ଚଳିତ ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ ନମ୍ବରରୁ ୫୦୦ ନମ୍ବର ହାସଲ କରିଥିବା ଦୁଇ ସିବିଏସଇ ଦଶମ ଶ୍ରେଣୀ ଟପ୍ପର ଟିନା ରଥ ଏବଂ ଆଲିଶା ବିଶ୍ୱାଲ ଗୁରୁବାର ଦିନ ଭୁବନେଶ୍ୱରର ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅସାଧାରଣ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ଉଭାୟଙ୍କୁ ସମ୍ବର୍ଦ୍ଧିତ କରି ରୂପା ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଭବିଷ୍ୟତରେ ସେମାନେ ଦୁଇ ଜଣ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ କହିଥିଲେ । ଆଲୋଚନା ସମୟରେ, ଉଭୟ ଛାତ୍ର ସେମାନଙ୍କର କ୍ୟାରିଅର ଆକାଂକ୍ଷା ବାଣ୍ଟିଥିଲେ। ଟିନା ରଥ କହିଥିଲେ ଯେ ସେ ହୃଦରୋଗ ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଯେତେବେଳେ ଆଲିଶା ବିଶ୍ୱାଲ ନ୍ୟୁରୋଲୋଜି ପାଇଁ ତାଙ୍କର ମହତ୍ତ୍ୱାକାଂକ୍ଷା ପ୍ରକାଶ କରିଥିଲେ। ସେମାନଙ୍କ ଲକ୍ଷ୍ୟକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ନିଷ୍ଠା ଓ ପରିଶ୍ରମ ଜାରି ରଖି, ନିଜର ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଟିନା ରଥ ପୁରୀର Mother’s Public Schoolରେ ଅଧ୍ୟୟନ କରୁଥିବା ବେଳେ, ଆଲିଶା ବିଶ୍ୱାଳ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଅଧ୍ୟୟନ କରି, ୫୦୦ରୁ ୫୦୦ ମାର୍କ ରଖି ରାଜ୍ୟକୁ ଗର୍ବିତ କରିବା ସହ ଦୁହେଁ ଓଡ଼ିଶାର ସିବିଏସଇ ଟପର୍ ଭାବେ ପରିଚିତ ହୋଇଛନ୍ତି। ପୁରୀର ଟିନା ରଥଙ୍କ ପିତା ସମୀର କୁମାର ରଥ ଓ ମାତା ରେଣୁ ପ୍ରଭା ଦାସ। ସେହିପରି, ଭୁବନେଶ୍ୱର ୟୁନିଟ୍-୯ ରେ ବାସ କରୁଥିବା ଆଲିଶା ବିଶ୍ୱାଳଙ୍କ ପିତା ହେଉଛନ୍ତି ସୁଦର୍ଶନ ବିଶ୍ୱାଳ ଓ ମାତା ସୌଦାମିନୀ ମଲ୍ଲିକ୍। Post navigation CBSE Class X Results: ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା Heatwave Intensifies in Odisha: ୧୪ ସହର ତାପମାତ୍ରା ୪୦ ଡିଗ୍ରୀ ପାର୍; ୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର