ଓଡ଼ିଶାର ନୂଆ ତଥା ୪୪ତମ ରାଜ୍ୟପାଳ ଭାବେ ବ୍ରଜମୋହନ ରାମ ରବିବାର ଶପଥ ଗ୍ରହଣ କରିବେ । ଶନିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ସହ ପତ୍ନୀ ଲୀଲା ଦେବୀ ମଧ୍ୟ ଓଡ଼ିଶା ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ରବିବାର ସକାଳ ୧୧ଟାରେ ଲୋକଭବନରେ ଶପଥ ଗ୍ରହଣ ଉତ୍ସବ ହେବ । ଝାଡ଼ଖଣ୍ଡର ୬୮ ବର୍ଷୀୟ ବ୍ରଜମୋହନ ରାମ ତିନିଥର ସାଂସଦ ଓ ଥରେ ବିଧାୟକ ରହିଛନ୍ତି । ଦୀର୍ଘ ରାଜନୈତିକ ଅଭିଜ୍ଞତା ସତ୍ତ୍ୱେ ରାଜ୍ୟପାଳ ଭାବେ ସାମ୍ବିଧାନିକ ନିରପେକ୍ଷତା ବଜାୟ ରଖିବା, ରାଜ୍ୟ ସରକାର ଓ ବିରୋଧୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ତାଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେବ । ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ଓ ସଂସ୍କାର ଆଣିବା ମଧ୍ୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଜଣେ ଦଳିତ ନେତା ଭାବେ ଦଳିତ ଓ ଆଦିବାସୀ ସମାଜର ଆଶା ପୂରଣ ଦିଗରେ ମଧ୍ୟ ତାଙ୍କଠାରୁ ଆଶା ରହିବ । ରାଜ୍ୟପାଳ ଭାବେ ନିଯୁକ୍ତି ପରେ ବିଜେପି ସଂଗଠନ ସମ୍ପର୍କରେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ହୋଇଥିଲା । ପରେ ସେ ସ୍ପଷ୍ଟୀକରଣ ଦେଇଥିଲେ । ଏବେ ଶପଥ ଗ୍ରହଣ ପରେ ତାଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ନଜର ରହିବ । ବିଦାୟୀ ରାଜ୍ୟପାଳଙ୍କ ଅଧୂରା କାର୍ଯ୍ୟକୁ ଆଗକୁ ନେବା ସହ ସାମ୍ବିଧାନିକ ସୀମା ମଧ୍ୟରେ ରହି ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ତାଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେବ । Post navigation Student Union Elections: ୬୦%ରୁ ଅଧିକ କଲେଜ ଓ ୫୦%ରୁ ଅଧିକ ବିଶ୍ୱବିଦ୍ୟାଳୟରେ ବିଜେଡି ଛାତ୍ର ସଂଗଠନର ବିପୁଳ ବିଜୟ: ନବୀନ ପଟ୍ଟନାୟକ