ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଛନ୍ତି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ। ଏହାସହିତ ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିକାରୀମାନଙ୍କୁ ଭେଟିବେ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ।

ଅନ୍ୟପଟେ ସିଙ୍ଗାପୁର ଯିବା ପୂର୍ବରୁ ବିମାନବନ୍ଦର ପରିସରରେ ମୋହନ ମାଝୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ମୁଁ ସିଙ୍ଗାପୁର ଗସ୍ତରେ ଯାଉଛି । ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ। ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ । ନିବେଶକଙ୍କୁ ଭରପୂର ସୁଯୋଗ ମିଳିବ । ଏହା ସହ ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା । ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ଆଲୋଚନା ହେବ। ବରିଷ୍ଠ ଶିଳ୍ପପତିଙ୍କୁ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ପାଇଁ ନିମନ୍ତ୍ରଣ କରିବୁ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଶିଳ୍ପାୟନ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ସେଠାରେ କେମିକାଲସ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ସେହି କମ୍ପାନୀର ଶୀର୍ଷ ନେତୃତ୍ୱଙ୍କ ସହ ଓଡ଼ିଶା ଆଲୋଚନା କରିବ।

Leave a Reply

Your email address will not be published. Required fields are marked *