Congress slams Odisha Govt over increasing Violence against women in Odisha
ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ, ଗଣ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ, ଛାତ୍ରବାସରେ ନାବାଳିକା ଗର୍ଭଧାରଣ ଓ ବିଭିନ୍ନ ଅତ୍ୟାଚାର ପ୍ରସଙ୍ଗକୁ ନେଇ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
 
ରାଜ୍ୟ ସରକାର, ପୋଲିସ ଓ ପ୍ରଶାସନ ଏହି ପ୍ରସଙ୍ଗକୁ ନେଇ ଆଦୌ ଚିନ୍ତିତ ନଥିବା ଜଣାପଡୁଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି କହିଲେ ଯେ, ଗତ ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ବେଳେ ଜଣେ ନାବାଳିକା ଝିଅ ଏବଂ ତାଙ୍କର ପୁରୁଷ ସାଙ୍ଗ ଧଉଳିରୁ ଫେରୁଥିବାବେଳେ ଲିଙ୍ଗିପୁର କେନାଲ ରୋଡ୍ ନିକଟରେ କିଛି ଦୁବୃର୍ତ୍ତ ତାଙ୍କର ୨୦ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେବା ସହ ସେମାନଙ୍କୁ ଅଟକାଇଥିଲେ । ତିନିରୁ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଏକ ନିର୍ଜନ ଅଞ୍ଚଳରେ ତାଙ୍କର ପୁରୁଷ ସାଙ୍ଗକୁ (ଯିଏ ମଧ୍ୟ ୧୭ ବର୍ଷର) ଗଛରେ ବାନ୍ଧିବା ପରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜଣେ ଅଭିଯୁକ୍ତଙ୍କର ହତ୍ୟା ଉଦ୍ୟମ ଏବଂ ଆକ୍ରମଣ ଭଳି ଅପରାଧିକ ଇତିହାସ ରହିଛି ଏବଂ ସେ ନିକଟରେ ଜାମିନରେ ମୁକୁଳିଥିଲେ ।
 
ଓଡ଼ିଶାରେ ବିଜେପି ସରକାରର ୧୮ ମାସରେ ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର, ଧର୍ଷଣ , ଗଣ ଧର୍ଷଣ ଓ ହିଂସାର ଅଭୂତପୂର୍ବ ବୃଦ୍ଧି ସତ୍ୱେ ସରକାର ଓ ପ୍ରଶାସନ ପୂରାପୁରି ନିର୍ବାକ ଓ ନିଷ୍କ୍ରିୟ ରହିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ୍ କଟୁ ଭାବରେ ନିନ୍ଦା କରୁଛି ବୋଲି ବାହିନିପତି କହିଥିଲେ । ସରକାର ନିଦା ବିଷ୍ଣୁ ସାଜି ମହିଳା ସୁରକ୍ଷା ପ୍ରସଙ୍ଗକୁ ଆଖି ବୁଜି ଦେଇଛନ୍ତି । ଦିନକୁ ଦିନ ମହିଳା ନିର୍ଯ୍ୟାତନା ବୃଦ୍ଧି ପାଉଥିବା ଉଦାହରଣ ଦେଇ କହିଥିଲେ ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ନିର୍ମମ ଗଣବଳାତ୍କାର ଘଟଣା, ମାଲକାନଗିରିରେ ଜନୈକ ୪୫ ବର୍ଷର ବ୍ୟକ୍ତି ଦ୍ୱାରା ୫–୭ ବର୍ଷର ତିନି ନାବାଳିକା ଉପରେ ଅମାନବୀୟ ବଳାତ୍କାର ତଦନ୍ତର ଧୀରଗତି, ଏବଂ ହୃଦୟ ଥରେଇ ଦେବା ଭଳି କଟକ ଏସସିବି ମେଡିକାଲର ଆଇସିୟୁରେ ଏକ ମହିଳାଙ୍କୁ ଅଟେଣ୍ଡାଣ୍ଟଙ୍କ ଅସଦାଚର ଘଟଣା ସରକାରର ଅକ୍ଷମତା, ଅବହେଳା ଓ ରାଜ୍ୟ ଆଇନ୍ ବ୍ୟବସ୍ଥା ଧ୍ୱସ୍ତ ହେଉଥିବାକୁ ସ୍ପଷ୍ଟ କରୁଛି ।
 
ପୁରୀ, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର, ଗୋପାଳପୁର ଓ ରାୟଗଡ଼ାରେ ପ୍ରତି ସପ୍ତାହରେ ପ୍ରାୟ ମହିଳା ନିର୍ଯ୍ୟାତନା ଘଟଣା ଘଟୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ । ମାଆକୁ ସମ୍ମାନ ମିଥ୍ୟା ସ୍ଲୋଗାନ ଦେଇଥିବା ପୂର୍ବ ସରକାରର ନିତି ବର୍ତ୍ତମାନ ମଧ୍ୟ ବିଜେପି ସରକାରରେ ସେହି ସ୍ଲୋଗାନରେ ହିଁ ରହିଯାଇଛି । ଡବଲ ଇଞ୍ଜିନ ସରକାରରେ ମହିଳା ଅସୁରକ୍ଷିତ ଡବଲ ମାତ୍ରାରେ । ବିଜେପି ସରକାର ଆସିବା ପରଠାରୁ ରାଜ୍ୟରେ ୪୦,୦୦୦ ହଜାରରୁ ଉର୍ଦ୍ଧ ମହିଳାଙ୍କୁ ଅସଦାଚରଣ, ଗଣ ଦୁଷ୍କର୍ମ, ଧର୍ଷଣ ଆଦି ବିଭିନ୍ନ ନିର୍ଯ୍ୟାତନା, ମହିଳା ଅପହରଣ, ହତ୍ୟା ଭଳି ସୁଶାସନର ଘଟଣା ଘଟିଛି ।
 
ରାଜ୍ୟର ମହିଳା ଉପମୁଖ୍ୟମନ୍ତ୍ରି ଓ ମହିଳା ବାଚସ୍ପତି ଥାଇ ମଧ୍ୟ ମହିଳା ସୁରକ୍ଷା ପାଇଁ ନା ତତ୍ପରତା ଅଛି ନା ଲୋକଙ୍କ ସରକାରରେ କାର୍ଯ୍ୟକାରିତା କି ଆନ୍ତରିକତା ଅଛି ବୋଲି ବାହିନିପତି ପ୍ରଶ୍ନ କରିଛନ୍ତି? ଖାକି ବର୍ଦି ନେତା ମନ୍ତ୍ରୀଙ୍କ ସୁରକ୍ଷା ଦେବାରେ ବ୍ୟସ୍ତ । ସାଧାରଣ ଜନତାଙ୍କୁ ପଚାରେ କିଏ । ଖାକି ବର୍ଦୀର ତତ୍ପରତା ଓ କାର୍ଯ୍ୟକାରିତା ନଥିବା ହେତୁ ମହିଳା ଅଧିକ ମାତ୍ରାରେ ନିର୍ଯାତିତ ଓ ଅସୁରକ୍ଷିତ । ତେଣୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ୍ ତତ୍କାଳ ଫାସ୍ଟ-ଟ୍ରାକ୍ ବିଚାର, ବିଶେଷ ମହିଳା ତଦନ୍ତ ଦଳ ଗଠନ, ଦାୟୀ ପୋଲିସ୍ ଅଧିକାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କୁ ସୁରକ୍ଷା–ପରାମର୍ଶ–ଆଇନ ସହାୟତା ଦେବାକୁ ଦୃଢ଼ ଦାବି କରୁଛି । ଈଶ୍ୱର ସାହାଯ୍ୟ କରନ୍ତୁ ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ଓଡ଼ିଶା ଆଉ ଆନ୍ତର୍ଜାତିୟ କ୍ଷେତ୍ରରେ ନିନ୍ଦିତ ନ ହେଉ । ମହିଳା ସୁରକ୍ଷା ରାଜନୀତିର ବିଷୟ ନୁହେଁ, ଏହା ସରକାରର ମୂଳ କର୍ତ୍ତବ୍ୟ; ଏଭଳି ନିଷ୍କ୍ରିୟତା ଜାରି ରହିଲେ ଓଡ଼ିଶାର ମହିଳାମାନେ କେବେ ଚୁପ୍ ରହିବେନାହିଁ, ରାଜରାସ୍ତାରୁ ବିଧାନସଭା ଯାଏଁ ମହିଳା ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଲଢେଇ ହେବ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବାହିନିପତି ।
 
ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର ଓ ଜୟଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *