ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅଧିନ ରେଢୁଆ ପଂଚାୟତର ବିଜଦ ସଭାପତି ତଥା ରେଢୁଆ କୃଷି ସମବାୟ ସମିତିର ବୋର୍ଡ ଡାଇରେକ୍ଟର ବିରେନ୍ଦ୍ର ସ୍ୱାଇଁ (୬୦) ଏକ କାର୍ ଧକ୍କାରେ ଗୁରୁତର ହୋଇ କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ପାରି ନଥିଲା । ଶେଷରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ବିରେନ୍ଦ୍ରଙ୍କ ଜୀବନ ଫେରିପାଇବାର କୌଣସି ଆଶା ନପାଇ ତାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ ପାଇଁ ଘୋଷଣା କରିଯାଇଥିଲା ।

ଫଳରେ ମେଡିକାଲ ବିଶେଷଜ୍ଞଙ୍କ ଦ୍ବାରା ବିରେନ୍ଦ୍ରଙ୍କ ଦୁଇଟି ଯାକ କିଡ୍‌ନୀକୁ ତୁରନ୍ତ ସ୍ଥାନାନ୍ତର କରାଯାଇ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ଜୀବନକୁ ବଂଚାଯାଇ ପାରିଛି। ଏହି ମହାନତାର ପରିଚୟ ଦେବା ସହ ବିରେନ୍ଦ୍ର ଚିରଦିନ ପାଇଁ ଅମର ରହି ଗଲେ ବୋଲି ସାଧାରଣରେ ଆଲୋଚନା ହେଉଛି।

ମଙ୍ଗଳବାର ଭୋର୍ ସମୟରେ ତାଙ୍କ ମରଶରୀର ନିଜ ବାସଭବନରେ ପହଂଚିବା କ୍ଷଣି ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ତାଙ୍କ ମରଶରୀରକୁ ଏକ ଶୋଭା ଯାତ୍ରାରେ ପଂଚାୟତ ପରିକ୍ରମା କରାଯାଇ ନିଜ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ବିରେନ୍ଦ୍ରଙ୍କ ସମାଜ ପାଇଁ ଏହି ମହାନ କାର୍ଯ୍ୟକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ଡିଏସପି ସରୋଜିନୀ ସାଇଁ ରଘୁନାଥପୁର ଅତିରିକ୍ତ ଆଇଆଇସି ରଶ୍ମି ବାଳା ସେଠୀ, ଏସିଆଇ ଦଣ୍ଡ ପାଟଙ୍କ ନେତୃତ୍ବରେ ଜିଲ୍ଲା ପୁଲିସ ବାହିନୀଙ୍କ ଦ୍ବାରା ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏଥିରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବ୍ଲକ୍ ବିଜଦ ସଭାପତି ଦେବାଶୀଷ ତ୍ରୀପାଠି, ରେଢୁଆ ସରଫଚ କିଶୋର ଚନ୍ଦ୍ର ବେହେରା, ବଟକୃଷ୍ଣ ନାୟକ, ଶାନ୍ତିଲତା ଦ୍ବିବେଦୀ, ଗୋବିନ୍ଦ ଓଝା, ତପନ ରାଉତରାୟ, ବିଜନ ମହାପାତ୍ର, ରବୀନ୍ଦ୍ର ନାଥ ସାଇଁ, ଡଃ ସୁରେନ୍ଦ୍ର ନାଥ ମହାପାତ୍ର, ସୁରେଶ ରାଉତ, ରବୀନ୍ଦ୍ର ବିଶ୍ବାଳ, ଡେଜାଲିନ ମହାପାତ୍ର, ଇତିଶ୍ରୀ ମଲ୍ଲିକ୍, ପ୍ରକାଶ ଚନ୍ଦ୍ର ମଲ୍ଲିକ୍, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌତମ ପାଲିତ୍ ପ୍ରମୁଖ ନେତୃବୃନ୍ଦଙ୍କ ସହ ହଜାର ହଜାର ବ୍ୟକ୍ତି ବିରେନ୍ଦ୍ରଙ୍କ ଶେଷ ଦର୍ଶନ କରିଥିଲେ । ଶେଷରେ ପୁଅ ସୁଭାଶିଷ ସ୍ୱାଇଁ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *