ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ପିତା ଏକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ଥିବାରୁ ସେ ତୃତୀୟ ଦିନର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଜରୁରୀକାଳୀନ ଭିତ୍ତିରେ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ତେବେ ନୂଆଦିଲ୍ଲୀ ଫେରିଯିବା ପୂର୍ବରୁ ସେ ଓଡ଼ିଶାର କଳା, ସ୍ଥାପତ୍ୟ, ଆତିଥ୍ୟ, ପ୍ରାକୃତିକ ବିଭବର ଭୁରିଭୁରି ପ୍ରଶଂସା କରିଛନ୍ତି। ସେ ପୁଣି ଥରେ ଓଡ଼ିଶା ଆସିବେ ବୋଲି କହିଛନ୍ତି।

ରବିବାର ସକାଳେ ସିଇସି କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କମିଶନରଙ୍କୁ ରଘୁରାଜପୁର ବୁଲାଇ ଦେଖାଇଥିଲେ। କମିଶନର ପ୍ରତ୍ୟେକ ଘରେ କଳାକୃତି ଦେଖ୍ ଆନନ୍ଦ ପ୍ରକାଶ କରିଥିଲେ। ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । ରଘୁରାଜପୁର ପଟ୍ଟଚିତ୍ର, ଗୋବର କଣ୍ଢେଇ,ପେପର ମାସ୍କ ଆଦିକୁ ଦେଖିଥିଲେ ସିଇସି ।

ପଟ୍ଟଚିତ୍ରରେ ନିଖୁଣ ଭାବେ ଚିତ୍ରିତ ହୋଇଥିବା ବିଭିନ୍ନ ବିଷୟବସ୍ତୁ, ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା, ରାମାୟଣ, ମହାଭାରତ, କୃଷ୍ଣଲୀଳାକୁ ଦେଖିବା ସହ କାରିଗରଙ୍କୁ ପଚାରି ବୁଝିଥିଲେ । ଗ୍ରାମର କଳା କାରିଗରୀକୁ ଦେଖି ବିମୋହିତ ହୋଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଆଗରେ ଓଡ଼ିଶାର ପୁରାତନ ଲୋକକଳା ଗୋଟିପୁଅ ନୃତ୍ୟ କୁନିକୁନି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା ।

ରଘୁରାଜପୁର ଆସି ଏହି ଜଳାକୃତି ଦେଖିବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ଏସ୍‌ପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଫେରିବା ବାଟରେ ସେ ଧଉଳି ଶାନ୍ତିସ୍ତୁପ ଓ ପାଖରେ ଥିବା ଶିଳାଲେଖ ପରିଦର୍ଶନ କରି ବୌଦ୍ଧ ସଂସ୍କୃତି ଓ ଏହାର ଇତିହାସ ସମ୍ବନ୍ଧରେ ବୌଦ୍ଧ ସନ୍ୟାସୀଙ୍କ ଠାରୁ ଅବଗତ ହୋଇଥିଲେ । ଶାନ୍ତିସ୍ତୁପ ଉପରୁ ଭୁବନେଶ୍ୱର ସହର ଓ ଦୟା ନଦୀର ସୌନ୍ଦର୍ଯ୍ୟ ଅତୀବ ଚମତ୍କାର । ଭାରତ ଶାନ୍ତି ଓ ମୈତ୍ରୀ ପାଇଁ ସାରା ବିଶ୍ୱରେ ପରିଚିତ। ଧଉଳି ଶାନ୍ତିସ୍ତୁପରୁ ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ଅଧିକରୁ ଅଧିକ ସମ୍ପ୍ରସାରିତ ହେଉ ବୋଲି ସେ କାମନା କରିଥିଲେ ।

ଅପରାହ୍ନରେ ମୁଖ୍ୟ ନିର୍ବାଚନ କମିଶନର ଉଦୟଗିରି ପାହାଡ଼ ଓ ତା ମଧ୍ୟରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ । ୨୦୦୦ ହଜାର ବର୍ଷ ପୂର୍ବରୁ ଏଭଳି ସୁନ୍ଦର ଓ ନିଖୁଣ ଗୁମ୍ଫା ଓ କାରୁକାର୍ଯ୍ୟ ଆମ ପୂର୍ବପୁରୁଷମାନେ ନିର୍ମାଣ କରିପାରିଥିଲେ ତାହା ଆଶ୍ଚର୍ଯ୍ୟାନ୍ବିତ ଓ ଗୌରବାନ୍ୱିତ କରୁଛି । ତା’ଠାରୁ ଅଧିକ ଆନନ୍ଦ ଦେଉଛି ଆମର ହଜାର ହଜାର ବର୍ଷର ସମୃଦ୍ଧ ସଂସ୍କାର ଓ ସଂସ୍କୃତି ଉଦୟଗିରି ପାହାଡ଼ରେ ଆଜି ମଧ୍ୟ ଜୀବନ୍ତ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରେ ସେ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରାଚୀନ କଳିଙ୍ଗ ଭାସ୍କର୍ଯ୍ୟ ଦ୍ୱାରା ପ୍ରଭାବିତ ହେବା ସହ ସପରିବାର ଦେବାଦେବୀଙ୍କ ଆଶୀର୍ବାଦ ନେଇଥିଲେ ।

ସିଇସିଙ୍କ ସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଆସ୍ ଗୋପାଳନ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଗୋପୀନାଥ କଅଁର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ, ସ୍ଥାନୀୟ ପ୍ରଶାସନ, ଏଏସ୍‌ଆଇ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *