ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଚାରି ଯୁବନେତାଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳିଲା ନାହିଁ । ସେମାନେ ହେଲେ ପୂର୍ବ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା, ସୁଜାତା ଲାଓ ପାର୍ଟି ବଚାଓ ଅଭିଯାନର ପ୍ରଚ୍ଛଦ ନାୟକ ଅତନୁ ସବ୍ୟସାଚୀ, ବିଦ୍ରୋହର ସ୍ୱର୍ ଶୁଣାଉଥିବା ଡ. ଅରୁଣ କୁମାର ସାହୁ ଓ ଦେବାଶିଷ ସାମନ୍ତରାୟ ମଧ୍ୟ ଥିଲେ ଅନୁପସ୍ଥିତ । କିନ୍ତୁ ସେ ଯେତିକି ଚର୍ଚ୍ଚାରେ ନାହାନ୍ତି, ତା’ଠୁ କାହିଁ କେତେଗୁଣ ଚର୍ଚ୍ଚା ୪ ଯୁବ ନେତାଙ୍କ ଅନୁପସ୍ଥିତିକୁ ନେଇ। ସଞ୍ଜୟ ନିଜ ଅଞ୍ଚଳରେ ଦଳର ପ୍ରତିଷ୍ଠା ଦିବସ ପାଳନ କରିଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି । ନିଜ ଅଞ୍ଚଳରେ ପାଳନ କରିବା କିଛି ଖରାପ କଥା ନୁହେଁ। କିନ୍ତୁ ଶଙ୍ଖଭବନ ବିଜଦର ମୁଖ୍ୟ କାର୍ଯ୍ୟାଳୟ। ସଭାପତି ନବୀନ ପଟ୍ଟନାୟକ ରହିଲେ । ଅଥଚ ସଞ୍ଜୟଙ୍କର ଦେଖାଦର୍ଶନ ନାହିଁ । ଡକ୍ଟର ଅରୁଣ ସାହୁ ବିଧାୟକ ଅଛନ୍ତି । କିନ୍ତୁ ତାଙ୍କ ସ୍ବରରେ କ୍ରମାଗତ ଭାବେ ବିଦ୍ରୋହର ବାସ୍ନା ଆସୁଛି। ତାଙ୍କୁ ମଧ୍ୟ ଦଳୀୟ ନେତୃତ୍ୱ ଯେଭଳି ଅଣଦେଖା କରୁଛି, ସେଥିରେ ସେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ। ସେ ମଧ୍ୟ ଶଙ୍ଖଭବନରେ ଅନୁପସ୍ଥିତ ଥିଲେ । ତାଙ୍କ ଗୁରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅନୁପସ୍ଥିତ ରହିବାକୁ ସମସ୍ତେ ବୁଝି ପାରୁଛନ୍ତି । କିନ୍ତୁ ଅରୁଣ ସାହୁ ନିଜ ଅଞ୍ଚଳରେ ପ୍ରତିଷ୍ଠା ଦିବସ ପାଳୁଥିଲେ କି ନାହିଁ ସେ ସୂଚନା ତାଙ୍କ ସାମାଜିକ ଗଣମାଧ୍ୟମରେ ଜଣାପଡୁ ନାହିଁ । ସବୁଠୁ ବେଶି ଚର୍ଚ୍ଚାରେ ପ୍ରଣବ ଓରଫ ବବି । ଗୋଟିଏ ସମୟରେ ସବୁଠୁ ପ୍ରଭାବଶାଳୀ ବିଜଦ ନେତା ଥିଲେ ବବି । ପାଣ୍ଡିଆନଙ୍କର ଅତ୍ୟନ୍ତ ବିଶ୍ବସ୍ତ । କିନ୍ତୁ ଏହି ବିଶ୍ଵାସ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ପାଣ୍ଡିଆନ, ବିରୋଧୀ ଦଳର ନେତାମାନେ ବବି ବିରୋଧୀ ହୋଇପଡ଼ିଛନ୍ତି। ସେ ପ୍ରାୟତଃ ରାଜ୍ୟ ରାଜନୀତିରେ ସକ୍ରିୟ ନାହାନ୍ତି । କିନ୍ତୁ ଜିଲା ରାଜନୀତିରେ ତାଙ୍କର ସକ୍ରିୟତା ଜଣାପଡ଼ିଛି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଯେଉଁ କେତେଜଣ ଯୁବନେତାଙ୍କ ନାମ ନେଇ ସେମାନଙ୍କ ଧମକ ଦେଇଥିଲେ, ସେମାନଙ୍କ ଭିତରେ ଥିଲେ ବବି। ବବିଙ୍କ ଅନୁପସ୍ଥିତି ଗତକାଲି ବାରିହୋଇ ପଡ଼ିଥିଲା । ପ୍ରତିଷ୍ଠା ଦିବସରେ ସେ ଏକ୍ସ’ରେ ସଭାପତି ନବୀନ ପଟନାୟକ ଏବଂ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖୁଥିବା କହିଛନ୍ତି। କିନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀରେ କୌଣସି ବଡ଼ ଉତ୍ସବର ସୂଚନା ସେ ଦେଇନାହାନ୍ତି। ବିଧାୟକ ସାରଦା ପ୍ରଧାନଙ୍କ ସଭାରେ ରାଜ୍ୟସଭାର ବିଜଦ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଦେଖିବାକୁ ମିଳିଲା । ସେ କାହିଁକି ଶଙ୍ଖ ଭବନକୁ ଆସିଲେ ନାହିଁ, ତାକୁ ନେଇ ମଧ୍ୟ ଚର୍ଚ୍ଚା। ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ନେଇ ଭାରି ରୋଚକ ଚର୍ଚ୍ଚା । ‘ସୁଜାତା ଲାଓ ପାର୍ଟି ବଚାଓ ଯେଉଁ ଅଭିଯାନ ଚାଲିଛି, ତାହାର ମୂଖ୍ୟ ସୂତ୍ରଧର ଅତନୁ ବୋଲି କୁହାଯାଉଛି। ଏଥିରେ ଅଛନ୍ତି ପ୍ରତାପ ଜେନା । କିନ୍ତୁ ଅତନୁ ଶଙ୍ଖଭବନରୁ ଗାଏବ୍ । ଆମ ମହାକାଳପଡ଼ା ରିପୋର୍ଟରଙ୍କ ସୂତ୍ର ଅନୁସାରେ ଦଳୀୟ କାର୍ଯ୍ୟାଳୟରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅତନୁ । ଲୋକ ବି ଭଲ ହୋଇଥିଲେ। ପ୍ରତିଷ୍ଠା ଦିବସରେ ଯେଭଳି ସୁଜାତାଙ୍କୁ ନେଇ ଝଡ଼ ଉଠିଲା, ପରବର୍ତ୍ତୀ ସମୟରେ ବିଧାୟକ ବଦ୍ରି ପାତ୍ର ଯେଭଳି ସୁଜାତାଙ୍କୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ଘୋଷଣା କଲେ, ସେ ପରିପ୍ରେକ୍ଷୀରେ ବୋଧହୁଏ ବିବାଦରୁ ଦୂରେଇ ରହିବା ପାଇଁ ଏହି ଯୁବନେତାମାନେ ଉଦ୍ୟମ କରିଛନ୍ତି। Post navigation Violence Against Women in Odisha: ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି Mamata Banerjee’s Anger On Odisha: ଓଡ଼ିଶା ଉପରେ ମମତାଙ୍କ ରାଗ; ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ତଦନ୍ତ ପାଇଁ ପଠାଉଛନ୍ତି ନିଜ ପୁଲିସ