ଗଣତାନ୍ତ୍ରିକ ଉପାୟରେ କ୍ଷମତା ହାସଲ କରିବାରେ ଅସମର୍ଥ ହୋଇ ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ‘ପଲିଟିକାଲ ରେଜିଷ୍ଟାନ୍ସ’ ବା ରାଜନୈତିକ ପ୍ରତିରୋଧ ଏବଂ ‘ଗଣତନ୍ତ୍ର ବଞ୍ଚାଓ’ ଆବରଣ ତଳେ ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ବିରୋଧରେ ଏକ ଗଭୀର ଷଡ଼ଯନ୍ତ୍ର ରଚାଯାଉଛି ବୋଲି ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ଅକ୍ଟୋବର ୧୦ ତାରିଖ ଦିନ ଦିଲ୍ଲୀରେ ପ୍ରତିବାଦ ସମୟରେ ଭାରତୀୟ କମ୍ୟୁନିଷ୍ଟ ଦଳ (ଏମ୍‌ଏଲ୍‌)ର ଛାତ୍ର ସଂଗଠନ ଏଆଇଏସ୍‌ଏର ଜାତୀୟ ସଭାପତି ନେହା ବୋରାଙ୍କ ଭଳି ଚରିତ୍ରଙ୍କୁ ସାମ୍ନାକୁ ଆଣି ରାହୁଲ ଗାନ୍ଧୀ ନିଜେ ରଚୁଥିବା ଅରାଜକତା ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛନ୍ତି। ନେହା ବୋରା ନିକଟରେ ବାଂଲାଦେଶର ‘ଜେନ୍-ଜି’ ଆନ୍ଦୋଳନକୁ ନିଜର ଆଦର୍ଶ ବୋଲି ବର୍ଣ୍ଣନା କରିବା ସହ ‘ଲାଲ୍ ସଲାମ୍’ ଜଣାଇଛନ୍ତି। ୨୦୨୪ ମସିହାରେ ବାଂଲାଦେଶରେ ଘଟିଥିବା ଘଟଣାବଳୀ ସମୟରେ ହିଂସା, ବ୍ୟାପକ ଅଶାନ୍ତି ଏବଂ ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ ୧୪୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଭଳି ଏକ ରକ୍ତାକ୍ତ ଓ ଧ୍ୱଂସକାରୀ ମଡେଲକୁ ଗୌରବାନ୍ୱିତ କରୁଥିବା ବ୍ୟକ୍ତିବିଶେଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ରାହୁଲ ଗାନ୍ଧୀ କେଉଁ ରାଜନୈତିକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ଆଇନଜୀବି ପ୍ରଶାନ୍ତ ଭୂଷଣ ନିଜ ‘ଟ୍ୱିଟର ସ୍ପେସ୍‌’ ଆଲୋଚନାରେ ‘ବିପ୍ଳବ ଓ ରକ୍ତପାତ’ ବିଷୟରେ ବକ୍ତବ୍ୟ ଦେବାର ମାତ୍ର ୨୪ ଘଣ୍ଟା। ମଧ୍ୟରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ମିଳିତ ପ୍ରେସ କନ୍ଫରେନ୍ସ କରିବା ଏକ ଗମ୍ଭୀର ଚିନ୍ତାଜନକ ବିଷୟ ଅଟେ। ନବରାତ୍ରୀ, ଦଶହରା ଓ ଦୀପାବଳି ଭଳି ପବିତ୍ର ପର୍ବପର୍ବାଣୀ ସମୟରେ ଦେଶରେ ଅସ୍ଥିରତା ଓ ଦଙ୍ଗା ଭଳି ପରିବେଶ ସୃଷ୍ଟି କରିବାକୁ ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ପ୍ରଚେଷ୍ଟା କରାଯାଉଛି। ଭାରତରେ ବାଂଲାଦେଶ-ଶୈଳୀ ଆନ୍ଦୋଳନର ଅନୁକରଣ କରିବାକୁ ଆହ୍ୱାନ କରିବା କ’ଣ ରାହୁଲ ଗାନ୍ଧୀଙ୍କ ଅରାଜକତା ମାନସିକତାର ସ୍ପଷ୍ଟ ପ୍ରମାଣ ନୁହେଁ? ଯେଉଁ କଂଗ୍ରେସ ନିଜକୁ ଗଣତନ୍ତ୍ରର ରକ୍ଷକ ବୋଲି ଦାବି କରେ, ସେ ନେହା ବୋରାଙ୍କ ଭଳି ବ୍ୟକ୍ତିଙ୍କ ସମର୍ଥନରେ ଛିଡ଼ା ହୋଇ ଭାରତ ପାଇଁ ଏକ ହିଂସାତ୍ମକ ମଡେଲ କାହିଁକି ବାଛୁଛି? “ବାଂଲାଦେଶ ମଡେଲ’ର ସମର୍ଥକମାନଙ୍କ ସହ ଛିଡ଼ା ହୋଇ, କଂଗ୍ରେସ ଦଳ କିପରି ଗ୍ୟାରେଂଟି ଦେଇପାରିବ ଯେ ସେମାନଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିବ? ନେହା ବୋରାଙ୍କ ବକ୍ତବ୍ୟ, ‘କଙ୍କାଳ’ ଟି-ସାର୍ଟର ବିଶ୍ୱବ୍ୟାପୀ ପ୍ୟାଟର୍ନ ଏବଂ ରକ୍ତପାତ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଆହ୍ୱାନ ଏସବୁ ଏକତ୍ରିତ ଭାବେ ଭାରତୀୟ ରାଷ୍ଟ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇଙ୍ଗିତ କରୁନାହିଁ କି ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଭାରତର ଗଣତନ୍ତ୍ର ଜନସାଧାରଣଙ୍କ ବିଶ୍ୱାସ, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ମଜବୁତି ଏବଂ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରତିଯୋଗିତା ଉପରେ ଆଧାରିତ। ଗଣତନ୍ତ୍ରରେ ସରକାରଙ୍କ ସମାଲୋଚନା ଏବଂ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ପ୍ରତିବାଦ ନାମରେ ହିଂସା କିମ୍ବା ସାମ୍ବିଧାନିକ ବ୍ୟବସ୍ଥାକୁ ଅସ୍ଥିର କରିବାର କୌଣସି ପ୍ରବୃତିକୁ ସମର୍ଥନ କରାଯାଇପାରିବ ନାହିଁ ବୋଲି ସ୍ମୃତି ପଟ୍ଟନାୟକ ସିଧାସଳଖ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *