ଆଉ ଗୋଟିଏ ଦିନ ପରେ ମୋହନ ମାଝୀଙ୍କ ସରକାର ଏକ ବର୍ଷ ପୂରଣ କରିବ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି । ସଂକଳ୍ପ ପତ୍ରରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି । ତେବେ ଗତ ଏକ ବର୍ଷ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ଲୋକଙ୍କ ସରକାର ପୂରଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଶିଶୁ ବିକାଶ କ୍ଷେତ୍ରରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ‘ବର୍ଷ ଏକ, ସଫଳତା’ ଅନେକ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ମାନନୀୟ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା।

 

ଓଡିଶାର ଗଣ ମାଧ୍ୟମକୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଆପଣମାନେ ସରକାରଙ୍କ କାର୍ଯ୍ୟକ୍ରମର ରୂପରେଖ, ସଫଳତା ଏବଂ ବିଭିନ୍ନ ସମସ୍ୟା ଇତ୍ୟାଦି ଲୋକଙ୍କୁ ଜଣାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଗଠନମୂଳକ ସମାଲୋଚନା ମାଧ୍ୟମରେ ବି ହେଉ, ସକାରାତ୍ମକ ମତାମତ ଦ୍ଵାରା ଆମ ସରକାରଙ୍କୁ ଚଳ ଚଞ୍ଚଳ କରି ରଖିବାରେ ଆପଣମାନଙ୍କର ଭୂମିକା ଉଲ୍ଲେଖଯୋଗ୍ୟ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି। ଆମର ସବୁ ଉଦ୍ୟମରେ ସେ ଆମ ପାଖକୁ ଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି। ଆଗାମୀ ୨୦ ତାରିଖରେ ମଧ୍ୟ ସେ ଷଷ୍ଠ ଥର ପାଇଁ ଓଡିଶା ଆସିବେ ଏବଂ ଓଡିଶାବାସୀଙ୍କ ସେବା କରିବା ପାଇଁ ଆମକୁ ପ୍ରେରଣା ଦେବେ। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ମୁଁ ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି।

 

୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବାର ସ୍ୱଳ୍ପ ସମୟ ମଧ୍ୟରେ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ସୁଭଦ୍ରା ଯୋଜନା ଲାଗୁ କରିବା ସହିତ, ଧାନ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮ ଶହ ଟଙ୍କା ବୃଦ୍ଧି, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଏବଂ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଶପଥ ନେବାରୁ ପରଦିନ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲାଯାଇଥିଲା । ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛୁ । ସେହିପରି ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍‌ କରିଛୁ, ଯାହାକି ପୂର୍ବ ସରକାର କରି ନ ଥିଲେ । ଏପରିକି ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍ କୋର୍ଡରେ ଯୋଡ଼ି କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୬ ବର୍ଷ ପରେ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି‘ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ସେହିପରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରୁଥିବା ସରକାର କେବେବି କୌଣସି ଅଧିକାରୀଙ୍କ ଛାଡ଼ିବେ ନାହିଁ ବୋଲି ପୁଣି ଥରେ ଚେତାଇ ଦେଇଛନ୍ତି ମୋହନ ମାଝୀ । ପିଅନଠାରୁ ଆରମ୍ଭ କରି ଆଇଏଏସ୍ କାହାକୁ ଛଡ଼ା ଯାଉ ନାହିଁ । ଦୁର୍ନୀତି କଲେ ଜେଲ ଯିବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଜନତାଙ୍କ ପାଇଁ ଖୋଲିଛି । ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆର ମୁହଁକୁ ଯାଉଛନ୍ତି ବୋଲି କହିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛୁ । ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱର ସହରରେ ସୀମିତ ନାହିଁ ବରଂ ଜିଲ୍ଲାବ୍ୟାପୀ କରାଯାଇଛି ।

ଚଳିତ ବର୍ଷ ପୂରଣ ହେବ ୪୦ ହଜାର ପଦବୀ 

ସେହିପରି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାରୋଟି ବର୍ଗଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଚାରୋଟି ବର୍ଗ ହେଲେ ଗରିବ, ଅନ୍ନଦାତା, ଯୁବ ବର୍ଗ ଓ ମହିଳାଙ୍କ ଗୁରୁତ୍ୱ ଦିଆଯାଇଛି । ବିଗତ ଏକ ବର୍ଷ ମଧ୍ୟରେ ୨୮, ୦୦୦ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସଂକଳ୍ପ ଦିଆଯାଇଥିବା ଦେଢ଼ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପରିଶେଷରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ‘ବର୍ଷ ଏକ, ସଫଳତା ଅନେକ’ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *