ସମବାୟ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଗ୍ରହଣୀୟ ନୁହେଁ ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା। ସରକାରକୁ ଆସିବାର ୫ ମାସ ପୂରିବା ସତ୍ତ୍ବେ କୌଣସି ଆଖୁଦୃଶିଆ ଉପଲବ୍ଧି ନଥାଇ କଥାକୁହା ବିଜେପି ସରକାର ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅରୁଚିକର । ୨୦୦୦ ମସିହାରେ ବିଜୁ ଜନତା ଦଳ ସରକାରକୁ ଆସିଲା ବେଳେ ରାଜ୍ୟରେ କୃଷି ଋଣ ୧୪ ପ୍ରତିଶତ ସୁଧ ହାରରେ ସମଗ୍ର ରାଜ୍ୟରେ ୨୬୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପର୍ଯ୍ୟାୟକ୍ରମେ ଅଧିକ ସଂଖ୍ୟକ ଚାଷୀଙ୍କୁ ସାମିଲ କରାଯାଇ, ଋଣର ପରିମାଣ ବୃଦ୍ଧି କରି ଏବଂ ସୁଧ ହାର ହ୍ରାସ କରିବା ଦ୍ବାରା ୨୦୨୩- ୨୪ ଆର୍ଥିକ ବର୍ଷ ସୁଦ୍ଧା ଏହି ଋଣ ପରିମାଣ ବୃଦ୍ଧି ପାଇ ୨୪ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ କୃଷି ଋଣ ରାଜ୍ୟର ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବୀନ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପଭି କ୍ରମେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣରେ ୦% ସୁଧ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨ପ୍ରତିଶତ ସୁଧ ହାରରେ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଉଛି ।

ତୁମ୍ବନାଥ ପଣ୍ଡା ଆହୁରି କହିଛନ୍ତି, ବୈଦ୍ୟନାଥନ କମିଟିର ସୁପାରିସ ଅନୁଯାୟୀ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସମବାୟ ସଂସ୍ଥା ମାନଙ୍କରେ ଆନୁପାତିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲା। ସମବାୟ ସଂସ୍ଥା ଗୁଡ଼ିକର କାର୍ଯ୍ୟକାଳ ଅବଧି ୪ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା ଏବଂ ତା ସହିତ ଜନସାଧାରଣଙ୍କ ମୌଳିକ ଅଧିକାର ଭାବେ ବିବେଚନା କରାଯାଇ ସମବାୟ ଆନ୍ଦୋଳନକୁ ଶୀର୍ଷ ସ୍ତରରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ୧୦ଟି ଜିଲ୍ଲାରେ P. Pass (Paddy Procurment Automation System) ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏହାର ସଫଳତା ଦେଖି ସାରା ରାଜ୍ୟରେ ୨୦୧୭ ମସିହା ସୁଦ୍ଧା ଲାଗୁ କରାଗଲା । ଏହାର ଫଳସ୍ଵରୂପ ସ୍ଵଚ୍ଛତାର ସହ ସମବାୟ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ ସଫଳତାର ସ‌ହ କରିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଥିଲେ ଏବଂ ଅନ୍ୟ ରାଜ୍ୟର ଅଧିକାରୀମାନେ ଓଡ଼ିଶା ଆସି ଏହାର କାର୍ଯ୍ୟକାରିତା ଅନୁଧ୍ୟାନ କରି ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିଥିଲେ ।

ପୂର୍ବରୁ ଭୂମିହୀନ ଓ ଭାଗଚାଷୀମାନେ ସମବାୟ ବ୍ୟାଙ୍କ ବା ଅନ୍ୟ ଜାତୀୟକରଣ ବ୍ୟାଙ୍କରୁ କୃଷି ଋଣ ନେବା ପାଇଁ ସକ୍ଷମ ହେଉନଥିଲେ । ନବୀନ ସରକାରଙ୍କ ନିଷ୍ପରି ବଳରେ JLG (Joint Liability Group) ଗଠନ କରି ସେମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଗଲା, ପୁନଶ୍ଚ ‘ବଳରାମ ଯୋଜନା’ ମାଧ୍ୟମରେ ଏହାକୁ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ପୂର୍ବରୁ ଅଳ୍ପ କିଛି ସଂସ୍ଥାରେ ବିହନ ଉପଲବ୍ଧି ହେଉଥିବା ବେଳେ, ଆମ ସରକାର ସମୟରେ ସମସ୍ତ PACs & LAMPs ଜରିଆରେ ଧାନ ବିହନ ସହିତ ଅନ୍ୟାନ୍ୟ ବିହନ ଚାଷୀମାନଙ୍କୁ ରିହାତି ଦରରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା ଏବଂ ରିହାତି ଅର୍ଥକୁ ଡିବିଟି ମାଧ୍ଯମରେ ଚାଷୀମାନଙ୍କ ଆକାଉଣ୍ଟକୁ ସ୍ଵଚ୍ଛତାର ସହ ପ୍ରଦାନ କରିବା ବ୍ୟବସ୍ଥା ଆରମ୍ଭ କରାଗଲା ।

କୃଷି ଋଣ ସହ ଆନୁଷଙ୍ଗିକ କୃଷି ଋଣ (Allied Agriculture Loan) ପ୍ରଦାନ କ୍ଷେତ୍ରରେ ଚାଷୀମାନଙ୍କୁ ୧୦ ପ୍ରତିଶତ ଅଂଶଧନ ଦେବାକୁ ପଡୁଥିଲା । ନବୀନ ବାବୁଙ୍କ ଦୃଢ଼ ନିଷ୍ପଭି ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ଶହ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କାରୁ ଅଧିକ ଋଣ ପାଇଁ ୧୫ ଶହ ଟଙ୍କା ଅଂଶଧନ ଦେବାକୁ ବ୍ୟବସ୍ଥା କରାଯାଇଛି, ଯାହା ନବୀନ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ ଉପଲବ୍ଧ। ରାସାୟନିକ ସାର ଚାଷୀମାନଙ୍କୁ ଠିକ୍ ସମୟରେ PACs ଓ LAMPs ଜରିଆରେ ସ୍ଵଚ୍ଛତାର ସହ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ମାର୍କଫେଡ୍‌କୁ ଏକ କର୍ପସ ଫଣ୍ଡ ନବୀନ ସରକାର ପ୍ରଦାନ କରିଥିଲେ । ଏହି କର୍ପସ ଫଣ୍ଡ ୭୫ କୋଟି ଟଙ୍କାରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ୯୦ କୋଟି, ୧୦୦ କୋଟି ଏବଂ ବର୍ତ୍ତମାନ ୧୫୦ କୋଟି ଟଙ୍କାରେ ପହଞ୍ଚିଛି । ଏହି ଅର୍ଥ ଜରିଆରେ ମାର୍କଫେଡ୍‌ ଚାଷୀମାନଙ୍କୁ ଉଚିତ୍ ଦରରେ ଏବଂ POS ମାଧ୍ୟମରେ ସ୍ଵଚ୍ଛତାର ସହ ସାର ପ୍ରଦାନ କରୁଛି । ତେଣୁ ନବୀନ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୁଗାନ୍ତକାରୀ ନିଷ୍ପଭି ସମୂହକୁ ଆଗକୁ ନେବା ପରିବର୍ଭେ ନକାରାତ୍ମକ ମନ୍ତବ୍ୟ ଦେବାରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ତୁମ୍ବନାଥ ପଣ୍ଡା କହିଥିଲେ ।

Leave a Reply

Your email address will not be published. Required fields are marked *