ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଶଙ୍ଖ ଭବନରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ସରକାର ଗଠନକୁ ମାସେ ପୂରିନି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡା ପୁରାସ୍କାରର ନାଁ ପରିବର୍ତ୍ତନ ପାଇଁ ନେଇଥିବା ନିଷ୍ପତ୍ତି ତାଙ୍କ ଅସହିଷ୍ଣୁତା ଓ ଅପରିପକ୍ୱତାର ପରିଚୟ ଦେଇଛି ବୋଲି ବିଜେଡି ମୁଖପାତ୍ର ଡ଼. ଲେଖାଶ୍ରୀ ସାମନ୍ତରାୟ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେପି ସରକାର ବୋଧହୁଏ ଓଡ଼ିଶାର ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ନାଁ ହଟାଇବାକୁ ନେଇ ନିଆଯାଇଥିବା ନିଷ୍ପତ୍ତି ସାଢେ ୪ କୋଟି ଓଡ଼ିଆଙ୍କୁ ଗଭୀର ଆଘାତ ଦେଇଛି। ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜୁ ବାବୁ ଓଡ଼ିଆ ଜାତିର ଅସ୍ମିତାର ପରିଚୟ କି ନୁହେଁ।

କ୍ରୀଡା ପୁରାସ୍କାରରୁ ନାଁ ହଟାଇବା ନିଷ୍ପତ୍ତିରୁ ଜଣାପଡୁଛି ଓଡ଼ିଆ ଜାତି ବିଜୁ ବାବୁଙ୍କ ଅବଦାନକୁ ରାଜ୍ୟ ସରକାର ଠିକ ଭାବେ ବୁଝିନାହାନ୍ତି। ନାଁ ପରିବର୍ତ୍ତନ ପାଇଁ କାଲି ନିଷ୍ପତ୍ତି ନେଇ ଆଜି ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି କ୍ରୀଡା ପୁରସ୍କାରରେ ବିଜୁ ବାବୁଙ୍କ ନାଁ ରହିବ। ଏଭଳି ମତ ପାର୍ଥକ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାନ୍ତି ବୋଲି ଜଣାପଡିଛି। ଏଭଳି ଅପରିପକ୍ଵତା ପାଇଁ ବିଜେପି ଜନତାଙ୍କ ପାଖରେ ଲୋକହସା ନହେଉ। କ୍ରୀଡା ବିଭାଗ ଗୋଟିଏ ବିଜ୍ଞପ୍ତି ଜାରି କରୁଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି । ଅନ୍ୟପଟେ କ୍ରୀଡ଼ାମନ୍ତ୍ରୀଙ୍କୁ ଏ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିବେ କି ବୋଲି ଡ଼. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ସମ୍ବିଧାନରେ ଥିବା ସାମୂହିକ ଉତ୍ତରଦାୟିତ୍ୱ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିନଥିବା ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ହିତରେ କମ ଓ ପୂର୍ବ ବିଜେଡି ସରକାର ଏବଂ ତାଙ୍କ ନେତାଙ୍କ ବିରୋଧରେ ଆକ୍ରୋଶମୂଳକ ରାଜନୀତି କରି ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଶାସନ ଏକ ନିରନ୍ତର ପ୍ରକ୍ରିୟା ବୋଲି ବିଜେପି ସରକାର ଭୁଲିବା ଉଚିତ ନୁହେଁ। ବିଜେଡିର ୨୪ ବର୍ଷର ସୁଶାସନ ଓ ବିଜୁ ବାବୁଙ୍କ ଦଶନ୍ଧି ଦଶନ୍ଧି ଧରି ଅବଦାନକୁ ଜନମାନସ ଓ ଇତିହାସରୁ ହଟାଇବା ପାଇଁ କରୁଥିବା ନିନ୍ଦନୀୟ କାମରୁ ବିଜେପି ସରକାର କ୍ଷାନ୍ତ ରୁହନ୍ତୁ।

Leave a Reply

Your email address will not be published. Required fields are marked *