ମହିଳା ମାନେ ସନ୍ଧ୍ୟା ୫.୩୦ ପରେ କାର୍ଯ୍ୟସ୍ଥଳୀରେ ରହିପାରିବେ ନାହିଁ ବୋଲି ଏକ ତାଲିବାନୀ ଅର୍ଡର ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରକାଶ ପାଇବାର କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରିଦିଆଯାଇଥିଲା । ଏହାକୁ ନେଇ ବିଜୁ ଜନତା ଦଳ ସରକାରଙ୍କ ମହିଳାଙ୍କ ସ୍ୱାଧୀନତା ଉପରେ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ତୀବ୍ର ସମାଲୋଚନା କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ମହିଳାଙ୍କୁ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଏହି ବିଜ୍ଞପ୍ତିରୁ ସ୍ପଷ୍ଟ ହେଉଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ, ରାଜ୍ୟ ସରକାର ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଛନ୍ତି ବୋଲି, ଏହା ଏକ ପ୍ରମାଣ ସ୍ୱରୂପ ଉଭା ହୋଇଛି । ନିସନେ୍ଦହରେ ଏହି ତାଲିବାନୀ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ମହିଳା ସ୍ୱାଧୀନତା ବିରୋଧୀ ମନୋଭାବକୁ ଦର୍ଶାଇଛି ବୋଲି ଡ଼ ମହାନ୍ତି କହିଛନ୍ତି । ସେ କହିଥିଲେ, ଏହି ବିଜ୍ଞପ୍ତି ରେଭେନ୍ସା ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ବିଶ୍ୱବିଦ୍ୟାଳୟ ଇତିହାସରେ ସବୁଦିନ ପାଇଁ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ । ବିଜେପି ସରକାରଙ୍କ ଶାସନରେ ଆସିଥିବା ଏହି ବିଜ୍ଞପ୍ତି ଓଡିଶା ପାଇଁ ଆଉଥରେ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏହି ବିଜ୍ଞପ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଏହାକୁ ପ୍ରତ୍ୟାହାର କରି ଦିଆଯାଇଥିଲା । ଏହି ତାଲିବାନୀ ବିଜ୍ଞପ୍ତି କିଭଳି ଭାବେ ପ୍ରକାଶ ପାଇଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପାଇଁ ବିଜେଡି ଦାବି କରୁଛି । ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ, ତୁରନ୍ତ ତାଙ୍କୁ ନିଲମ୍ୱନ କରିବା ପାଇଁ ଡ଼ ମହାନ୍ତି ଦାବି କରିଛନ୍ତି । Post navigation ଦିଲ୍ଲୀ ନିର୍ଭୟା ଭଳି ଓଡ଼ିଶାରେ ଆଇନ ହେଉ : ABVP ସୋମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରିବ କଂଗ୍ରେସ ସମେତ ୮ଟି ଦଳ