Bhakta Das is in Rourkela today
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପଶ୍ଚିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିବସରେ ରାଉରକେଲା ଠାରେ ଏକ କର୍ମୀ ଏବଂ ସାଧାରଣ ଜନତା ସଭାରେ ସମ୍ବୋଧିତ କରିଛନ୍ତି ।
 
ରାଜ୍ୟ ସରକାରକୁ ସେ ଟାର୍ଗେଟ କରି କହିଛନ୍ତି ଯେ, ମନରେଗାର ଦୁରବସ୍ଥା ଓ ନାରୀ ନିର୍ଯାତନା ବୃଦ୍ଧି ବିଷୟରେ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ସରକାର ଅତିରିକ୍ତ ଜମାରାଶି ନାମରେ ଲୁଟ କରୁଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ବିଜୁଳି ମାଗଣା ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଅତିରିକ୍ତ ଜମାରାଶିର ପ୍ରସ୍ତାବ ଦେଇଛନ୍ତି । ଶିଳ୍ପ ସଂସ୍ଥାକୁ ଅତି କମ ମୂଲ୍ୟରେ ବିଜୁଳି ଯୋଗାଉଥିବା ବେଳେ କୃଷକଙ୍କୁ ମାଗଣା ବିଜୁଳି ଦିଆଯାଉ ନାହିଁ । ଅନ୍ୟ ରାଜ୍ୟରେ କୃଷକଙ୍କୁ ସଂପୂର୍ଣ୍ଣ ବିଜୁଳି ଛାଡ଼ ଅଛି ତେଣୁ ସେଠାରେ ଉତ୍ପାଦନ ହାର ଆମ ରାଜ୍ୟ ତୁଳନାରେ ଢ଼େର ଅଧିକ । ଆଜି ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେଇଛନ୍ତି । ୧୦୦ ଦିନର ନିଶ୍ଚିତ କାମ ଅଧିକାରକୁ ଲୁପ୍ତ କରିଛନ୍ତି । ମହାତ୍ମା ଗାନ୍ଧୀ ନଥିଲେ କ’ଣ ଏ ଦେଶ ସ୍ୱାଧୀନ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି ।
 
ଗୋଟିଏ ପଟରେ ସ୍ୱଚ୍ଛ ଭାରତ ଅଭିଯାନରେ ମହାତ୍ମା ଗାନ୍ଧୀଙ୍କ ଚଷମା ବ୍ୟବହାର କରୁଛନ୍ତି ଅନ୍ୟ ପଟରେ ନାମ ହଟାଇ ଦେଉଛନ୍ତି । ଗୋଟିଏ ପଟେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ଅନ୍ୟପଟେ ସମ୍ବିଧାନ ପରିବର୍ତ୍ତନ କରୁଛନ୍ତି । ଏମାନଙ୍କ ଦୋମୁହାଁ ଚରିତ୍ର ସମସ୍ତେ ଜାଣନ୍ତୁ ବୋଲି ସେ କହିଛନ୍ତି ।
 
ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଇଭିଏମ ମେସିନ ବଦଳରେ ଅନ୍ୟ ମେସିନ ସ୍ଥାପନ କଲେ କାହାକୁ କିଛି ଜଣାଇଲେ ନାହିଁ । ଫଳରେ ୪୦ ରୁ ୪୨ ଭାଗ ମତଦାତା ଭୋଟ ଦେଇ ପାରିଲେ ନାହିଁ । ଏଭଳି ଭାବରେ ଭୋଟ ଚୋରିକରି ଗଣତନ୍ତ୍ରର ହତ୍ୟା କରୁଛନ୍ତି । ଏମାନେ ସାଧାରଣ କୃଷକ, ଶ୍ରମିକ ଏବଂ ଦଳିତ ଆଦିବାସୀଙ୍କୁ କଣ ନ୍ୟାୟ ଦେବେ । ବିଜେପି ଶାସନରେ ରାଜ୍ୟରେ ଦୁଇ ହଜାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟିଲାଣି । ଏମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ବାରମ୍ବାର ଦାବି କରି ଆସୁଛି କିନ୍ତୁ ସରକାର କର୍ଣ୍ଣପାତ କରୁନାହାନ୍ତି ବୋଲି ଦାସ କହିଛନ୍ତି ।
bhakta-das-is-in-rourkela-today
 
