ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଧୀରେଧୀରେ ଶାନ୍ତ ପଡିଆସୁଥିବା ବେଳେ ଦୁଇ ଛାତ୍ର ନେତାଙ୍କ ଗିରଫ ପରେ ଚର୍ଚ୍ଚା ବିଚାରର ନିଆଁରେ ଘିଅ ପଡିବା ସଦୃଶ ହୋଇଥିଲା । କିଏ କ୍ରାଇମବ୍ରାଞ୍ଚକୁ ସାବାସୀ ଜଣାଇଥିଲା ତ ଆଉ କିଏ ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲା । ଭଗ୍ନୀ ସଂଗଠନର ସଦସ୍ୟ ହୋଇଥିଲେ ବି ଦୁଇ ଛାତ୍ରନେତାଙ୍କୁ ଗିରଫ କରାଇ ସରକାର ନିରପେକ୍ଷ ତଦନ୍ତର ପ୍ରମାଣ ଦେଇଥିବା ଆଲୋଚିତ ହୋଇଥିଲା । ଏପରିକି କେହି କେହି ପୂର୍ବରୁ କଲେଜର ପୂର୍ବତନ ଅଧ୍ଯକ୍ଷ ଓ ବିଇଡି ବିଭାଗ ମୁଖ୍ୟଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରାଯିବାର ଦୀର୍ଘଦିନ ପରେ ଦୁଇ ଛାତ୍ର ନେତାଙ୍କୁ ଗିରଫ କରାଇ ଅନ୍ୟ ଦୋଷୀଙ୍କୁ ଖସାଇବା ନେଇ ପ୍ରଚେଷ୍ଟା ଚାଲିଥିବା ମଧ୍ୟ ଅଭିଯୋଗ ଉଠାଇଥିଲେ। ତେବେ ହଠାତ୍ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟଙ୍କୁ ମାମଲାର ତଦନ୍ତ ଭାର ଦିଆଯିବା ନେଇ ଡିଜି ବିନୟତୋଷ ମିଶ୍ରଙ୍କ ଘୋଷଣାକୁ ନେଇ ଏବେ ପୁଣି ବିପରୀତ ଚର୍ଚ୍ଚା ହେବା ଆରମ୍ଭ ହୋଇଛି ।

ଛାତ୍ରୀ ଆତ୍ମାହୁତି ମାମଲା ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯିବା ପରେ ଡିଏସପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍ ବାଲେଶ୍ବରରେ ପହଞ୍ଚିଥିଲେ । କ୍ରାଇମବ୍ରାଞ୍ଚ ମହିଳା ଓ ଶିଶୁ ଅପରାଧ ନିରୋଧ ବିଭାଗର ଆଇଜି ଏସସାଇନି ମଧ୍ୟ ଏହି ମାମଲାର ତଦନ୍ତର ତତ୍ତ୍ୱାବଧାନ ପାଇଁ ସେମାନଙ୍କ ସହ ଆସିଥିଲେ । ଦୁଇ ଛାତ୍ରନେତାଙ୍କ ଗିରଫ ପରେ ଆଇଜି ଏସ ସାଇନି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବା ଓ ତାଙ୍କ ସ୍ଥାନରେ ଏସପି ଶ୍ରୀରାଉତରାୟଙ୍କୁ ନିଯୁକ୍ତି ପ୍ରଦାନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗତ ୩ ତାରିଖ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଦୁଇ ଛାତ୍ର ନେତାଙ୍କୁ ଗିରଫ କରିଥିଲେ । ଏଥିରେ ସରକାରଙ୍କ ନିରପେକ୍ଷ ଆଭି ମୁଖ୍ୟ ଦର୍ଶାଯାଉଥିଲେ ବି ଅଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଦୁଇ ନେତାଙ୍କ ଗିରଫ ଦଳୀୟ ଭାବମୂର୍ତିକୁ କ୍ଷୁଣ୍ଣ କରୁଥିବା ଆଲୋଚନା ହେଉଛି । ତଦନ୍ତ ତତ୍ତ୍ୱାବଧାନ କରୁଥିବା ଆଇଜି ଏସ ସାଇନି ସତରେ ଛୁଟିରେ ଯାଇଛନ୍ତି ନା ତାଙ୍କୁ ତଦନ୍ତ ପ୍ରକ୍ରିୟାରୁ ହଟାଯାଇଛି ତାହା ଏବେ ବଡ ପ୍ରଶ୍ନ ହୋଇଛି ।

