ବିକୁ ପରିବାର ଅବଧାରଣା (କନ୍ସେପ୍ଟ)ରେ ଜନତା ଦଳକୁ ବିଭାଜିତ କରି ଜନ୍ମ ନେଇଥିଲା ବିଜୁ ଜନତା ଦଳ । ଏଥିପାଇଁ ବିଜୁଭକ୍ତ ନେତାମାନେ ନିଜନିଜର ଦକ୍ଷତା ଅପେକ୍ଷା ଭରସା କରିଥିଲେ ବିଜୁ ପୁତ୍ର ନବୀନଙ୍କ ଉପରେ । ନେତାମାନଙ୍କ ମଧ୍ୟରେ ପାରସ୍ପରିକ ଅବିଶ୍ବାସ ଯୋଗୁ ଜନତା ଦଳରୁ ନବୀନଙ୍କୁ ବାହାର କରିଆଣି ବିଜୁ ଜନତା ଦଳର ନେତା ପଦରେ ବସାଇ ଦିଆଗଲା। ସେହି ଗୋଟିଏ ନିଷ୍ପତି ବିଜୁ ପରିବାରକୁ କିନ୍ତୁ ଭାଙ୍ଗିରୂଜି ଦେଲା । ଆଜି ଯେଉଁ ମାନେ ବଳ ବାହାରକୁ ଚାଲି ଯାଇଛନ୍ତି, ଯେଉଁମାନେ ଦଳ ଭିତରେ ବରିଷ୍ଠ ମାନ୍ୟତା ପାଇ ଅଛନ୍ତି, ସେମାନେ ସମସ୍ତେ ଅନୁଶୋଚନା କରୁଥିଲେ ଯେ ବିଜୁ ପରିବାର ଅବଧାରଣାରେ ନବୀନଙ୍କୁ ଦଳର ସଭାପତି ଏବଂ ସମସ୍ତ କ୍ଷମତା ଅର୍ପଣ କରିଦେଇ ସେମାନେ ମହାପାପ କରିଥିଲେ । ତେଣୁ ବର୍ତ୍ତମାନ ବିଜୁ ପରିବାରର ଅବଶିଷ୍ଟାଶ କାଳମୁଖରେ ବିଲୀନ ହେବାକୁ ଯାଉଥିବା ସ୍ପଷ୍ଟ ହେବାର ଆଗରୁ ଅନେକଥର ନବୀନ ବାବୁ ଗର୍ବରେ ନିଜ ନେତାମାନଙ୍କୁ କହିଛନ୍ତି ଯେ ତାଙ୍କଠାରୁ ବିଜଦର ଜନ୍ମ ଏବଂ ତାଙ୍କ ସହ ବିଜଦର ବିଲୟ ଘଟିବ । ନବୀନ ବାବୁଙ୍କ ଠାରୁ ବିଜଦର ସୃଷ୍ଟି ନୁହେଁ । ବରଂ ନବୀନଙ୍କୁ ସମସ୍ତ କ୍ଷମତା ଅର୍ପଣ କରି ବିଜଦ ଏବେ ବିଲୀନ ହେବାକୁ ଯାଉଛି । କଟୁ ହୋଇପାରେ। ଏହା କିନ୍ତୁ ନିରାଟ ସତ୍ୟ । ନେତୃତ୍ବ ସଂକଟର ସୃଷ୍ଟିକର୍ତ୍ତା ହେଉଛନ୍ତି ସୟଂ ନବୀନ । କେବଳ ନିଜକୁ କଣ୍ଟକମୁକ୍ତ କରିବା ନିମନ୍ତେ ଏବଂ ଏକଛତ୍ରବାଦୀ ଶାସନ ଆରମ୍ଭ କରିବା ସକାଶେ ମୁଖ୍ୟମନ୍ତ୍ରୀ ହେବା ଭଳି ଯୋଗ୍ୟ ନେତାମାନଙ୍କ ସହ ସେ ବିଶ୍ବାସଘାତ କରିଛନ୍ତି। ଜଣଜଣଙ୍କୁ ଦଳରୁ ନିକାଲି ଦେଇଛନ୍ତି। ଏମିତି ଅବସ୍ଥା କରିଛନ୍ତି ନବୀନ ଯେ ଦଳୀୟ ନେତାଙ୍କ ଅପେକ୍ଷା ନିଜ ବ୍ୟକ୍ତିଗତ ସଚିବଙ୍କୁ ଅଧିକ ଭରସା କରିଛନ୍ତି । ଏବେ ଯେତେବେଳେ ପଛକୁ ଅନାଉଥିବେ ନବୀନ ‘ନେତା’ କେହି ନାହାନ୍ତି । ଯାହାଙ୍କୁ ଉତ୍ତରାଧିକାରୀ କରିବା ନିମନ୍ତେ ଦଳୀୟ ଅସ୍ମିତାକୁ ଧ୍ବଂସ କରିଥିଲେ ନବୀନ ବାବୁ ସେହି ଶିଷ୍ୟ ତାଙ୍କୁ ଅସହାୟ ଛତ୍ରପତି କରି ଛାଡ଼ି ଦେଇଛନ୍ତି। ନା ଏବେ ନେତୃତ୍ବ ନେବାର ସାମର୍ଥ୍ୟ ଅଛି, ନା ନୂତନ ନେତା ତିଆରି କରିବା ପାଇଁ ସମୟ ଓ ସୁଯୋଗ ଅଛି। ନେତୃତ୍ବ ସଂକଟ ହିଁ ଶେଷରେ ବିଜୁ ଜନତା ଦଳ ସକାଶେ ପରିଣତ ହୋଇ ସାରିଛି ଅସ୍ତିତ୍ବ ସଂକଟରେ। ମୁଖ୍ୟ ବିରୋଧୀ ଦଳ ଭାବେ ଜନତା ବିଜୁ ଜନତା ଦଳକୁ ବାନ୍ଧି ଉଚିତ ଶିକ୍ଷା ଦେଇଛନ୍ତି । କିନ୍ତୁ ବିଡମ୍ବନା ହେଉଛି ନବୀନ ବାବୁ ଏଥିରୁ କିଛି ଶିଖିବା ଅବସ୍ଥାରେ ନାହାନ୍ତି । ବୟସ ନାହିଁ କି କ୍ଷମତା ବି ନାହିଁ । ଆରମ୍ଭରୁ କ୍ଷମତା ଦେଖୁଥିଲେ । କ୍ଷମତାର ଦୂରୁପଯୋଗ ଶିଖିଥିଲେ । ଅହଂକାର ମୁଣ୍ଡ ଉପର ଦେଇ ଚାଲିବା ଆରମ୍ଭ କରିଥିଲା । ଏବେ ଯେତେବେଳେ ବିରୋଧୀ ଦଳ ଭାବେ ପୁଣି ନିଜକୁ ଏବଂ ଦଳକୁ ଗୋଛେଇ ନେବାର ଏକ ସୁଯୋଗ ଥିଲା, ସେ ସୁଯୋଗକୁ ନଷ୍ଟ କରିଦେଇ ସାରିଛନ୍ତି ସୟଂ ନବୀନ। କେବେ ଶୁଣିଛନ୍ତି କି ଭର୍ଚୁଆଲରେ କୌଣସି ଆନ୍ଦୋଳନ ହୁଏ । ଭର୍ଚୁଆଲରେ ସଭା, ସମିତି କିମ୍ବା ସାକ୍ଷାତକାର ହୁଏ । କୌଣସି ବଜ୍ର ପ୍ରସଙ୍ଗ ଉପରେ ଭର୍ଚୁଆଲରେ ଆନ୍ଦୋଳନ ପ୍ରମାଣ କରୁଛି ଯେ ଯଥେଷ୍ଟ ହୋଇଯାଇ ସାରିଲାଣି । ଏବେ ନବୀନଙ୍କର ଅବସର ନେବାର ସମୟ । କିନ୍ତୁ ଅବସର ନେବେ କେମିତି ? ଶେଷ ପଦବୀ ବିରୋଧୀ ଦଳ ନେତାକୁ ଜାବୁଡ଼ି ଧରି କି ଆନନ୍ଦ ପାଉଛନ୍ତି ନବୀନ ବାବୁ କେଜାଣି ? ବିଜୁ ପରିବାର ବାବଦରେ ଅନେକ ସମୟରେ ବିଜଦ ନେତାମାନେ ମନବୋଧ କରିବା ପାଇଁ କିଛି କଥା କହିଥାନ୍ତି । ବିଜୁ ପରିବାରକୁ ଏକାଠି କରାଯିବ ବୋଲି ବେଳେବେଳେ ହୋ ଉଠେ । ବିଜଦ ନେତୃତ୍ୱ କେବେ ଏହି ବିଷୟରେ ଧ୍ୟାନ ଦେଇଛନ୍ତି ବୋଲି ମନେହୁଏ ନାହିଁ। ଦଳର ଅନେକ ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ନବୀନ, ସେମାନଙ୍କ ପୁଅ ଝିଅଙ୍କୁ ଦଳକୁ ଆଣି ପ୍ରାୟଶ୍ଚିତ କରିପାରିବେ ନାହିଁ । ଭାଜପା ସରକାର ବିଜୁ ଲିଗାସୀ ବା ପରମ୍ପରାକୁ ଭାଙ୍ଗି ଦେବାକୁ ବସିଛନ୍ତି ଓ ସେଥିରେ ସଫଳ ହେବେ। ବିଜୁ ଜୟନ୍ତୀ ଆଉ ଛୁଟିଦିନ ନୁହେଁ । ଅନେକ ବରପୁତ୍ରଙ୍କ ଜୟନ୍ତୀରେ ଓଡ଼ିଶା ଛୁଟି ପାଳନ କରେ ନାହିଁ । ଏବେ ବିଜୁଙ୍କୁ ନେଇ କେତେଦିନ ବାହୁନି ପାରିବେ ବିଜୁ ଜନତା ଦଳର ନେତାମାନେ ? ବିଜୁଙ୍କ ପ୍ରତି ବିଜଦ ନେତାମାନଙ୍କର ସମ୍ମାନ ଯଥେଷ୍ଟ । କିନ୍ତୁ ନବୀନ ବାବୁଙ୍କର କେବେ ନଥିଲା, ଆଜି ବି ନାହିଁ । ଥିଲେ ବିଜୁ ବାବୁଙ୍କ ପାଇଁ ଭାରତ ରତ୍ନଟିଏ ଆଣିପାରି ନଥାନ୍ତେ ? ମନେ ପଢୁଛି ପ୍ରସନ୍ନ ପାଟ୍ଟଶାଣୀଙ୍କ କଥା। ଲୋକସଭାରେ ଏହି ଦାବି ଉଠାଇବାରୁ ପାଣ୍ଡିଆନ ତାଙ୍କୁ ଭର୍ସନା କରିଥିଲେ । ଏ ପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟୀକରଣ ଆସିଲା ନାହିଁ ନବୀନଙ୍କଠାରୁ । ବିଜୁ ପରିବାର ଏକ ଇତିହାସ ହେବାକୁ ଯାଉଛି ଖୁବ୍ଶୀଘ୍ର । ଦଳର ଅସ୍ଥିତ୍ୱ ସଂକଟରେ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । Post navigation ଆତ୍ମଘାତୀ ଗୋଲ୍; ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ତାରିଖ ବଦଳାଇଲେ ମୋହନ ସରକାର ଅନୁପ୍ରବେଶକାରୀଙ୍କ ପାଇଁ ଲୋଡ଼ା ଦିଲ୍ଲୀ ଫର୍ମୁଲା