ବିବାଦ ଘେରରେ ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ । କାଲି ରାଜ୍ୟସଭା ନିର୍ବାଚନ ଥିବାବେଳେ ଠିକ୍ ଏହା ପୂର୍ବରୁ ମୁଣ୍ଡ ଟେକିଛି ବିଜେଡିର ପାଣ୍ଠି ପ୍ରସଙ୍ଗ। ଦଳର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ, ଦଳ ଏବଂ ଓଡ଼ିଶାର ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି।

ବିଜୁ-ନବୀନ ଇନ୍‌ସ୍ପିରେସନାଲ ଫାଉଣ୍ଡେସନ୍‌ ଟ୍ରଷ୍ଟର ସମ୍ପାଦକ ଅଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସୋସିଆଲ ମିଡିଆରେ ଏହି ପୋଷ୍ଟ ଘୂରିବୁଲୁଥିବା ବେଳେ ବିଜେପି ଏନେଇ ସଂତୃପ୍ତ ମିଶ୍ରଙ୍କୁ ଟାର୍ଗେଟ କରିଛି। ଯଦି ଏହା ସତ ହୋଇଥିବ, ଆଉ ଯଦି ସଂତୃପ୍ତ ମିଶ୍ର ଏହି ତଥ୍ୟ ଲୁଚାଇଥିବେ, ତେବେ ତାଙ୍କର ରାଜ୍ୟସଭା ପ୍ରାର୍ଥିତ୍ବ ସଙ୍କଟରେ ବୋଲି କହିଛି ବିଜେପି।

ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ବିଜୁ-ନବୀନ ଇନ୍‌ସ୍ପିରେସନାଲ ଫାଉଣ୍ଡେସନ୍‌ ଟ୍ରଷ୍ଟ ସମ୍ପର୍କିତ ପୋଷ୍ଟ କରି ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ନିର୍ବାଚନୀ ସତ୍ୟପାଠ ବେଳେ ବ୍ୟାଙ୍କ, ସମ୍ପତ୍ତି, ଆପରାଧିକ ମାମଲା ସହିତ ଏନ୍‌ଜିଓ, ଟ୍ରଷ୍ଟ ବିଷୟରେ ତଥ୍ୟ ଦେବା ବାଧ୍ୟତାମୂଳକ। କିନ୍ତୁ ବିଜୁ-ନବୀନ ଇନ୍‌ସ୍ପିରେସନାଲ ଫାଉଣ୍ଡେସନ୍‌ ଟ୍ରଷ୍ଟର ସମ୍ପାଦକ ଥିବାବେଳେ ସଂତୃପ୍ତ ମିଶ୍ର କିପରି ଏହାକୁ ଲୁଚାଇଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

ସୂଚନା ଯୋଗ୍ୟ; ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମରେ ନୂଆଦିଲ୍ଲୀରେ ବିଜୁ-ନବୀନ ପ୍ରେରଣାଦାୟକ ଫାଉଣ୍ଡେସନ ନାମକ ଏକ ସଂଗଠନ ପ୍ରତିଷ୍ଠିତ ହୋଇଥିବା ଜଣାପଡ଼ିଛି। ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନର ପ୍ରେସିଡେଣ୍ଟ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଟ୍ରଷ୍ଟି ଅଶୋକ ପରିଜା ବୋଲି ଜଣାପଡିଛି । ଶ୍ରୀମୟୀ ସୋସିଆଲ୍ ମିଡିଆରେ ଏ ନେଇ ଦସ୍ତାବିଜ୍ ସେୟାର କରିଛନ୍ତି । ସେ ଲେଖିଛନ୍ତି ସମସ୍ତଙ୍କ ଅଜାଣତରେ ଦିଲ୍ଲୀରେ ଏହି ଫାଉଣ୍ଡେସନ ଗଢ଼ି ବିଜେଡିର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସେଠାକୁ ସ୍ଥାନାନ୍ତର କରି ମାଲିକାନାକୁ ନିଜ ପାଖରେ ରଖିବା ପାଇଁ ଗୁପ୍ତ ବ୍ଲୁ-ପ୍ରିଣ୍ଟ କିଏ ଓ କାହିଁକି କରିଛି ? ଲୋକଙ୍କ ଦଳ ବୋଲି ବାଜା ବଜଉଥିବା ଦଳ, ନିଜ ଦଳର ନେତାଙ୍କୁ ଏ ବିଷୟରେ ଜଣାଇଛି ତ ? ନେତା ଏଠି ଟେଣ୍ଟ ବାନ୍ଧିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କାରଣ ଆଗକୁ ସେଇମାନେ ନଚେଇବେ, ଯେଉଁମାନଙ୍କ ପାଖରେ ପାଣ୍ଠି ରହିବ । ଆଉ ଆପଣ ମାନେ ପୁଣି Sir Sir ହେଇ ରହିଯିବେ ବୋଲି ପୋଷ୍ଟ କରିଥିଲେ। ଏହା ପରେ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *