ଯୁଦ୍ଧ ବିରତି ଅବଧି ବଢ଼ାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଶାନ୍ତିବାର୍ତ୍ତା ପାଇଁ ଆଲୋଚନା ଦ୍ବନ୍ଦ୍ବ ଭିତରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି ଘୋଷଣା କରିଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଲେଖିଛନ୍ତି, ଯୁଦ୍ଧ ବିରତି ଅବଧି ବୃଦ୍ଧି ପାଇଁ ପାକିସ୍ତାନ ଅନୁରୋଧ କରିଥିଲା ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି। କିନ୍ତୁ ହର୍ମୁଜ ଅବରୋଧ ଜାରି ରହିବ। ଇରାନର ସମସ୍ତ ବନ୍ଦରକୁ ଅବରୋଧ ଜାରି ରହିବ।

ପ୍ରଥମ ଥର ଘୋଷିତ ଯୁଦ୍ଧବିରତି ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଅସ୍ଥାୟୀ ଭାବରେ ଯୁଦ୍ଧ ବନ୍ଦ କରିଛି ଏବଂ ମଧ୍ୟସ୍ଥି ପାକିସ୍ତାନକୁ ଆମେରିକା ଏବଂ ଇରାନ ମଧ୍ୟରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆୟୋଜନ କରିବାକୁ ସମୟ ଦେଇଛି। ସେ ବୁଝନ୍ତି ଯେ ଇରାନ ସରକାର ଗଭୀର ଭାବରେ ବିଭାଜିତ ହୋଇସାରିଛି। ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଯୁଦ୍ଧବିରତି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ସେମାନଙ୍କୁ ସେମାନଙ୍କ ନେତା ଏବଂ ପ୍ରତିନିଧିମାନେ ସର୍ବସମ୍ମତ ପ୍ରସ୍ତାବ ସହିତ ନ ଆସିବା ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ କରିବା ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଆହୁରି ଲେଖିଛନ୍ତି ଯେ ପାକିସ୍ତାନର ଅନୁରୋଧରେ, ଇରାନ ଏହାର ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ଆଲୋଚନା ସମାପ୍ତ କରିବା ପର୍ଯ୍ୟନ୍ତ ମୁଁ ଯୁଦ୍ଧବିରତି ବୃଦ୍ଧି କରୁଛି। ମୁଁ ମୋର ସେନାକୁ ଅବରୋଧ ବଜାୟ ରଖିବାକୁ ଏବଂ ଯେକୌଣସି ବାକି ସମସ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି।

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘୋଷଣା ସାମୟିକ ଭାବରେ ଶତ୍ରୁତା ପୁନଃ ଆରମ୍ଭ ହେବାର ଆଶଙ୍କାକୁ ଏଡାଇ ଦେଇଛି। ଉଭୟ ପକ୍ଷ ମଧ୍ୟରେ ଗଭୀର ମତଭେଦ ରହିଛି। ଆମେରିକାର ଆଲୋଚନା ଦଳକୁ ନେତୃତ୍ୱ ଦେବା ପାଇଁ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ପାକିସ୍ତାନ ଗସ୍ତ ସ୍ଥଗିତ ରଖାଯାଇଛି। ହରମୁଜ୍ ପ୍ରଣାଳୀରେ ଆମେରିକାର ଇରାନ ପ୍ରତିବନ୍ଧକ ମଧ୍ୟ ବଳବତ୍ତର ରହିଛି।

ସେପଟେ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କହିଛି, ଟ୍ରମ୍ପ ନିଜେ ନିଜେ ଏହି ଘୋଷଣା କରିଛନ୍ତି। ଆଲୋଚନା ପାଇଁ କୌଣସି ସର୍ତ୍ତରେ ମଂଜୁର ନୁହେଁ ବୋଲି ଇରାନ ପକ୍ଷରୁ କୁହାଯାଇଛି। ଦୁଇ ସପ୍ତାହ ଧରି ଯୁଦ୍ଧ ବନ୍ଦ ଥିଲା। ଶାନ୍ତି ପାଇଁ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହା ଫେଲ୍ ମାରିଥିଲା। କୌଣସି ଡିଲ୍ ହୋଇପାରିନଥିଲା। ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ଟିମ୍ ପାକିସ୍ତାନ ଆସିବାର ଥିଲା। କିନ୍ତୁ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏପରିକି ନିଜ ଟିମ୍ ବି ପଠାଇନଥିଲା। ଆଜି ଯୁଦ୍ଧ ବିରତିର ଶେଷ ଦିନ ଥିଲା। କଣ ହେବ ବୋଲି ବିଶ୍ଵ ସମୁଦାୟ ଚିନ୍ତିତ ଥିବା ବେଳେ ଟ୍ରମ୍ପ ଯୁଦ୍ଧ ବିରତିକୁ ବୃଦ୍ଧି କରିଛନ୍ତି। ଏହା ଦ୍ଵାରା ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଆଲୋଚନାର ବାଟ ଫିଟିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *