପ୍ରଦାନ କରୁଛନ୍ତି;  ଆଇଆଇଟି ମାଡ୍ରାସ ସହିତ ରାଜିନାମା ସମୟରେ ରାଜ୍ୟରେ ଦୈନିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତ ସଂଖ୍ୟା କେତେ ଥିଲା ଓ ବର୍ତ୍ତମାନ କେତେ ରହିଛି ତାହାର ଏକ ବର୍ଷୱାରୀ ତାଲିକା ପ୍ରଦାନ କରିବେ କି?

ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସରକାର ରାଜ୍ୟରେ ସଡକଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଇଆଇଟି, ମାଡ୍ରାସ ସହିତ ୨୩ ଡିସେମ୍ବର, ୨୦୨୪ ରେ ରାଜିନାମା ସ୍ୱାକ୍ଷର କରିଥିଲେ ।

ସରକାରୀ ତଥ୍ୟ ଅନୁଯାୟୀ, ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ପ୍ରାୟ ଅପରିବର୍ତ୍ତିତ ରହିଛି ଯେତେବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୨୪ରେ ୧୭ ରୁ ୨୦୨୫ରେ ୧୮ ହୋଇଛି। ଏହି ସଂଖ୍ୟା ଆଇଆଇଟି ମାଡ୍ରାସର ଏକ ଗବେଷଣା ରିପୋର୍ଟରୁ ମିଳିଥିବା ତଥ୍ୟ ଉପରେ ଆଧାରିତ, ଯାହାକୁ କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରାପ୍ତ ହୋଇଛି।

୨୦୨୪ରେ, ସଡ଼କ ଦୁର୍ଘଟଣାରେ ମୋଟ ୬,୧୪୨ ଜଣ ପ୍ରାଣ ହରାଇଥିଲେ। ୨୦୨୫ରେ ଏହି ସଂଖ୍ୟା ୬,୪୮୩କୁ ବୃଦ୍ଧି ପାଇଛି। ଦୁଇ ବର୍ଷ ମଧ୍ୟରେ, ସଡ଼କ ଦୁର୍ଘଟଣା ୧୨,୬୨୫ ଜଣଙ୍କ ଜୀବନ ନେଇଛି, ଯାହା ପରିସ୍ଥିତିର ଗମ୍ଭୀରତାକୁ ଉଜାଗର କରିଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ରାଜ୍ୟ ସାରା ୩୨୫ ଦୁର୍ଘଟଣାପ୍ରବଣ “ବ୍ଲାକ ସ୍ପଟ୍” ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *