ଗଞ୍ଜାମ ଜିଲାରେ ଭାରତୀୟ ଜନତା ପାର୍ଟିର କନ୍ଦଳ ବାବଦରେ ପୂର୍ବରୁ ଅନେକ ଖବର ପରିବେଷିତ ହୋଇଛି। କିନ୍ତୁ ଯାଜପୁର ଏମିତି ଏକ ଜିଲା, ସେଠାରେ ଉଭୟ ବିଜଦ ଓ ଭାଜପା ଅବସ୍ଥା ଖରାପ। ଏଭଳି ବିଚିତ୍ର ଅବସ୍ଥା ବୋଧହୁଏ ଅନ୍ୟ କୌଣସି ଜିଲାରେ ଦେଖୁବାକୁ ମିଳୁ ନଥିବ । ଯାଜପୁର ବିଜଦର ଗଡ଼ ଥିଲା । ନବୀନ ସରକାରଙ୍କ ଅମଳରେ ଅନ୍ୟତମ ପ୍ରଭାବଶାଳୀ ଓ ଶକ୍ତିଶାଳୀ ବିଧାୟକ ପ୍ରଣବ ପ୍ରକାଶ ଓରଫ ବବି ଦାସ ଏହି ଜିଲାରେ ଏକାଧିପତ୍ୟ ଜାହିର କରିଆସୁଥିଲେ । କିନ୍ତୁ କେଉଁ ହିସାବ କିତାବରେ କେଜାଣି ସମ୍ବଲପୁର ପରି ଏକ ପ୍ରତିକୂଳ ଲୋକସଭା ଆସନ ପାଇଁ ବବିଙ୍କୁ ପ୍ରାର୍ଥୀ କଲେ ନବୀନ । ଭାଜପା ଷ୍ଟ୍ରଙ୍ଗମ୍ୟାନ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ବବି ବହୁ ଭୋଟରେ ହାରିଲେ । ବବିଙ୍କ ସ୍ଥାନାନ୍ତର ଯୋଗୁ ଯାଜପୁରରେ ବିଜଦ ମୂଳ ଦୋହଲିଗଲା। ଏହାସତ୍ତ୍ୱେ ୭ଟି ବିଧାନସଭା ଆସନ ଭିତରୁ ୩ଟିରେ ଜିଣିଥିଲା ବିଜଦ। ତିନିଟି ଆସନ ଭାଜପା ହାତକୁ ଯାଇଥିବାବେଳେ ଗୋଟିଏ ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ରୋଚକ କଥାଟି ହେଲା ଯେ ଏହି ନିର୍ଦ୍ଦଳୀୟ ବିଧାୟକ ଜିଲା ରାଜନୀତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ଉଭୟ ବିଜଦ ଓ ଭାଜପା ସ୍ୱୀକାର କରୁଛନ୍ତି । ଆହୁରି ବି ରୋଚକ ହେଲା ନବୀନ ସରକାରଙ୍କ ଅମଳରେ ନମ୍ବର -୨ ଥିବା ବବି କୁଆଡ଼େ ନିର୍ଦ୍ଦଳୀୟ ବିଧାୟକ ହିମାଂଶୁ ସାହୁଙ୍କ ନିକଟରେ ଆନୁଗତ୍ୟ ପ୍ରକାଶ କରିଛନ୍ତି । ଏହା ବିଜଦ ନେତାମାନେ ଏହି ପ୍ରତିନିଧିଙ୍କୁ କହିଛନ୍ତି । ଗତ ସାୟତ୍ତ ଶାସନ ଦିବସରେ ଯାଜପୁର ପୌର ପରିଷଦ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ପରିଷଦଟି ବିଜଦ କବ୍ଜାରେ ଅଛି । ବବିଙ୍କ ଭାଇ ଲଲ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିଲେ । ସାୟତ୍ତ ଶାସନ ଦିବସ ଉପଲକ୍ଷେ ଯେଉଁ ଆମନ୍ତ୍ରଣପତ୍ର ବଣ୍ଟା ଯାଇଥିଲା, ସେଥିରେ ଜିଲା ମନ୍ତ୍ରୀ ପ୍ରଦୀପ ଓରଫ ଟୁଟୁ ବଳସାମନ୍ତଙ୍କ ନାଁ ନଥିପଲା । କିନ୍ତୁ ବବିଙ୍କ ଫୋନକଲରେ ମନ୍ତ୍ରୀ ସେଠାରେ ହାଜର। ଜଣେ ମନ୍ତ୍ରୀଙ୍କର ଏଭଳି ଅବସ୍ଥା ପୁରା ଦଳର ଅବସ୍ଥାକୁ ପଦାରେ ପକାଇ ଦେଇଛି। କାର୍ଡ଼ ରେ ନାଁ ନାହିଁ । କିନ୍ତୁ ବବିଙ୍କ ଫୋନକୁ ଅଗ୍ରାହ୍ୟ କରିବା ତାକତ ବି ନାହିଁ ମନ୍ତ୍ରୀଙ୍କର। ଏଥର ବନ୍ୟାରେ ରିଲିଫ ପରିଚାଳନା ଭାଜପା ପାଇଁ ବଡ଼ ଜନ ଅସନ୍ତୋଷର କାରଣ ହୋଇଛି । ଭାଜପା ବିଧାୟକମାନେ ନିର୍ଦ୍ଦଳୀୟ ବିଧାୟକଙ୍କ ହାତକୁ ରିଲିଫ ପାଇଁ ଅନେଇ ବସିଥିବାବେଳେ ବିଜଦ ବିଧାୟକ ମାନଙ୍କୁ ପର୍ଯ୍ୟାପ୍ତ ରିଲିଫ ମିଳିଥିବା ଜିଲା ସାରା ଆଲୋଚନା ହେଉଛି। ବିଜଦ ପାଇଁ ଦୁଃଖ ହେଲା ଯେ ବବି ଲିକୁଙ୍କ ସହ ହାତ ମିଳାଇ ଦେଇଛନ୍ତି । ଏଭଳି ଅଭିଯୋଗ ବିଜଦ ନେତାମାନଙ୍କର। ତେଣୁ ଜିଲାରେ ଏତେ ପ୍ରସଙ୍ଗ ଥିଲେ ମଧ୍ୟ ବବି -ଲିକୁ ଯୋଡ଼ି କାରଣରୁ କୌଣସି ଗୋଟିଏ ପ୍ରସଙ୍ଗରେ ପୂର୍ବତନ ଶାସକ ଦଳ ସରକାରଙ୍କୁ ଘେରିବା ପାଇଁ ଚେଷ୍ଟା ବି କରିନାହିଁ । ମଝିରେ ମଝିରେ ପୂର୍ବତନ ବିଧାୟକ ଜିତୁ ବଳବନ୍ତରାୟ ଧର୍ମଶାଳା ବିଧାୟକଙ୍କ ବିରୋଧରେ ମୁହଁ ଖୋଲିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏକଦା ତାଙ୍କର ମେଣ୍ଟର ବବି ଜିତୁଙ୍କ ହାତ ଛାଡ଼ି ଦେଇଛନ୍ତି । ତାଙ୍କ ହାତ ଅନ୍ୟ କେଉଁ ନେତାଙ୍କ ହାତକୁ ଛନ୍ଦି ଦେଇସାରିଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବୟସ ଓ ଅସୁସ୍ଥତା ଭିତରେ ଅଛନ୍ତି । ବରୀ ବିଧାୟକ ବିଶ୍ବ ମଲିକ ବବିଙ୍କ ଅନୁଗତ । ସେ ବରଂ ବଡ଼ଚଣା ଭାଜପା ବିଧାୟକ ଅମର ନାୟକଙ୍କଠୁ ଭଲ ସ୍ଥିତିରେ ଅଛନ୍ତି । ଯାଜପୁର ବିଧାୟକ ସୁଜାତା ସାହୁ ବବିଙ୍କ ଖାସ୍ ଲୋକ । କୋରେଇ ବିଧାୟକ ଆତ୍ମରକ୍ଷା ପାଇଁ ନିର୍ଦ୍ଦଳୀୟ ବିଧାୟକଙ୍କ ସହ ସମଝୋତା କରିଥିବା ଚର୍ଚ୍ଚା ହେଉଛି। କାରଣ ହେଲା ବିଜଦ ନେତା ଡାନି ଘଡ଼ାଇ । ଡାନି କୋରେଇ ଉପରେ ଆଖି ପକାଇଛନ୍ତି । ସେ ପୂର୍ବତନ କୋରେଇ ବିଧାୟକ । ଏମିତି ଗୋଳିଆ ଅବସ୍ଥାକୁ ଜିଲା ରାଜନୀତି ଚାଲିଯାଇ ସାରିଲାଣି ଯେ ଶାସକ ଦଳ ବିଧାୟକଙ୍କର ଓଜନ ନାହିଁ । ବିଜୁ ଜନତା ଦଳ ଆତ୍ମସମର୍ପଣ ମୁଦ୍ରାରେ । ପୁରା ଜିଲା ରାଜନୀତି ଜଣେ ନିର୍ଦ୍ଦଳୀୟ ବିଧାୟକଙ୍କ କବଜାରେ। Post navigation Janmashtami 2026: ଆଜି ପବିତ୍ର ଜନ୍ମାଷ୍ଟମୀ मेलोनी बनीं युद्ध के बाद इटली में सबसे ज्यादा दिनों तक रहने वाली प्रधानमंत्री; मोदी ने दी बधाई