ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଟଙ୍କା ପ୍ରଦାନ କରାଯାଇଛି ।

୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ଆଜି କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୪୧ କୋଟିରୁ ଅଧିକ ଟଙ୍କାର ସି.ଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତିର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ପ୍ରଦାନ କରାଗଲା । ଭାଦ୍ରବ ମାସରେ ନୂଆଁଖାଇ ଅବସରରେ, ନୂତନ ଶସ୍ୟ ଦେବାଦେବୀଙ୍କୁ ଲାଗି ହେବାପରେ ଆଶ୍ୱିନ ମାସରେ ଆମ ରାଜ୍ୟରେ ପ୍ରାକ୍-ରବି କୃଷି କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏଥିପାଇଁ ଏହି ଯୋଜନାର ସହାୟତା ଚାଷୀମାନଙ୍କୁ ଆଗୁଆ ଯୋଗାଇ ଦିଆଯାଉଛି। ଆମ ସରକାର ସର୍ବଦା ଚାଷୀ-କେନ୍ଦ୍ରିକ ନୀତିରେ ବିଶ୍ୱାସ କରେ । କାରଣ ଚାଷୀଙ୍କ ପରିଶ୍ରମ ବିନା ଆମର ସମାଜ, ସଂସ୍କୃତି ଓ ଅର୍ଥନୀତି ଅସମ୍ପୂର୍ଣ୍ଣ । ଆମ ସରକାରଙ୍କ ସର୍ବଶ୍ରେଷ୍ଠ ନିବେଶ ହେଉଛି ଚାଷୀଙ୍କୁ ସୁରକ୍ଷା । ଆମେ ସେମାନଙ୍କୁ କେବଳ ସହାୟତା ଦେଉନାହୁଁ ବରଂ ସେମାନଙ୍କ ଆଶା-ଭରସାରେ ସହଭାଗୀ ହୋଇ ଠିଆ ହୋଇଛୁ। ଆପଣମାନେ ସମସ୍ତେ ଆମ ସରକାରଙ୍କ ଚାଷୀ ସମାଜ ପାଇଁ ପ୍ରତିବଦ୍ଧତା ବିଷୟରେ ଅବଗତ ଅଛନ୍ତି। ଗତ ଚଉଦମାସ ମଧ୍ୟରେ ଆପଣମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ହେଉ କିମ୍ବା ବିପର୍ଯ୍ୟୟ ସମୟରେ ସହାୟତା ହେଉ, ଆମ ସରକାର ତୁରନ୍ତ ଯୋଗାଇ ଦେଇଛନ୍ତି ଏବଂ ଏଥିରେ କୌଣସି ପ୍ରକାର କାର୍ପଣ୍ୟତା ଦେଖାଇ ନାହାନ୍ତି। ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁ ଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ। ଆମ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ । ଆମ ରାଜ୍ୟର ୮୨ ପ୍ରତିଶତରୁ ଅଧିକ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଏହା ବ୍ୟତୀତ ରାଜ୍ୟର ଏକ ମୁଖ୍ୟ ଗୋଷ୍ଠୀ, ଭୂମିହୀନ କୃଷି ପରିବାର ମଧ୍ୟ କୃଷି କାର୍ଯ୍ୟରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରିଥାନ୍ତି । ଏହିପରି ସମସ୍ତ ଅଭାବୀ ଚାଷୀ ପରିବାରକୁ ଆର୍ଥିକ ସ୍ୱାବଲମ୍ବୀ କରିବାପାଇଁ ଆମ ସରକାର ନିଜସ୍ୱ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଏକ ଅଭିନବ କୃଷକ କଲ୍ୟାଣକାରୀ ଯୋଜନା । ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ନିମନ୍ତେ ବିହନ ଓ ସାର କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ଏହି ଯୋଜନାର ବିଶେଷତ୍ୱ ।

ସେପଟେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ । କେତେ ଦିନ ବଢିବ , ତାହା ଖୁବ୍ ଶୀଘ୍ର ଘୋଷଣା ହେ ବ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । ତେଣୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଖୁବ୍ ଶୀଘ୍ର ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *