ଭୁବନେଶ୍ବରରେ ମୁକୁଳା ଡ୍ରେନରେ ପଡ଼ି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି। ଗତକାଲି ବିଏମସିକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ। କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି ଏନେଇ ସମସ୍ତ ବିବରଣୀ ଦେବାକୁ କୁହାଯାଇଥିଲା।

ରିପୋର୍ଟରେ ଡ୍ରେନେଜ ବିଭାଗର ଅଧକାରୀଙ୍କୁ ଦାୟୀ କରିଛି ବିଏମସି। ଏନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

ମଙ୍ଗଳବାର ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର୍ଯ୍ୟନ୍ତ ବିଏମ୍‌ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅପରପକ୍ଷେ ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍‌ସି ଏହାକୁ ପାଳନ କରୁନାହିଁ। ସେହିପରି ମୁକୁଳା ଡ୍ରେନ୍‌ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍‌ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍‌ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍‌ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି।

Leave a Reply

Your email address will not be published. Required fields are marked *