ଆଜି ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି । ଏହି ଅବସରରେ ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ମା ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ ରେ ବିଜୁ ବାବୁ ମା ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମା ମାନଙ୍କ ପାଇଁ ପଞ୍ଚାୟତରେ ୩୩% ସଂରକ୍ଷଣ ରଖିଥିଲେ । ସରକାରୀ ଚାକିରୀରେ ମା ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ । ତାହା ଆଜି ସଫଳ ହୋଇଛି । ମା ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ପଞ୍ଚାୟତି ରାଜ ଅନୁଷ୍ଠାନକୁ ମଜବୁତ୍ କରିଥିବା ଓ ମା ମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଡବଲ ଇଞ୍ଜିନ ସରକାର ଅପମାନିତ କରିଛନ୍ତି ବୋଲି ପଟ୍ଟନାୟକ ଦୁଃଖ ପ୍ରକାଶ କରି ଥିଲେ ।ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦ୍ଦେଶ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଗଲା ନାହିଁ । ପଟ୍ଟନାୟକ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ପଞ୍ଚାୟତ ଅନୁଷ୍ଠାନ ରେ ମା ମାନଙ୍କ ପ୍ରତିନିଧିତ୍ୱକୁ ବୃଦ୍ଧି କରିଛନ୍ତି । ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନ ସଭାରେ ମା ମାନଙ୍କ ପାଇଁ ୧/୩ ପ୍ରତିଶତ ପାଇଁ ବିଜେଡି ଲଢେଇ ଜାରି ରଖିଛି । ଆମର ମିଶନ ଶକ୍ତି କାର୍ଯ୍ୟକ୍ରମ ମା ମାନଙ୍କୁ ସଶକ୍ତ କରିଛି । ଆତ୍ମ ନିର୍ଭର କରିଛି । ଡବଲ ଇଞ୍ଜିନ ସରକାର ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମ କୁ ବନ୍ଦ ଚକ୍ରାନ୍ତ ବୋଲି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଭିମାନୀ ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରି ପଟ୍ଟନାୟକ କହିଥିଲେ ଯେ ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ କରୁଛନ୍ତି, କିନ୍ତୁ ମା ମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି । ୨୭ ଟଙ୍କାରେ ମା ମାନେ ନିଜ ପରିବାର ପାଇଁ ଏକ ଲିଟରେ କ୍ଷୀର କିଣିପାରିବେକି ବୋଲି ପଟ୍ଟନାୟକ ପ୍ରଶ୍ନ କରିଥିଲେ । ମା ମାନେ ପରିଶେଷରେ ସୁଭଦ୍ରା ଯୋଜନାରୁ କିଛି ଉପକାର ପାଇବେ ନାହିଁ ବୋଲି ପ୍ରକାଶ କରି ମା ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡିର ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିଜୁ ଜନତା ଦଳ ମା ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି ଓ ବିଜେଡି ର ଦୂତ ଭାବରେ ପ୍ରତି ପରିବାର କୁ ଦଳ ର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ପ୍ରାରମ୍ଭ ରେ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମା ଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ, ପାର୍ବତୀ ଗିରି, ଶୈଳବାଳା ଦାସ ଓ ନାରୀ କବି କୁନ୍ତଳା କୁମାରୀ ସାବତ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫୋଟ ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରି ସମ୍ମାନ ଜଣାଇଥିଲେ । ଏହି ଅବସରରେ ପଟ୍ଟନାୟକ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର, କୁଞ୍ଜଳତା ସାମଲ, ଓଜସ୍ୱିନୀ ମାହାର, ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି, ଡ଼କ୍ଟର ଶ୍ରୀମତୀ ରୋଜା ଘୋଷ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ସୁଲତା ଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ । Post navigation ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ର ଦ୍ୱିତୀୟ କିସ୍ତି ଟଙ୍କା କୋରାପୁଟରେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମର ସୁଟିଂ ଆରମ୍ଭ