BJD Political Affairs Committee Meeting
ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟିର ବୈଠକ ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି ଓ ଦଳର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହିତ ରାଜ୍ୟରେ ୨୦୧୫ ରୁ ୨୦୨୪ ମଧ୍ୟରେ ବିଜୁ ଜନତା ଦଳ ସରକାର ସମୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ସଫଳତା ପାଇଁ ବୈଠକରେ ସନ୍ତୋଷ ପ୍ରକାଶ କରାଯାଇଥିଲା ।
 
ବୈଠକରେ ନିମ୍ନୋକ୍ତ ପ୍ରସ୍ତାବ ଗୃହିତ କରାଯାଇଥିଲା:
 
🔴୨୨ ଅପ୍ରେଲ ୨୦୨୫ ରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟକ୍ତିମାନଙ୍କ ଅମର ଆତ୍ମା ପ୍ରତି ବୈଠକରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ଏବଂ ସେମାନଙ୍କର ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।
 
🔴ଦେଶର ସୁରକ୍ଷା ପାଇଁ ସେନା ବାହିନୀର ଶୌର୍ଯ୍ୟ ଓ ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତୀୟ ସେନାବାହିନୀର ଅତୁଳନୀୟ ଦକ୍ଷତା, ସାହସ ଓ ପରାକ୍ରମର ଉଚ୍ଚ ପ୍ରଶଂସା କରାଯାଇଥିଲା ।
 
🔴ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସରକାର ଯତ୍ନବାନ ହେବେ ବୋଲି ବୈଠକରେ ଆଶା ବ୍ୟକ୍ତ କରାଯାଇଥିଲା ।
 
🔴ଓଡିଶାରେ ୨୦୧୫ ରୁ ୨୦୨୪ ମଧ୍ୟରେ ଶିଳ୍ପ ବିକାଶ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ପ୍ରକାଶିତ I CRA Report ଉପରେ ଆଲୋଚନା କରାଯାଇ ସନ୍ତୋଷ ବ୍ୟକ୍ତ କରାଯାଇଥିଲା ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ଶିଳ୍ପ ବିକାଶ ଦିଗରେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
 
ସୂଚନାଯୋଗ୍ୟ ଯେ ICRA Report Investment Information and credit rating Agency ଅନୁଯାୟୀ ଦେଶର ୧୯ ଟି ରାଜ୍ୟ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା GSVA ରେ ସର୍ବୋଚ୍ଚ ୧୦ ପ୍ରତିଶତ ହାସଲ କରିଥିବା ବେଳେ ୨୦୧୫ ରୁ ୨୦୨୪ ମଧ୍ୟରେ ୭ ପ୍ରତିଶତରୁ ଅଧିକ GSVA Gross State value Added ହାସଲ କରିଥିଲା ।
 
କିନ୍ତୁ ବର୍ତ୍ତମାନର ବିଜେପି ସରକାର ସମୟରେ ରାଜ୍ୟରେ ଆର୍ଥିକ ଓ ଶିଳ୍ପ ବିକାଶର ବେଗ ନିମ୍ନମୁଖୀ ହୋଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ରାଜନୈତିକ ଫାଇଦା ପାଇଁ ଟିକସ ଦାତାଙ୍କର ଅର୍ଥକୁ କେବଳ ରଙ୍ଗ ପରିବର୍ତ୍ତନ ଓ ବିଜେଡି ସରକାର ସମୟର ଯୋଜନାର ନାମ ପରିବର୍ତ୍ତନରେ ଅପବ୍ୟୟ ନ କରି ବିଜେପି ସରକାର ରାଜ୍ୟର ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱର ସହ କାର୍ଯ୍ୟ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା ।
 
ବିଜ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ଓ ସାଙ୍ଗଠନିକ ପୁନର୍ବିନ୍ୟାସ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇ ଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଆଗାମୀ ଦିନରେ ଦଳର ଅନ୍ୟ ପଦବୀ ପୂରଣ ଦିଗରେ ଦଳର ସଭାପତିଙ୍କୁ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରାଯାଇଥିଲା ।
 
ଭବିଷ୍ୟତର ରାଜନୈତିକ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଦଳର ବିଭିନ୍ନ ଶାଖା ମଜବୁତ୍‌ କରିବା ସହିତ ଦଳକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ ରଖିବା ପାଇଁ ରାଜନୈତିକ ବ୍ୟାପାର କମିଟି କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *