ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିଥିବା ଘଟଣାରେ ମୃତ ସଂଖ୍ୟା ୩କୁ ବୃଦ୍ଧି।ବିମାନବନ୍ଦରର ଟର୍ମିନାଲ-୧ର ଛାତର ଏକ ଅଂଶ ଭୁଶୁଡ଼ି ସେଠାରେ ଥିବା ଗାଡ଼ି ଉପରେ ପଡ଼ିଯାଇଥିଲା। ଫଳରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ମୃତ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଟର୍ମିନାଲ ଛାତ ତଳେ ଫସି ରହିଥିବା ଲୋକଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ରାମମୋହନ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ବିମାନବନ୍ଦର ବାହାରେ ଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ସିଆଇଏସଏଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଛାତ ଭୁଶୁଡିବାରୁ ଚାପି ହୋଇ ରହିଥିବା ଏକାଧିକ କାର ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଆଉ ଯେମିତି କେହି ଆହତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯାଇଛି। ବାକି ଟର୍ମିନାଲ ବିଲଡିଂ ବନ୍ଦ ହୋଇଯାଇଛି ଏବଂ ସବୁକିଛି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି।

ଛାତ ଭୁଶୁଡ଼ିବା ପରେ ଟର୍ମିନାଲ‌ର ସମସ୍ତ କାର୍ଯ୍ୟ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ବିମାନଗୁଡ଼ିକର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଷୋହଳ ବିମାନ ଉଡ଼ାଣ ଏବଂ ୧୨ ଟି ଆଗମନ ବିମାନ ମଧ୍ୟରାତ୍ରିରୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *