ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ । ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ ବଡ଼ ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ । କିନ୍ତୁ ସଂକଳ୍ପପତ୍ରରେ ଲେଖିଲେ ଦୁଇ ବର୍ଷରେ ୫୦ ହଜାର ଦେବୁ, ଏବେ କ‌ହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ ବର୍ଷରେ ୫୦ ହଜାର ଦେବୁ । ମିଛ କହିବା ହେଉଛି ବିଜେପିର ପ୍ରକୃତି।

ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ, ୧୮ରୁ ୨୧ ବର୍ଷ ମଧ୍ୟରେ ଥିବା ମହିଳା, ୬୦ ବର୍ଷରୁ ଊର୍ଦ୍ଧ୍ବ ମହିଳା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ, ବ୍ୟାଙ୍କସାଥୀ, ସ୍ୱଚ୍ଛ ସାଥୀ ସୁଭଦ୍ରା ଯୋଜନାରେ କ’ଣ ପାଇଁ ସାମିଲ ହୋଇପାରିବେ ନାହିଁ ? ଖାଲି ସେତିକି ନୁହେଁ ଯାହାଙ୍କ ଘରେ ଟ୍ରାକ୍ଟର, ପାଓ୍ବାରଟିଲର, ୪ ଚକିଆ ଯାନ, ୨ଟି ଦୁଇ ଚକିଆ ଯାନ ଥିବ ସେମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ । ଆୟକର ଦେଉଥିବା ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ କହିଥିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହେବେ । ବିଜେପିର ଏହା କୁସିତ ମାନସିକତା, ଲୋକଙ୍କୁ ଭୁଆଁ ବୁଲାଇବାରେ ବିଜେପି ମାହିର । ସୁଭଦ୍ରା ଯୋଜନା ହେଉଛି ଘରଭଙ୍ଗା ଯୋଜନା |

ଦଳର ଅନ୍ୟତମ ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଏସୋପି ଆସିଛି, ତାହା ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନୁହେଁ, ବରଂ ଯୋଜନାରୁ କିପରି ମହିଳା ବାଦ୍ ପଡ଼ିବେ ତାହା କରିଛନ୍ତି । ଓଡ଼ିଶାର ମହିଳା ବିଜେପିକୁ ବିଶ୍ଵାସ କରି ଭୋଟ ଦେଇଥିଲେ, କିନ୍ତୁ ବିଜେପି ତାଙ୍କ ବିଶ୍ଵାସରେ ବିଷ ଦେଇଛି । ବିଜେଡି ତରଫରୁ ଆମେ ଦାବି କରୁଛୁ ଯେ ସଂକଳ୍ପପତ୍ରରେ ବିଜେପି ଯାହା କହିଥିଲା ତାହା ପୂରଣ କରୁ ଏବଂ ପ୍ରତ୍ୟେକ ମହିଳାଙ୍କୁ ଏକକାଳୀନ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦିଆଯାଉ ।

Leave a Reply

Your email address will not be published. Required fields are marked *