ବିଧାନସଭାକୁ ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ପରେ ଆଜି ବିଧାନସଭା ପହଞ୍ଚିଲେ ତାରା ବାହିନୀପତି । ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଆଜି କଂଗ୍ରେସ ବିଧାୟକମାନେ କଳା କପଡ଼ା ପିନ୍ଧିବା ସହିତ ହାତରେ ଘଣ୍ଟା, ତୁରୀ ଧରି ଗୃହ ଭିତରକୁ ପ୍ରବେଶ କରିଥିଲେ ।

ଏହା ସହ ଆଜି ବିଧାନସଭା ଆରମ୍ଭରୁ ଦେଖା ଦେଇଛି ହୋହଲ୍ଲା। ଘଣ୍ଟ ନାଦରେ ନୀରବି ଗଲା ପ୍ରଶ୍ନକାଳ । ଆଜି ଗୃହରେ ବାଚସ୍ପତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉତ୍ତର ରଖିବାକୁ କହିଥିଲେ । ହେଲେ ପୂର୍ବ ପ୍ରସ୍ତୁତି ସହିତ ଗୃହକୁ ଆସିଥିବା କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନାକୁ ନେଇ ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ବିରୋଧୀ ବିଧାୟକମାନେ ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସିଥିଲେ ଏବଂ ଘଣ୍ଟ, ତୁରୀ, ବଂଶୀ, ଝାଞ୍ଜ, ଗିନି ଆଦି ବାଦ୍ୟଯନ୍ତ୍ର ବଜାଇ ଗୃହରେ କମ୍ପନ ସୃଷ୍ଟି କରିଥିଲେ । ତାରା ବାହିନୀପତି ବାଚସ୍ପତିଙ୍କ ମୁହଁ ସାମ୍ନାରେ ଘଣ୍ଟ ବାଡ଼େଇଥିଲେ । ଫଳରେ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ସମ୍ଭବ ହୋଇପାରି ନ ଥିଲା । ବାଚସ୍ପତି ସମସ୍ତ ସଦସ୍ୟକୁ ଆସନକୁ ଫେରି ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ସ୍ଥଗିତ ରଖିଥିଲେ ।

Leave a Reply

Your email address will not be published. Required fields are marked *