ପୂର୍ବ ଶାସକ ଦଳ ବିଜଦ ପରିସ୍ଥିତିକୁ ନେଇ ଚିନ୍ତିତ ଭାଜପା ହାଇକମାଣ୍ଡ । ଚିନ୍ତିତ ହେବା କଥା ବି । ଏହି ଆଞ୍ଚଳିକ ଦଳଟିରେ ବିଭାଜନର ପଦଧ୍ୱନି ଶୁଭିଲାଣି। ସଭାପତି ଭାବେ କୌଣସି ଦାୟିତ୍ଵ ନିର୍ବାହ କରୁ ନଥିବା ନବୀନ ପଟନାୟକ ଏକଥା ମଧ୍ୟ ବୁଝିସାରିଥିବେ । କେବଳ ଜଣିଏ ବ୍ୟକ୍ତିଙ୍କ ପାଇଁ ୨୮ ବର୍ଷର ଗୋଟିଏ ସଶକ୍ତ ଦଳ ଏବେ ସମ୍ପୂର୍ଣ୍ଣ ଦିଗହରା । କିନ୍ତୁ ନବୀନ ପଛକୁ ଫେରିବା ଅବସ୍ଥାରେ ନାହାନ୍ତି । ଏହାହିଁ ଭାଜପା ହାଇକମାଣ୍ଡଙ୍କ ଚିନ୍ତା ବଢ଼ାଇଛି।

ଯେଉଁସବୁ ରାଜ୍ୟରେ ଦୁଇମୁଖୀ ପ୍ରତିଦୃଦ୍ବିତା ହେଉଛି କଂଗ୍ରେସ ତୁଳନାରେ ଭାଜପା ଢେର ଆଗରେ ଅଛି । କିନ୍ତୁ ଏହିସବୁ ରାଜ୍ୟରେ କଂଗ୍ରେସର ସମ୍ଭାବନା ମଧ୍ୟ ରହିଛି। ଏବେ କଂଗ୍ରେସ ଦୁଇଟି ରାଜ୍ୟରେ ଅଛି । କର୍ଣ୍ଣାଟକ ଓ ହିମାଚଳପ୍ରଦେଶ। କିନ୍ତୁ ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଭାଜପାକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । କ୍ଷମତା ଯେକୌଣସି ପଟକୁ ଯାଇପାରେ । ବହୁମୁଖୀ ଲଢ଼େଇରେ କିଛି ଅଧ‌ିକ ସୁବିଧା ଭାଜପାକୁ ମିଳୁଛି । କିନ୍ତୁ ଯେଉଁଠି ଆଞ୍ଚଳିକ ବଳର ଦବଦବା, ସେସବୁ ରାଜ୍ୟରେ ଭାଜପା ଲାଗି କଠିନ ପରିସ୍ଥିତି ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗରେ କିନ୍ତୁ ମୁଖ୍ୟ ବିରୋଧୀ ଦଳ ଭାଜପା ତାମିଲନାଡ଼ୁରେ ମେଣ୍ଟ ବିନା ଭାଜପା ଆଗେଇ ପାରୁନାହିଁ । ଅବଶ୍ୟ ଏହି ରାଜ୍ୟରେ କୌଣସି ଜାତୀୟ ଦଳର ପତିଆରା ନାହିଁ । ଅଥଚ ଭାଜପାର ଭୋଟ ହାର ଆଖିଦୃଶିଆ ବଢ଼ିଛି।

ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏକ ସୁଦୃଢ଼ ଆଞ୍ଚଳିକ ଦଳ ବିଜଦକୁ କ୍ଷମତାଚ୍ୟୁତ କରି ରେକର୍ଡ଼ କରିଛି ଭାଜପା । କିନ୍ତୁ ବିଜଦର ଭୋଟ ହାର ୪୦ ପ୍ରତିଶତ ଉପରେ । ଯଦି ବିଜଦ ଦୁର୍ବଳରୁ ଦୁର୍ବଳତର ହୁଏ, ତେବେ ଫାଇଦା କଂଗ୍ରେସକୁ ଯିବ। ବିଜଦର ବିଭାଜନ ଘଟିଲେ କିମ୍ବା ନବୀନଙ୍କ ପରେ ଓଡ଼ିଶାରେ ପୁଣି ଦୁଇମୁଖୀ ପ୍ରତିଦୃନ୍ଦିତା ହେବ । ବାକି ଭାଜପା କିମ୍ବା କଂଗ୍ରେସ ସପକ୍ଷରେ ଯାଇପାରେ। ଏଥିପାଇଁ ଭାଜପାକୁ ସ୍ଥିତି ସୁଦୃଢ଼ କରିବାକୁ ହେଲେ ଆଞ୍ଚଳିକ ଦଳଟି ତ୍ରିଷ୍ଠି ରହିବା ଦରକାର ।

ଭାଜପାର ଆଶଙ୍କା ବା ଚିନ୍ତା କିଛି ଘଟଣାରୁ ବାରି ହୋଇପଡ଼ୁଛି । ମୁମ୍ବାଇ ହସ୍ପିଟାଲରେ ନବୀନ ୨୧ ଦିନ ରହିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଫୋନ୍ କରି ନଥିଲେ । କେବଳ ଏକ୍ସ’ରେ ନବୀନଙ୍କ ଆରୋଗ୍ୟ କାମନା କରିଥିଲେ । ମୁମ୍ବାଇରୁ ନବୀନ ଫେରିଥିଲେ ଜୁଲାଇ ୧୨ ତାରିଖରେ । ଅଗଷ୍ଟ ୧୭ ତାରିଖରେ ଅଲ୍ଟିମେଣ୍ଟ ହସ୍ପିଟାଲରେ ଭର୍ତ୍ତି ହେଲେ । ଅର୍ଥାତ ନିବାସରେ ଥିଲେ ୩୫ ଦିନ । କିନ୍ତୁ ଏହି ୫ ଦିନ ଭିତରେ ଥରୁଟିଏ ତାଙ୍କୁ ଦେଖ‌ିବାକୁ ଯାଇ ନଥିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ରାଜ୍ୟପାଳ ହରିବାକୁ କମ୍ଭବପାଟି। ଦୁଇଦିନ ହସ୍ପିଟାଲରେ ରହି ନବୀନ ନିବାସକୁ ଫେରିବା ପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ନବୀନ ନିବାସକୁ ଯାଇ ତାଙ୍କ ଭଲମନ୍ଦ ବୁଝିଲେ | ହସ୍ପିଟାଲରେ ଥିବାବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ । ଏହା ଏହାର କାରଣ କ’ଣ?

ସମ୍ଭାବ୍ୟ ବିଭାଜନଙକୁ ରୋକିବା ପାଇଁ ଏହା ଭାଜପା ହାଇକମାଣ୍ଡଙ୍କ ପ୍ରୟାସ। ଦେଖାଇବାକୁ ଚାହେଁ ଯେ ନବୀନ ରାଜନୀତିରେ ଗୁରୁତ୍ୱ ହରାଇ ନାହାନ୍ତି । ଭାଜପା ହାଇକମାଣ୍ଡ ଜାଣନ୍ତି ଯେ ବିଜୁ ଲିଗାସୀ ଓ ନବୀନଙ୍କ ଲୋକପ୍ରିୟତାର ଏକ ଭୋଟ ମୂଲ୍ୟ ଅଛି । ଏହି ଭୋଟ ଉପରେ ନଜର ଅଛି ଭାଜପାର । ଯେମିତି ବି ହେଉ ବିଜଦ ପାଖରେ ୩୦% ଭୋଟ ରହୁ । ଫଳରେ ଆସାମର ଏଜିପି ପରି ଓଡ଼ିଶାରେ ବିପ୍ଳବ ଭାଜପାର ସହାୟକ ଦଳ ହୋଇ ରହିପାରିବ । କଂଗ୍ରେସ ଉତ୍ତରଣକୁ ରୋକିହେବ।

ଯଦି କ୍ଷମତା ହସ୍ତାନ୍ତର ବିଜଦର ଆରମ୍ଭ ହୁଏ, ଏହା ଦଳକୁ ଆହୁରି ବିପର୍ଯ୍ୟସ୍ତ ନକରୁ । ଏହାହିଁ ହେଉଛି ଭାଜପାର ଉଦ୍ଦେଶ୍ୟ । ଏଣୁ ବିଜଦର ପାଣ୍ଡିଆନ ବିରୋଧୀ ଏବଂ ଓଡ଼ିଶାର ଜନତାଙ୍କୁ ଏକ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି ଭଜପା ହାଇକମାଣ୍ଡ । ନବୀନଙ୍କ ପ୍ରତି ଭାଜପାର ସବୁ ପ୍ରକାର ଶୁଭକାମନା ଅଛି । ନବୀନଙ୍କ ଅସମ୍ମାନିତ କରିବାକୁ କଦାପି ଭାଜପା ଚେଷ୍ଟା କରିବ ନାହିଁ ।

ଉପରାଷ୍ଟ୍ରପତି ନିର୍ବାଚନ ସହ ଭାଜପାର ଏହି ଆଭିମୁଖ୍ୟର କୌଣସି ସମ୍ପର୍କ ନାହିଁ । ଏମିତିରେ ବିଜଦ ଭୋଟ ଏନ୍‌ଡିଏ ସପକ୍ଷରେ ଯିବ । ତା’ଛଡ଼ା ଏନ୍‌ଡିଏ ଇଣ୍ଡି ମେଣ୍ଟଠାରୁ ବେଶ୍ ସୁବିଧାଜନକ ସ୍ଥିତିରେ ଅଛି । ତା’ଛଡ଼ା ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଏବେ ଭୋଟିଂ ହେଉନାହିଁ ।

Leave a Reply

Your email address will not be published. Required fields are marked *