ବ୍ରହ୍ମପୁରର ବହୁପ୍ରତୀକ୍ଷିତ ଗେଟ୍ ବଜାର ଫ୍ଲାଇଓଭର ନିର୍ମାଣ କାର୍ଯ୍ୟକୁ ନେଇ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ସରକାରୀ ସ୍ତରରେ ଅବହେଳାକୁ ନେଇ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ପତ୍ରରେ ସାଂସଦ ଦର୍ଶାଇଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଓଭରବ୍ରିଜ୍ ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର କଂକ୍ରିଟ୍ ଓ ସାମଗ୍ରୀ ବ୍ୟବହୃତ ହେଉଛି, ଯାହା ଭବିଷ୍ୟତରେ ଏହାର ସ୍ଥାୟିତ୍ୱ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ କାର୍ଯ୍ୟସ୍ଥଳୀରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ପ୍ରତ୍ୟକ୍ଷ ତଦାରଖର ଅଭାବକୁ ସେ ସମାଲୋଚନା କରିଛନ୍ତି।

ସାଂସଦଙ୍କ ଏହି ପତ୍ରକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତଦନ୍ତ ପ୍ରକ୍ରିୟାରେ ନିର୍ମାଣ ସାମଗ୍ରୀର ଗୁଣାତ୍ମକ ମାନ, ନିର୍ଦ୍ଧାରିତ ମାନଦଣ୍ଡର ପାଳନ ଏବଂ ଉତ୍ତରଦାୟୀ ଅଧିକାରୀଙ୍କ ଭୂମିକାର ପରଖ କରାଯିବ। ପୂର୍ବରୁ ବିଳମ୍ବିତ ନିର୍ମାଣ ପାଇଁ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ, ବର୍ତ୍ତମାନର ଏହି ତଦନ୍ତ ନିର୍ଦ୍ଦେଶ ପ୍ରକଳ୍ପର ସ୍ୱଚ୍ଛତା ନେଇ ନୂଆ ସ୍ଥିତି ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *