ନିର୍ଭୟ ମିଡିଆ, ଭୁବନେଶ୍ୱର/କେନ୍ଦ୍ରାପଡ଼ା: ପୂର୍ବ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପାଗଳ ବୋଲି ଛିଗୁଲେଇଥିଲେ ବିଜୁ ଜନତା ଦଳର କେତେ ଜଣ ବିଧାୟକ । ଜୟନାରାୟଣ ଯେଉଁ ୫ଟି ଏବଂ ଶ୍ରଦ୍ଧା ପ୍ରସଙ୍ଗ ଉଠାଇଥିଲେ ତାହା ସରକାର ବିଶେଷ କରି ନବୀନ ପଟ୍ଟନାୟକ ଏବଂ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଅଡୁଆରେ ପକାଇଥିଲା । ଏଥିପାଇଁ ଜୟନାରାୟଣଙ୍କ ମୁଣ୍ଡ ଦୋଷ ଅଛି, ସେ କୋଲକାତା ହସ୍ପିଟାଲରୁ ପଳାଇ ଆସିଛନ୍ତି, ଏମିତି ଶାଳିନତାହୀନ ଆକ୍ଷେପ କରିଥିଲା ବିଜୁ ଜନତା ଦଳ । ଏବେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ନିଲମ୍ବନ ପ୍ରସଙ୍ଗରେ ବିଜୁ ଜନତା ଦଳର ମସ୍ତିଷ୍କ ବିଭ୍ରାଟ ଘଟିଥିବା ଅତିସ୍ପଷ୍ଟ ହେବାରେ ଲାଗିଛି । ଏହି ଦଳର ନେତୃତ୍ୱ ମାନସିକ ରୋଗାଗ୍ରସ୍ତ ବୋଲି ଚାଲିଥିବା ଚର୍ଚ୍ଚା ଭିତରେ ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ବିଜଦର ସାଧାରଣ ସମ୍ପାଦକ ଅମରେଶ ପତ୍ରୀ ଏବଂ ମୁଖପାତ୍ର ତୁମ୍ବନାଥ ପଣ୍ଡା । ଗତ ଗୁରୁବାର ଦିନ ପିଏସି ବୈଠକ ନଡକାଇ କେତେ ଜଣ ବଛା ବଛା ବିଧାୟକଙ୍କୁ ବୈଠକକୁ ଡାକିଲେ ସଭାପତି । ପ୍ରାୟୋଜିତ ଢଙ୍ଗରେ ଶୃଙ୍ଖଳା କଥା ଉଠାଗଲା ଏବଂ କେତେ ଜଣ ଶୃଙ୍ଖଳାଭଙ୍ଗକାରୀ ଅଛନ୍ତି, ସେମାନେ କ’ଣ କରୁଛନ୍ତି ତାଙ୍କ ନାମ ଦିଆଗଲା । ତା ଭିତରେ ଦୁଇଟି ନାମ ଥିଲା ଅରବିନ୍ଦ ଏବଂ ସନାତନଙ୍କ । ଏହି ଦୁଇ ଜଣଙ୍କୁ ନିଲମ୍ବନ କରିବା ପାଇଁ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଲେ । ପୂର୍ବରୁ ତାଙ୍କର ରାଜନୈତିକ ସଚିବ ଥିବା ଗୋପବନ୍ଧୁଙ୍କୁ ଡକାଯାଇ ଏହି ନିଲମ୍ବନ ଆଦେଶ ପ୍ରସ୍ତୁତ କରାଗଲା । ସେଥିରେ ଦର୍ଶାଗଲା ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରାଗଲା । କିନ୍ତୁ ହଠାତ ଏଥିରେ ଆଉ କିଛି କାରଣ ସଂଯୋଗ କଲେ ଅତନୁ ସବ୍ୟସାଚୀ ନାୟକ । ସେ ଦୁର୍ନୀତି ଓ ବିଶ୍ୱାସଘାତକତା କଥା ଉଲ୍ଲେଖ କଲେ । ସେହି ରାହାଧରି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ମୁଖପାତ୍ର ଲେଲିନ୍ ମହାନ୍ତି ଉଠାଇଥିଲେ ଦୁର୍ନୀତି ଓ ବିଶ୍ୱାସଘାତକ ପ୍ରସଙ୍ଗ । କିନ୍ତୁ ଦୁର୍ନୀତି ଆକ୍ଷେପ ଧରିବା ପୂର୍ବରୁ ବ୍ରହ୍ମପୁର ବିଜୁ ଜନତା ଦଳ ଉପସଭାପତି ହୃଷିକେଶ ପାଢୀଙ୍କ ଘରୁ ଯେଉଁ ଭଳି ଟଙ୍କା ଇଡି ଜବତ କଲା, ଯାହାକୁ ରାଜ୍ୟବାସୀ ଦେଖିଲେ ତାହା ପରେ ସେହି କାହାଣୀକୁ ପରିବର୍ତ୍ତନର ନିଷ୍ପତ୍ତି ନିଆଗଲା । ଲେଲିନ କହିଲେ କିଛି ଦିନ ଧରି ସେ ଦଳ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ, ମିଡ୍ ଡେ ଅପରେସନ୍ କରୁଥିଲେ । ଯେତେବେଳେ ଅରବିନ୍ଦ ଏହାକୁ ଚାଲେଞ୍ଜ କରି ପ୍ରମାଣ ଦିଅନ୍ତୁ ବୋଲି ମାଗିଲେ ସେତେବେଳେ ଚାଲେଞ୍ଜ ଗ୍ରହଣ କରିବା ପରିବର୍ତ୍ତେ କାଲ୍କା ବଚ୍ଚା କଂଗ୍ରେସରୁ ଅମଦାନୀ ହୋଇଥିବା ଅମରେଶ ପତ୍ରୀ ଏବଂ ତୁମ୍ବନାଥ ପଣ୍ଡାଙ୍କୁ ସାମ୍ବାଦିକ ସମ୍ମିଳନୀ କରିବାକୁ ଦାୟିତ୍ୱ ଦିଆଗଲା । ଏହି ଦୁଇ ଜଣ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣିତ କରିଦେଲେ ଯେ, ଦଳର ନେତୃତ୍ୱ ବାଉଳି ହେଉଛନ୍ତି, ମାନସିକ ରୋଗରେ ପଡିସାରିଛନ୍ତି । ଅମରେଶ କହିଲେ ଯେ, କେନ୍ଦ୍ରାପଡ଼ାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ହରାଇବା ପାଇଁ ଲାଗିଥିଲେ ଅରବିନ୍ଦ । ପାଟକୁରାରେ ବାପା ପୁଅଙ୍କ ଦଳ ଚାଲିଥିଲା । ବାପା ଯାହା କହୁଥିଲେ ସବୁ କାମ କରୁଥିଲେ ଅରବିନ୍ଦ । ଏହା କରିବା ଦ୍ୱାରା ଅମରେଶ ସାବ୍ୟସ୍ତ କରିଦେଲେ ଯେ, ଅଂଶୁମାନଙ୍କୁ ହରାଇବା ପାଇଁ ଅତନୁ ସବ୍ୟସାଚୀ ନାୟକ ହିଁ ନେଇଥିଲେ ବଡ଼ ଭୂମିକା । ଏହାର କାରଣଟି ହେଉଛି ଅଂଶୁମାନଙ୍କୁ କଂଗ୍ରେସରୁ ଆଣି ଦଳ ପ୍ରାର୍ଥୀ କରିଥିଲା । ଭାଜପାର ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିବା ପାଇଁ ଏହା ପ୍ରାୟୋଜିତ ଥିଲା । ତେବେ ଅଂଶୁମାନ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁନଥିଲେ । ସେ ବିଧାୟକ ହେବା ପାଇଁ ଇଚ୍ଛା ରଖିଥିଲେ । ତାଙ୍କୁ ପ୍ରଣବ ପ୍ରକାଶ ଦାସ ବାଧ୍ୟ କରିଥିଲେ ଲୋକସଭା ନିର୍ବାଚନ ଲଢିବାକୁ । ୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ରାଜନଗରରେ ଅଂଶୁମାନ ବୈଜୟନ୍ତଙ୍କ ଠାରୁ ପାଇଥିଲେ ଅଧିକା ଭୋଟ । ଅଂଶୁମାନ ପାଇଥିଲେ ୯୦୧୫୪ ଏବଂ ବୈଜୟନ୍ତଙ୍କୁ ମିଳିଥିଲା ୭୪୦୧୫ ଭୋଟ । ପାଟକୁରାରୁ ବୈଜୟନ୍ତ ୯୫୫୭୫ ଭୋଟ ପାଇଥିଲାବେଳେ ପାଖାପାଖି ୨୦ ହଜାର ଭୋଟ କମ୍ ପାଇଥିଲେ ଅଂଶୁମାନ । ଅଂଶୁମାନଙ୍କ ଭୋଟ ସଂଖ୍ୟା ଥିଲା ୭୫୧୯୭ । ଏହାକୁ ଯଦି ଦଳ ବିରୋଧୀ ଷଡ଼ଯନ୍ତ୍ର ବୋଲି ବିଜଦ ନେତୃତ୍ୱ ମନେ କରନ୍ତି ତେବେ ଆଗକୁ ଆସିବ କିଏ? ମହାକାଳପଡ଼ାରୁ ଲଢୁଥିଲେ ଅତନୁ ସବ୍ୟସାଚୀ ନାୟକ । ତାଙ୍କ ବିରୋଧରେ ଭାଜପାର ପ୍ରାର୍ଥୀ ଥିଲେ ଦୁର୍ଗା ପ୍ରସନ୍ନ ନାୟକ । ଦୁର୍ଗାଙ୍କୁ ୧,୦୯,୬୫୩ ଭୋଟ ମିଳିଥିଲାବେଳେ ଅତନୁ ପାଇଥିଲେ ୭୬୧୨୭ ଭୋଟ । ମହାକାଳପଡ଼ାକୁ ପ୍ରଚାର ପାଇଁ ଆସିଥିଲେ ଭିକେ ପାଣ୍ଡିଆନ । କିନ୍ତୁ ମହାକାଳପଡ଼ାରେ ଅଂଶୁମାନଙ୍କ ଠାରୁ ପାଖାପାଖି ୪୦ ହଜାରରୁ ଅଧିକ ଭୋଟ ପାଇଥିଲେ ବୈଜୟନ୍ତ । ସେଥିପାଇଁ ଆଲୋଚନା ହେଉଥିଲା ଯେ, ବୈଜୟନ୍ତଙ୍କ ସହ ଡିଲ କରିଥିଲେ ଅତନୁ । ତେବେ କ’ଣ ଅଂଶୁମାନଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ଅତନୁ । ତୁମ୍ବନାଥ ପଣ୍ଡା କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରିବେ ନାହିଁ ନବୀନ । ହେଲେ ସେ ଦଳର ପ୍ରତିଷ୍ଠା ଉତ୍ସବ କଥା ମନେ ପକାଇବା ଦରକାର । ପ୍ରତିଷ୍ଠା ଉତ୍ସବରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ କ’ଣ କହିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଦଳର ଯୁବନେତାଙ୍କୁ ତାଗିଦ କରିଥିଲେ ଓ ଧମକ ଦେଥିଲେ । ଏହା ଶୃଙ୍ଖଳା ନା ବିଶୃଙ୍ଖଳା? ବରିଷ୍ଠ ବିଜଦ ନେତା ବଦି୍ରନାରାୟଣ ପାତ୍ର ସିଧାସଳଖ ପାଣ୍ଡିଆନଙ୍କ ଯୋଗୁ ଦଳ ହାରିଲା ବୋଲି ଆକ୍ଷେପ କରିଥିଲେ । ଭୂପିନ୍ଦର ସିଂହ, ଋଷି ସାମନ୍ତରାୟ ମଧ୍ୟ ଶାଣିତ ଆକ୍ଷେପ କରିଛନ୍ତି । ବର୍ତ୍ତମାନ ଯେଉଁଭଳି ଭାବେ କିଛି ନେତାଙ୍କ ମେଳି ହେଉଛି, ତାହା ସମସ୍ତେ ଦେଖୁଛନ୍ତି । ତାହା କ’ଣ ବିଶୃଙ୍ଖଳା ନୁହେଁ? କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟିରେ ବୈଜୟନ୍ତ ଅଂଶୁମାନଙ୍କ ଠାରୁ ଅଧିକ ଭୋଟ ପାଇଛନ୍ତି । ଆଉ ଏହା ଭିତରେ କିପରି ସବୁ ବିଧାନସଭା କ୍ଷେତ୍ରରେ ଜଣେ ନୂଆ ପ୍ରାର୍ଥୀ ଖେଳ କରିଦେଲେ? ଏହା ଧରା ପକାଇ ଦେଉଛି ଯେ, ବିଜୁ ଜନତା ଦଳ ନେତୃତ୍ୱର ମସ୍ତିଷ୍କ ବିଭ୍ରମର କଥା । Post navigation Corruption, Traitor & Naveen: ଦୁର୍ନୀତି, ବିଶ୍ୱାସଘାତକ ଓ ନବୀନ ବାବୁ Early Morning Operation of 2023: ଆର୍ଲି ମର୍ଣ୍ଣିଂ ଅପରେସନର କିଏ ସୂତ୍ରଧର?