ଯଦି ଜନସଂଖ୍ୟାର ୫୦ ପ୍ରତିଶତ ଜନତାଙ୍କ ସୁରକ୍ଷା ସମସ୍ୟା ନୁହେଁ ତ ଆଉ କ’ଣ ହୋଇପାରେ । କଂଗ୍ରେସ ନେତାମାନେ ଗାଁ ଗାଁ ୱାର୍ଡ ୱାର୍ଡ ଯାଆନ୍ତୁ । ବିଜୁଳି, କୃଷକ, ବେରୋଜଗାରୀ, ନାରୀ ନିର୍ଯାତନା ବିଷୟରେ ଆଲୋଚନା କରନ୍ତୁ । ୧୦ ଗୋଟି ୱାର୍ଡରେ ଅତି କମରେ ଅନ୍ତତଃ ୨୦୦ ଜଣ କଂଗ୍ରେସ କର୍ମୀ ଓ ନେତା ସାମିଲ କରିବାକୁ କଂଗ୍ରେସ ନେତାମାନଙ୍କୁ ଦାସ ଆହ୍ୱାନ ଦେଇଛନ୍ତି ।
 
ଯୁବକ, ଯୁବତୀ, ମହିଳା, ଅବସରପ୍ରାପ୍ତ କର୍ମଚାରୀ ଏଭଳି ସମସ୍ତେ ସାମିଲ ଥିବେ । କଂଗ୍ରେସ ଅଲବତ ଗଢ଼ାହେବ । ଜନତାଙ୍କୁ ନ୍ୟାୟ ଦେବାକୁ ହେଲେ ସୈନିକ ଗଢ଼ିବାକୁ ପଡ଼ିବ । ଯୁବ, ମହିଳା, ଛାତ୍ର, କଂଗ୍ରେସ ଏବଂ ଦଳକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ଯଦି ଆମେ କଂଗ୍ରେସ ପାଇଁ କାମ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ । ବର୍ତ୍ତମାନ ରାଜ୍ୟର ଲୋକେ କଂଗ୍ରେସ ମୁହାଁ । କାରଣ କଂଗ୍ରେସ ସାଧାରଣ ଲୋକଙ୍କ ସ୍ୱାର୍ଥର ବିଷୟ ଉତ୍‌ଥାପନ କରୁଛି । ରାଜରାସ୍ତାରେ ଆନ୍ଦୋଳନ କରୁଛି । କଂଗ୍ରେସ ସରକାର ଆସିବ କିନ୍ତୁ ଆପଣମାନେ ଏକଜୁଟ ନହେଲେ ଆସିବ ନାହିଁ ବୋଲି ଦାସ କହିଛନ୍ତି ।
 
ରାଉରକେଲା ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଛନ୍ତି । ଲୋକେ ପ୍ରଦୁଷିତ ପାଣି ପିଉଛନ୍ତି । ଭୁବନେଶ୍ୱରର ସମସ୍ତ ନେତାଙ୍କ ବ୍ୟବସାୟ ରାଉରକେଲାରେ ଚାଲୁଛି, ସେମାନଙ୍କ ବ୍ୟବସାୟରେ ମତଲବ ଲୋକଙ୍କ ସହିତ କିଛି ଲେନଦେନ ନାହିଁ । ଜଣେ ଆଇଏସ ଅଫିସରକୁ ବସାଇ ମହାନଗର ନିଗମର ପଇସା ଲୁଟ କରାଯାଉଛି । କିନ୍ତୁ ଦିନ ଆସିବ ଏସବୁର ହିସାବ ହେବ । ୧୫ ଦିନ ଅକ୍ଳାନ୍ତ ପରିଶ୍ରମ କରି ୫ଶହ ଲେଖାଏ କର୍ମକର୍ତ୍ତା କଂଗ୍ରେସରେ ସାମିଲ କରିବାକୁ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସକୁ ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *