BJD allages Odisha Gov'ts hand in Sand and stone theft
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ହେଉଥିବା ବାଲିଚୋରିରେ ବିଜେପିର ନେତାମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ କରିବା ସହିତ ଏଥିଯୋଗୁଁ ଲଘୁ ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱ ଚିନ୍ତାଜନକ ଭାବେ ହ୍ରାସ ପାଇଛି ବୋଲି କହିଛନ୍ତି ।
 
ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ବାଲି ଚୋରି ଅହେତୁକ ଭାବେ ବୃଦ୍ଧି ପାଇଛି ଓ ଏହା ବିଜେପି ମନ୍ତ୍ରୀ ଓ ନେତାଙ୍କ ପ୍ରୋତ୍ସାହନରେ ଚାଲିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଚୋରି ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ରାଜ୍ୟରେ ହେଉଥିବା ବାଲି ଚୋରିର ସ୍ୱୀକାରୋକ୍ତି ଥିଲା ବୋଲି ବିଜେଡି କହିଛି ।
 
ଡ଼ ଲେନିନ ମହାନ୍ତି କହିଥିଲେ, ୨୦୨୩-୨୪ ଆର୍ଥିକ ବର୍ଷରେ ଲଘୁ ଖଣିଜ ସମ୍ପଦରୁ ରାଜ୍ୟକୁ ୧୪୮୫ କୋଟି ଟଙ୍କା ରାଜସ୍ୱ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ରାଜସ୍ୱ ପରିମାଣ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପିର ନେତାମନ୍ତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଏହି ବାଲିଚୋରି ବୃଦ୍ଧି ପାଇଛି । ରାଜ୍ୟରେ ବାଲି ଏବେ ଏକ ଦୁର୍ଲଭ ବସ୍ତୁରେ ପରିଣତ ହୋଇଛି । ବାଲିର ଦରରେ ଅହେତୁକ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ କନଷ୍ଟ୍ରକସନ ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଏହି ବାଲି ଚୋରିରେ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ସହିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସମ୍ପୃକ୍ତି ଅଭିଯୋଗ ଆସିଛି ।
 
ସ୍ୱାଧୀନତା ପରଠାରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ନାମରେ ଏପରି ଗୁରୁତର ଅଭିଯୋଗ କେବେବି ଆସି ନଥିଲା । ତେଣୁ ଏହି ବାଲିଚୋରି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆମେ ସ୍ପଷ୍ଟୀକରଣ ଦାବି କରୁଛୁ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରର ସଦସ୍ୟ ମାନେ ଜଣେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ସାହୁଙ୍କ ସହିତ ବୁଲୁଛନ୍ତି, ଯିଏ ବାଲି ଓ ପଥର ଚୋରିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି ବୋଲି ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି । ଗଞ୍ଜାମରେ ବାଲି ଓ ପଥର ଚୋରିରେ ରାଜ୍ୟର ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ନେଇ ଜିଲ୍ଲା ସାରା ଚର୍ଚ୍ଚା ଚାଲିଛି । ରାଜ୍ୟ ସରକାର ଏହି ଲଘୁ ଖଣିଜ ସମ୍ପଦ ଲୁଟ୍ ସମ୍ପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ଏହାର ଉତ୍ତର ରଖିବା ଦରକାର ବୋଲି ଡ଼ ମହାନ୍ତି କହିଥିଲେ ।
 
ଇପ୍ସିତା ସାହୁ କହିଥିଲେ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ପ୍ରଦୀପ ବଳସାମନ୍ତ ତାଙ୍କ ପତ୍ନୀ ଓ ପୁଅଙ୍କ ନାମରେ ନୟାଗଡ଼ ଜିଲ୍ଲାରେ ପଥରକଟା ସହ ବାଲିଘାଟ ନେଇଛନ୍ତି । ସେହିପରି ବଡ଼ମ୍ୱା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଏବେ ତାଙ୍କ ଅଞ୍ଚଳରେ ବାଲି ଓ ପଥର ମାଫିଆ ମାନଙ୍କ ସହିତ ଅଂଶୀଦାର ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆସ୍କା ବିଧାୟକ ସରୋଜ ପାଢ଼ୀ ବାଲି ଠିକାଦାରଙ୍କୁ ମାସିକିଆ ଚାନ୍ଦା ମାଗୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ତେଣୁ ବାଲି ଓ ପଥର ଚୋରିକୁ ନେଇ ରାଜ୍ୟରେ ଏବେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ।

By Nirvay

Leave a Reply

Your email address will not be published. Required fields are marked *