ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତା’ପୂର୍ବରୁ ଆଜି ଲୋକସଭାରେ ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଛି । ରିପୋର୍ଟ ଅନୁସାରେ ଭାରତରେ ଜିଡିପିର ବିକାଶ ହାର ଆର୍ଥିକ ବର୍ଷ ୨୦୨୫ ଲାଗି ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୬.୫ରୁ ୭ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୪ ଲାଗି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୮.୨ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୫ରେ ରିଜର୍ଭ ବ୍ଯାଙ୍କ ୪.୫ ପ୍ରତିଶତ ମୁଦ୍ରାସ୍ଫୀତି ଆକଳନ କରିଥିବା କହିଛନ୍ତି ନିର୍ମଳା ସୀତାରମଣ।

ଗତ ଦୁଇ ବର୍ଷ ଧରି ଖାଦ୍ୟ ସାମଗ୍ରୀରେ ଦରବୃଦ୍ଧି ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି ବୋଲି କହିଛନ୍ତି ନିର୍ମଳା ସୀତାରମଣ। ସେ କହିଛନ୍ତି ଭାରତର କୃଷି କ୍ଷେତ୍ର ଖରାପ ପାଗର ଶିକାର ହୋଇଛି। ଜଳ ଭଣ୍ଡାରରେ ହ୍ରାସ ହେତୁ ଫସଲରେ କ୍ଷତି ହେବାରୁ ଖାଦ୍ୟ ଉତ୍ପାଦନରେ ହ୍ରାସ ଘଟାଇଥାଏ ଏବଂ ଏହି କାରଣରୁ ଖାଦ୍ୟ ସାମଗ୍ରୀର ବୃଦ୍ଧି ପାଉଛି । ବର୍ତ୍ତମାନ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି ସରକାର ସ୍ବୀକାର କରୁଛନ୍ତି ଯେ ବର୍ତ୍ତମାନ କେତେକ ଖାଦ୍ଯପଦାର୍ଥର ଦର ମୁଦ୍ରାସ୍ଫୀତି ହାର ବଢିଛି। ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ବର୍ଷ ୨୦୨୩-୨୪ ପାଇଁ ଦେଶର ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ଆଗାମୀ ବର୍ଷ ପାଇଁ ଦେଶର ଅର୍ଥବ୍ୟବସ୍ଥା କିପରି ରହିବ ତାହାର ପୂର୍ବାନୁମାନ କରିବାରେ ସହାୟତା କରିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଅର୍ଥନୈତିକ ବିଭାଗ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସେହିପରି ସର୍ବଭାରତୀୟ ବାର୍ଷିକ ବେରୋଜଗାର ହାର ମଧ୍ୟ ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି। କୋଭିଡ ପାନଡେମିକ ପରଠାରୁ ବେରୋଜଗାର ହାର ହ୍ରାସ ପାଇବାରେ ଲାଗିଛି। ଏହି ସମୟରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରର ପୁନରୁଦ୍ଧାର ହୋଇଛି। ୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ୬ ବର୍ଷ ଧରି ମହିଳା ଶ୍ରମ ଶକ୍ତି ହାର ଲଗାତାର ବୃଦ୍ଧି ପାଇ ଆସୁଛି। ବିଶେଷକରି ଗ୍ରାମାଞ୍ଚଳର ମହିଳାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି।

ଅନ୍ୟପଟେ ଭାରତର ବେକାରୀ ହାର ୨୦୨୨-୨୩ ମସିହାରେ ୩.୨ ପ୍ରତିଶତକୁ ହ୍ରାସ ପାଇଛି। ଆର୍ଥିକ ସର୍ଭେରେ ଭାରତର ମୁଦ୍ରାସ୍ଫୀତିକୁ କମ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *