ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଦୁର୍ଘଟଣାର ୩୬ ଘଣ୍ଟା ପରେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଥମେ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବଂ ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି । ମୃତ ଶ୍ରମିକମାନେ ହେଲେ ଦଶରଥ ପାତ୍ର, ରଞ୍ଜିତ ଭୋଳ ଓ ସୁଶାନ୍ତ ରାଉତ । ମୃତ ଦେହ ମିଳିବା ପରେ ପରିବାର ସମେତ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି । ତେବେ ଏହି ମାମଲାରେ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ପ୍ଲାଣ୍ଟରେ ସେତେବେଳେ କେତେଜଣ ଶ୍ରମିକ ରହିଥିଲେ, କେମିତି ଅଘଟଣ ଘଟିଲା ସେ ନେଇ ଯାଞ୍ଚ କରୁଛି । ଅନ୍ୟପଟେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛି ଡାଲମିଆ କମ୍ପାନୀ। ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା କରାଯାଇଥିବା ସୂଚନା ମିଳିଛି । ପ୍ଲାଣ୍ଟ ପକ୍ଷରୁ ସହାୟତା ଘୋଷଣା ନେଇ ଉପଜିଲ୍ଲାପାଳ ଦାଶରଥୀ ସରାବଙ୍କ ସୂଚନା ଦେଇଛନ୍ତି ।୧୦ ଲକ୍ଷ ଇନ୍ସୁରାନ୍ସ ଟଙ୍କା ଓ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବ ପାଇ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟ ; ଗତ ୧୬ ତାରିଖ ଗୁରୁବାର ଅପରାହ୍ନ ସାଢେ ୫ଟାର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ୍ ର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ଗଚ୍ଛିତ ଥିବା ୮୦୦ ଟନ୍ କୋଇଲା ଗୁଣ୍ଡ ଅଜାଡ଼ି ହୋଇ ପଡ଼ିଥିଲା । ଫଳରେ ହପରରେ ଗଚ୍ଛିତ ଶହ ଶହ ଟନ କୋଇଲା ତଳେ କାର୍ଯ୍ୟରତ କେତେଜଣ କର୍ମଚାରୀ ପୋତି ହୋଇ ଯାଇଥିଲେ। ଦୁର୍ଘଟଣାର ୫ ଘଣ୍ଟା ପରେ ୩ଜଣ କର୍ମଚାରୀ ନିଖୋଜ ଥିବା ତହସିଲଦାର ସ୍ପଷ୍ଟ କରିଥିଲେ । ଫିଟରମ୍ୟାନ୍ ରାଜଗାଙ୍ଗପୁର ମଧୁସୂଦନ କଲୋନିରେ ରହୁଥିବା ଦଶରଥ ପାତ୍ର (୪୨), ଆଇଟି କଲୋନି ନିବାସୀ ରଞ୍ଜିତ ଭୋଳ (୩୨) ଏବଂ ବଏଲର ଅପରେଟର ସୁଶାନ୍ତ ରାଉତ (୫୫) ନିଖୋଜ ଥିଲେ। ତୁରନ୍ତ ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି । Post navigation ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତକାଳୀନ ପକ୍ଷୀ ଗଣନା ଆରମ୍ଭ ଓଡ଼ିଶାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନରେ କଲେ ସିଙ୍ଗାପୁରର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