ପ୍ରକୃତପକ୍ଷେ ଦୁଇ ଛାତ୍ର ନେତାଙ୍କ ଗିରଫକୁ ସରକାର ଗ୍ରହଣ କରି ପାରୁ ନାହାନ୍ତି କିମ୍ବା ତଦନ୍ତ ଟିମ୍‌ର କାର୍ଯ୍ୟରେ ସନ୍ତୁଷ୍ଟ ନାହାନ୍ତି ? ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଅମୂଳକ ଦର୍ଶାଇ ଦୁଇ ଛାତ୍ରନେତାଙ୍କ ଗିରଫକୁ ସମାଲୋଚନା ସହ ଛାତ୍ର ସଂଗଠନ ‘ଏବିଭିପି’ର ରାଜ୍ୟ କର୍ମକର୍ତ୍ତାଙ୍କ ସିବିଆଇ ତଦନ୍ତ ଦାବିକୁ ଗୁରୁତ୍ବ ଦେଇ ସରକାର ନୂତନ ଆଭିମୁଖ୍ୟ ଗ୍ରହଣ କଲେ କି ? ଫଳରେ ସମ୍ପୂର୍ଣ ପ୍ରକ୍ରିୟାରୁ ଆଇଜିଙ୍କୁ ବାଦ ଦେଇ ତଦନ୍ତକାରୀ ଦଳର ମୁଖ୍ୟ ଡିଏସପିଙ୍କ ଠାରୁ ଦାୟିତ୍ବ ଏସପି ଶ୍ରୀ ରାଉତରାୟଙ୍କୁ ଦିଆଯାଇଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ସେହିପରି ଛାତ୍ରୀ ଆତ୍ମାହୁତି ମାମଲାରେ ଆଗକୁ ଆଉ କେହି ଉଚ୍ଚସ୍ତରୀୟ ବ୍ୟକ୍ତି ଗିରଫ ହେବାର ସମ୍ଭାବନାକୁ ଏଡାଇ ଦେବାକୁ ବିଭାଗ ପକ୍ଷରୁ ଏହି ଭଳି ନିଷ୍ପତି ନିଆଯାଇ ଥାଇପାରେ ବୋଲି ଏବେ ଆଲୋଚନା ହେଉଛି ।

ତେବେ ହଠାତ ତଦନ୍ତ ଦଳର ମୁଖ୍ୟଙ୍କୁ କାହିଁକି ବଦଳ କରାଗଲା ତାହାକୁ ନେଇ ଅସମାହିତ ପ୍ରଶ୍ନ ଘୂରିବୁଲୁଥିବା ବେଳେ ଘଟଣାର ଦୀର୍ଘ ୨୪ ଦିନ ପରେ ଏସପି ଶ୍ରୀ ରାଉତରାୟଙ୍କ ନିଯୁକ୍ତି ତଦନ୍ତକୁ ପ୍ରଭାବିତ କରିବ କି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଡିଏସପିଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତକୁ ସେ ଗୁରୁତ୍ବ ଦେବେ ନା ପୁଣି ଥରେ ପ୍ରଥମରୁ ପ୍ରକ୍ରିୟା ଆରମ୍ଭ କରିବେ ? ଘଟଣାର ତଦନ୍ତ ଚାଲିଥିବା ସମୟରେ ଡିଜି ଶ୍ରୀ ମିଶ୍ର ବାଲେଶ୍ବର ଆସି ଘଟଣାସ୍ଥଳ ପରିଦର୍ଶନ ସହ ସଂଖ୍ୟାଧିକ ସାକ୍ଷୀ ଓ ବ୍ୟକ୍ତିଙ୍କୁ ଜେରା କରିଥିଲେ । ତଦନ୍ତ ପ୍ରକ୍ରିୟା ସଠିକ୍ ଦିଗରେ ଚାଲୁଥିବା ନେଇ ଗଣମାଧ୍ୟମକୁ କହିଥିଲେ । ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ସେହି ଅନୁସାରେ ତଦନ୍ତକାରୀ ଟିମ୍‌କୁ ମିଳିଥିବା ପ୍ରମାଣ ଆଧାରରେ ଦୁଇ ଛାତ୍ରନେତାଙ୍କୁ ଗିରଫ କରାଯାଇଥିବା ନେଇ ଆଶା କରାଯାଉଥିଲା । ବୋଧହୁଏ ଆଇଜି ଏସ ସାଇନିଙ୍କ ତତ୍ତ୍ୱାବଧାନରେ ତଦନ୍ତକାରୀ ଦଳ ସରକାରଙ୍କ ଆଭି ମୁଖ୍ୟ ବିପରୀତ ପଦକ୍ଷେପ ନେଇଥିବାରୁ ତାଙ୍କୁ ହଟାଇ ଏସପି ଶ୍ରୀ ରାଉତରାୟଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ଶୁଣିବାକୁ ମିଳିଛି । ଅନ୍ୟପଟେ ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଦାୟିତ୍ଵ ନେବା ପରେ କ୍ରାଇମବ୍ରାଞ୍ଚ ଏସପି ଶ୍ରୀ ରାଉତରାୟ କେବଳ ତଦନ୍ତର ନିରୀକ୍ଷଣ ପାଇଁ ଆସିଥିବା ପ୍ରତିକ୍ରିୟାରେ କହିଛନ୍ତି । ବିଭାଗର ନିରନ୍ତର ପ୍ରକ୍ରିୟା ମଧ୍ଯରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଭାଗର ତଦନ୍ତରେ ଅନେକ ସତ୍ୟ ଓ ତଥ୍ୟ ହାସଲ କରାଯାଇଛି । ଆଗକୁ ମଧ୍ୟ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିବ । ତଦନ୍ତର ଅଗ୍ରଗତି ନେଇ ସେ ସିଧାସଳଖ ଡିଜିଙ୍କୁ ରିପୋର୍ଟ ଦେବେ ବୋଲି ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *