ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରମାଣପତ୍ର ଦାଖଲ ନିମନ୍ତେ କ୍ରାଇମବ୍ରାଞ୍ଚ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିଛନ୍ତି । ସମସ୍ତ ପ୍ରମାଣପତ୍ର ଆସନ୍ତା ୬ ତାରିଖ ସୁଦ୍ଧା କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିବା ନିମନ୍ତେ ସୁରେନ୍ଦ୍ରଙ୍କୁ କୁହାଯାଇଛି।

ଉଲ୍ଲେଖନୀୟ ଯେ ବିକାଶ ପରିଷଦ ସଭାପତି ଏହି ଅଭିଯୋଗ ଆଣିଥିଲେ ୨୦୨୪ ଫେବୃଆରୀ ୮ ତାରିଖରେ । ସେତେବେଳେ ରାଜ୍ୟ ନବୀନ ସରକାର ଥିଲେ । ୨୦୨୪ ଜୁନରୁ ମୋହନ ସରକାର ଶାସନ କ୍ଷମତାରେ ଅଛନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚକୁ ନୋଟିସ ପଠାଇବାକୁ ପାଖାପାଖୁ ୨୪ମାସ ଲାଗିଗଲା । ରାଜ୍ୟରେ ଭାଜପା ସରକାରକୁ ୧୯ମାସ ପୁରିଗଲା । ଏତେ ଡେରି କାହିଁକି ଲାଗିଲା ତାହା ଯେତିକି ଆଶ୍ଚର୍ଯ୍ୟଜନକ ଅସଲ ଉଦ୍ଦେଶ୍ୟ ତା’ଠୁ ଅଧିକ ରହସ୍ୟମୟ ।

କ୍ରାଇମବ୍ରାଞ୍ଚର ଏହି ନୋଟିସ ପରେ ଏବେ ଗୋଟିଏ ଚର୍ଚ୍ଚାରେ ଯେ, ହରଡଘଣାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଅତ୍ୟନ୍ତ ଘନିଷ୍ଠ ପାଣ୍ଡିଆନ ପଡିଯାଇଛନ୍ତି । ଏପରିକି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଯିଏ ଯେମିତି କରିବ, ସେମିତି ଫଳ ପାଇବ । ଭାଜପା ସରକାର କାହାକୁ ଛାଡିବେ ନାହିଁ । ଏଭଳି ମନ୍ତବ୍ୟ ଅଧିକ ହସର ଖୋରାକ ଯୋଗାଉଛି ।

ପ୍ରଥମେ ଉତ୍ତର ଦେବା ଦରକାର ଯେ ନୋଟିସ ଜାରି କରିବାକୁ ଦୁଇବର୍ଷ ସମୟ ଲାଗେ କି ? ଏହାପରେ ଆହୁରି ଅନେକ ଜଟିଳ ପ୍ରଶ୍ନ ଅଛି । ଯାହାର ଜବାବ ସରକାରଙ୍କ ପକ୍ଷରୁ କେହି ନହେଲେ ଆଇନମନ୍ତ୍ରୀ ଦେବା ନିହାତି ଜରୁରୀ । ନୂଆ ସରକାର ଆସିଲା ପରେ ଅଗଷ୍ଟ ମାସରେ କ୍ୟାପିଟାଲ ଥାନାରେ ସୂଚନା ଅଧିକାର କର୍ମୀ ସୁଧୀର ଚରଣ ମହାରି ପାଣ୍ଡିଆନଙ୍କ ବିରୋଧରେ କିଛି ଦୁର୍ନୀତି ଅଭିଯୋଗ ଆଣି ଏତଲା ଦେଇଥିଲେ । ଏହି ଏତଲାରେ ଅନେକ ପ୍ରାମାଣିକ ତଥ୍ୟ ଦିଆଯାଇଥିଲା । କିନ୍ତୁ ମୋହନ ସରକାରଙ୍କ ପୁଲିସ ଏହାର ପଞ୍ଜିକରଣ କଲାନାହିଁ । ଏପର୍ଯ୍ୟନ୍ତ ମଧ୍ୟ ଏହି ଏତଲା ପଞ୍ଜିକୃତ ନୁହେଁ । ସୂଚନା ଅଧିକାର କର୍ମୀମାନେ ସମାନ ଅଭିଯୋଗ ଭିଜିଲାନ୍ସ ବିଭାଗ ଏବଂ କ୍ରାଇମବ୍ରାଞ୍ଚ ନିକଟରେ କରିଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ କାହିଁକି ? ତଦନ୍ତ ତ ଦୂରର କଥା ଏତଲା ପଞ୍ଜିକରଣ ନକରାଯିବା ପଛର ରହସ୍ୟ ସରକାର ଜନତାଙ୍କ ଆଗରେ ସ୍ପଷ୍ଟ କରିବା ଉଚିତ ।

୨୦୨୪ ସେପ୍ଟେମ୍ବରରେ ସୁଧୀର ତତ୍କାଳୀନ ରାଜ୍ୟପାଳ ରଘୁବୀର ଦାସଙ୍କୁ ଏକ ଆବେଦନପ‌ତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ନାଗରିକ ସଂହିତାର ଧାରା ୨୧୮ ଅନୁସାରେ ମାମଲା ରୁଜୁ ପାଇଁ ଅନୁମତି ଲୋଡ଼ି ଥିଲେ । କିନ୍ତୁ ତାହା ମଧ୍ୟ ରାଜ୍ୟପାଳଙ୍କ ଦ୍ବାରା ମଞ୍ଜୁର ହେଲା ନାହିଁ ।

୨୦୨୨ ଜୁନ୍ ରେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ ରୋମ ଏବଂ ଇଟାଲି ଗସ୍ତରେ ଯାଇଥିଲେ । ଓଡ଼ିଶାବାସୀଙ୍କୁ କୁହାଗଲା ଯେ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସେ ଯାଇଛନ୍ତି । ନବୀନ ଏବଂ ପାଣ୍ଡିଆନ ଇଟାଲି ଗସ୍ତ ସମୟରେ ରୋମ କାକାଲିୟରି ହୋଟେଲରେ ରହିଥିଲେ । ଏହା ଏକ ବିଳାସମୟ ହୋଟେଲ। ୬ଦିନ ରହିଣି ଓ ଗସ୍ତ ପାଇଁ ୮୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

କେବଳ ହୋଟଲ ବିଲ୍ ବାବଦକୁ ୩୬ଲକ୍ଷ ଟଙ୍କା। କିନ୍ତୁ କାହିଁକି ଯାଇଥିଲେ ? ସରକାରୀ ତହବିଲରୁ କାହିଁକି ଏତେ ଖର୍ଚ୍ଚ ହେଲେ, ସେ ବାବଦ କୌଣସି ତଥ୍ୟ ଦେବାକୁ ମୋହନ ସରକାର ରାଜି ନୁହଁନ୍ତି । କିନ୍ତୁ ଅର୍ଥ ବରବାଦ୍ ବାବଦରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ?

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ବାବଦ ଖର୍ଚର କୌଣ କୌଣସି ବିବରଣୀ ସରକାରଙ୍କ ପାଖରେ ନାହିଁ । ଯଦିଓ ସବୁ ଜିଲାପାଳ ଏହି ଗସ୍ତକାଳର ସମସ୍ତ ବନ୍ଦୋବସ୍ତ କରୁଥିଲେ । ସରକାରୀ ଆକଳନ ଅନୁସାରେ ୫୦ କୋଟି ଟଙ୍କା। କିନ୍ତୁ ବେସରକାରୀ ଭାବେ ଏହା ୫୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏସଂକ୍ରାନ୍ତରେ କେତୋଟି ଅସ୍ଥାୟୀ ହେଲିପେଡ ନିର୍ମାଣ କରାଯାଇଥିଲା ଓ ଭାଙ୍ଗି ଦିଆଯାଇଥିଲା, ଏହି ଦାୟିତ୍ଵ କେଉଁ ସଂସ୍ଥାକୁ ମିଳିଥିଲା ସେ ବାବଦରେ ଅନ୍ତତଃ ସରକାର ଯଥେଷ୍ଟ ପୂର୍ବରୁ ତଦନ୍ତ କରିପାରିଥାନ୍ତେ । କିନ୍ତୁ କରିନାହାଁନ୍ତି କାହିଁକି ?

ପାଣ୍ଡିଆନଙ୍କର ଅତ୍ଯନ୍ତ ସହଯୋଗୀ ବୋଲି ଯେଉଁ ଅଫିସରମାନଙ୍କ ବିରୋଧରେ ଭାଜପା ବିରୋଧୀ ଦଳରେ ଥାଇ ପ୍ରବଳ ସ୍ୱର ଉଠାଉଥିଲା, ସେମାନେ ବିନା ତଦନ୍ତରେ ଦିଲ୍ଲୀକୁ ଡେପୁଟେସନରେ ଗଲେ କେମିତି ?

ଯାବତୀୟ ଦୁର୍ନୀତି ଓ ଅଭିଯୋଗ ସତ୍ତ୍ୱେ ମୋହନ ସରକାର ଚାହିଁଥିଲେ ଏକ ତଦନ୍ତ କମିଶନ ନିଯୁକ୍ତ କରିପାରିଥାନ୍ତେ । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ପାଣ୍ଡିଆନଙ୍କ ବିରୋଧରେ ? ଅଣଓଡ଼ିଆ ରାଜକୁ ନେଇ ପ୍ରବଳ ଜନଅସନ୍ତୋଷ ଦାନା ବାନ୍ଧୁଥିବା ଦେଖି କ୍ରାଇମବ୍ରାଞ୍ଚ ଦୁଇବର୍ଷ ପରେ ପ୍ରମାଣପତ୍ର ଖୋଜିଛି । ଏହା ଧର୍ମକୁ ଆଖିଠାର ଛଡା ଅନ୍ୟ କିଛି ନୁହେଁ । କ୍ରାଇମବ୍ରାଞ୍ଚର ଟ୍ରାକ୍ ରେକର୍ଡ ଭାବିବାକୁ ବାଧ୍ଯ କରୁଛି ଯେ, ସରକାର ଲୋକଙ୍କ ଆଖିରେ ପରଦା ପକାଇବାକୁ ପଣ୍ଡିଆନଙ୍କୁ ଏକ ବାହାନା ବନାଇବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *