ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲଟି ଘୋଷଣା କରାଯାଇଥିବା ବେଳେ, ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ବିଜେଡି ସରକାରଙ୍କ ଦ୍ୱାରା ଏନଏସି ଭାବେ ଘୋଷିତ ହୋଇଥିବା ଅଞ୍ଚଳ ଗୁଡିକୁ ପାତର ଅନ୍ତର କରି ସରକାର ଏପରି ନିଷ୍ପତ୍ତି ନେଉଛନ୍ତି ବୋଲି ବିଜେଡି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା ଓ ବିଧାୟକ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପାତର ଅନ୍ତର ନୀତି ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦେବୀ ପ୍ରସାଦ ମିଶ୍ର କହିଥିଲେ, ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ, ୨୦୨୪ ମସିହା ଫେବୃଆରୀ ଓ ମାର୍ଚ୍ଚ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୭ଟି ଅଞ୍ଚଳକୁ ଏନଏସି ଘୋଷଣା କରାଯାଇଥିଲା । ପୌର ଅଧିନିୟମ ୧୯୫୦ ଅନୁଯାୟୀ, ପ୍ରଥମେ ଘୋଷଣାନାମା ହୋଇଥାଏ ଓ ପରେ ଏହା ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଅଣାଯାଇ ଗେଜେଟ ନୋଟିଫିକେସନ କରାଯାଏ । ବିଜେଡି ସରକାରଙ୍କ ଦ୍ୱାରା ଘୋଷଣା ହେବା ସହିତ ଜିଲ୍ଲାପାଳ ମାନଙ୍କ ପାଖକୁ ଆବଶ୍ୟକ ରିପୋର୍ଟ ପାଇଁ ପଠାଯାଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ପୂର୍ବରୁ ଘୋଷିତ ହୋଇଥିବା ଅଞ୍ଚଳ ଗୁଡିକ ମଧ୍ୟରୁ କିଛି ଅଞ୍ଚଳକୁ ପୁନଃ ଘୋଷଣା କରୁଛନ୍ତି ଓ କିଛି ନୂତନ ଅଞ୍ଚଳକୁ ଏଥିରେ ସାମିଲ କରିଛନ୍ତି । ରାଜ୍ୟରେ ବିଜେପି ସରକାରଙ୍କର ୧୫ ମାସ ବିତି ଯାଇଥିଲେ ମଧ୍ୟ, ଗୋଟିଏ ବି ଅଞ୍ଚଳ ପାଇଁ ଗେଜେଟ ନୋଟିଫିକେସନ ହୋଇପାରି ନାହିଁ । ପ୍ରତାପ ଜେନା କହିଥିଲେ, ସରକାର ଏକ ନିରନ୍ତର ପ୍ରକ୍ରିୟା । ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇସାରିଥିବା ଅଞ୍ଚଳ ଗୁଡ଼ିକୁ ରାଜ୍ୟ ସରକାର ପୁଣିଥରେ ଘୋଷଣା କରିବା ଓ ଏଥିରେ ପାତର ଅନ୍ତର କରି ଅଧିକାଂଶ ଘୋଷିତ ଅଞ୍ଚଳକୁ ସାମିଲ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ମାତ୍ର ୧୮ଟିକୁ ବିଜେପି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବେଳେ ୩୯ଟି ଅଞ୍ଚଳକୁ ସାମିଲ କରାଯାଇ ନାହିଁ, ଯାହା ସରକାରଙ୍କ ପାତର ଅନ୍ତର ନୀତିକୁ ପଦାରେ ପକାଉଛି । ଏହାଛଡା କଣ୍ଟାବାଞ୍ଜି ଏନଏସିକୁ ମ୍ୟୁନିସିପାଲଟି କରାଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାକୁ ମଧ୍ୟ ବିଚାରକୁ ନିଆଯାଇ ନାହିଁ । ବିଜେଡି ସରକାରଙ୍କ ଘୋଷିତ ତାଲିକା ଅନୁଯାୟୀ, ବାଦ୍ ପଡ଼ିଯାଇଥିବା ୩୯ଟି ଅଞ୍ଚଳକୁ ଏନଏସି ମାନ୍ୟତା ଓ କଣ୍ଟାବାଞ୍ଜିକୁ ମୁ୍ୟନିସିପାଲିଟି ଘୋଷଣା ତୁରନ୍ତ କରାଯାଉ । ପ୍ରମିଳା ମଲ୍ଲିକ କହିଥିଲେ ଯେ, ଗ୍ରାମାଞ୍ଚଳର ବାସିନ୍ଦା ମାନଙ୍କୁ ସହରାଞ୍ଚଳରେ ମିଳୁଥିବା ସୁବିଧା ପ୍ରଦାନ ଲକ୍ଷ୍ୟ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୭ଟି ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ । କିନ୍ତୁ ବିଜେପି ସରକାର ଏହା ମଧ୍ୟରୁ ଅଧିକାଂଶ ଅଞ୍ଚଳକୁ ବାଦ୍ ଦେଇଛନ୍ତି, ଯେଉଁଥିପାଇଁ ବାଦ୍ ପଡ଼ିଥିବା ଅଞ୍ଚଳ ଗୁଡିକରେ ଜନଅସନ୍ତୋଷ ଦେଖା ଦେଇଛି । ବାଦ୍ ପଡ଼ିଥିବା ୩୯ଟି ଅଞ୍ଚଳକୁ ତୁରନ୍ତ ଏନଏସି ମାନ୍ୟତା ନଦେଲେ ବିଜୁ ଜନତା ଦଳ ନୀରବଦ୍ରଷ୍ଟା ସାଜିବ ନାହିଁ, ରାଜରାସ୍ତାକୁ ଓହ୍ଲାଇବ । Post navigation ୮୦୦ ଏକର ଜାଗାରେ ତିଆରି ହେବ ନୂଆ ଭୁବନେଶ୍ୱର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି