ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିବାବେଳେ କରିଥିବାବେଳେ ନୂଆା ବଜେଟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି । ଖର୍ଚ୍ଚ ତ କରିପାରୁନ; ବଜେଟର କଳେବର ବଢ଼ାଇଲେ କି ଲାଭ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବଜେଟ୍ର ଆକାର କେବଳ ୨ ଲକ୍ଷ ୯୦ ହଜାର କୋଟିରୁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ବ୍ୟୟବରାଦର ମାତ୍ର ୫୭% ଖର୍ଚ୍ଚ ହୋଇଛି । ଆସନ୍ତା ୫ ସପ୍ତାହ ମଧ୍ୟରେ କ’ଣ ସରକାର ଅବଶିଷ୍ଟ ୪୩% ଖର୍ଚ୍ଚ କରିପାରିବେ ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । ଖାଲି ବଜେଟର କଳେବର ବୃଦ୍ଧି କରିଚାଲିଲେ ହୁଏନାହିଁ । ଯେଉଁ ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ମୋଟ ବ୍ୟୟବରାଦର ମାତ୍ର ୫୭ ପ୍ରତିଶତ ଖର୍ଚ୍ଚ କରିପାରିଛନ୍ତି, ସେ ସରକାର ଏ ଥର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟିର ଅଧିକ ବ୍ୟୟବରାଦ କଲେ କିଛି ଖୁସି ହେବାର ନାହିଁ । ହାତୀ ଭଳି ବଜେଟ, ପିମ୍ପୁଡି ଭଳି ଖର୍ଚ୍ଚ । ମାତ୍ର ୨ଟି ବଜେଟରେ ଯେଉଁ ସରକାର ରାଜ୍ୟର ଋଣଭାରକୁ ୯୧ ହଜାର କୋଟି ଟଙ୍କାରେ ପହଞ୍ଚଇଲେଣି ସେହି ସରକାରଙ୍କ ହାତରେ ରାଜ୍ୟବାସୀ ସୁରକ୍ଷିତ ତ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଶୁକ୍ରବାର ବରଗଡ଼ ଗସ୍ତ ଶେଷ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ଅବସରରେ ଏକ ପ୍ରେସ ବିବୃତ୍ତି ଜରିଆରେ ଦାସ କହିଛନ୍ତି, ୨୦୨୬-୨୦୨୭ ବର୍ଷର ବଜେଟ୍ ଏକ ନିରାଶାଜନକ ବଜେଟ୍ ଅଟେ ବୋଲି ଭକ୍ତ ଦାସ କହିଛନ୍ତି । ୪୨ଟି ବିଭାଗ ମଧ୍ୟରୁ ୨୨ଟି ବିଭାଗର ବ୍ୟୟ ୫୦% ରୁ କମ । ସେହିଭଳି ପୂର୍ବର ବଳକା ୭୦,୦୦୦ କୋଟି ଟଙ୍କା ତ ଆଦୌ ଖର୍ଚ୍ଚ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି। ଯଦି ସରକାର ବଜେଟ୍ ଅର୍ଥ ଖର୍ଚ୍ଚ କରିବେ ନାହିଁ, ତେବେ ରାଜ୍ୟର ବିକାଶ କିପରି ହେବ? ରାଜ୍ୟରେ ବେକାରୀ ସମସ୍ୟା ସବୁଠାରୁ ଅଧିକ । ଏହି ବଜେଟ୍ରେ ଏହାର ସୁଧାର ପାଇଁ କୌଣସି ସଙ୍କେତ ଦେଖାଯାଉ ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଶରେ ସବୁଠାରୁ ଖରାପ। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ୭.୯% ଜି.ଏସ୍.ଡି.ପି (GSDP) ଅଭିବୃଦ୍ଧି କେବଳ ସେମାନଙ୍କ ନିଜ ଆତ୍ମସନ୍ତୋଷ ପାଇଁ। ଯଦି ଅର୍ଥନୀତି ପ୍ରକୃତରେ ବଢୁଛି, ତେବେ ଲୋକମାନେ ଏହାର ସୁଫଳ କାହିଁକି ପାଉନାହାନ୍ତି ବୋଲି ଦାସ ପ୍ରଶ୍ନ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ୨୦୦୫ ବେଳକୁ ଦେଶରେ ରାଜ୍ୟର ସ୍ଥିତି ଯାହା ଥିଲା, ଏବେ ମଧ୍ୟ ସେଇଆ । ସେତେବେଳେ ମୁଣ୍ଡପିଛା ଆୟ ୩୪ ହଜାର ଟଙ୍କା ଥିଲା ଓ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସବୁଠୁ ତଳେ ଥିବା ରାଜ୍ୟମାନଙ୍କ ମଧ୍ୟରେ ଥିଲା । ଏବେ ୧୨ଟି ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ଆୟ ୩ ଲକ୍ଷ ଟଙ୍କା ଟପିଲାଣି । ଅଥଚ ଓଡ଼ିଶାରେ ଲୋକଙ୍କ ମୁଣ୍ଡପିଛା ଆୟ ମାତ୍ର ୧ ଲକ୍ଷ ୮୭ ହଜାର ଟଙ୍କା । ଦୁଃଖର କଥା, ତାଲିକାରେ ଓଡ଼ିଶା ସେଇ ତଳକୁ ରହିଛି । ଚାଷୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରୁନାହାନ୍ତି । ମଣ୍ଡିଗୁଡ଼ିକର ଅବସ୍ଥା ଅତି ଶୋଚନୀୟ । ଚାଷ ସହାୟତା ରାଶି ହଡ଼ପ କରାଯାଉଛି । ନିର୍ବାଚନୀ ଇସ୍ତାହାରରେ କହିଥିଲେ, ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ । ଓଲଟା ଏହା ଆହୁରି କମିଯାଇଛି। ଅନ୍ୟପକ୍ଷରେ, ଯାଜପୁର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ସମେତ ଅନେକ ଜିଲ୍ଲାରେ ଦୂଷିତ ପାନୀୟ ଜଳ ଯୋଗୁଁ ବହୁ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ପାଇଁ ଗ୍ରାମୀଣ ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ରରେ ଏହି ସରକାର ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । କୋଟି କୋଟି ଟଙ୍କାର ବଡ଼ ବଡ଼ ପାଇପ୍ଗୁଡ଼ିକ ବ୍ୟବହାର ପାଇଁ ଲଗାଯିବା ପରିବର୍ତ୍ତେ ବାହାରେ ପଡ଼ି ଖତ ହେଉଛି । ସରକାର ଅଧିକରୁ ଅଧିକ ବିଶ୍ୱବିଦ୍ୟାଳୟ ଖୋଲି ଚାଲିଛନ୍ତି, କିନ୍ତୁ ସେହି ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଏବଂ ଶିକ୍ଷକ ନିଯୁକ୍ତି କରିବାରେ ବିଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା, ଉପରୋକ୍ତ ସମସ୍ୟର ସମାଧାନ ପାଇଁ ନୂଆ ବଜେଟର ସାମାନ୍ୟତମ ସୂଚନା ନାହିଁ । ଗତ ୨୦ ମାସ ମଧ୍ୟରେ ବର୍ତ୍ତମାନର ସରକାର କେବଳ ମିଥ୍ୟା ପ୍ରଚାର ଉପରେ ଚାଲିଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଦାସ । ଓଡ଼ିଶାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ୍ ସମ୍ପର୍କରେ ଦାସ ଆହୁରି କହିଛନ୍ତି, ଗତବର୍ଷର ମୂଳ ବଜେଟ୍: ୨.୯ ଲକ୍ଷ କୋଟି ଟଙ୍କା ଥିଲା । ଋଣ ଭାର ଥିଲା ୪୭ ହଜାର ୪୦୦ କୋଟି ଟଙ୍କା । ଖୋଲା ବଜାରରୁ ଋଣ: ୩୮% । ୨ଟି ବଜେଟ୍ର ମୋଟ ଋଣ ଭାର ୯୧ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି । ପୁଣି ପ୍ରସ୍ତାବିତ ଋଣ ଭାର: ୫୬,୦୦୦ କୋଟି ଟଙ୍କା । ପୁଞ୍ଜିଗତ ବ୍ୟୟ (Capital Expenditure) ମାତ୍ର ୪୭% ଖର୍ଚ୍ଚ ହୋଇଛି । ତେଣୁ ଏହା ଏକ ଅପାରଗ ସରକାର। ମୂଳ ବଜେଟ୍ ଅର୍ଥ ଅବ୍ୟବହୃତ ହୋଇ ପଡ଼ିଥିବାରୁ ଅତିରିକ୍ତ ବଜେଟ୍ (Supplementary Budget) ର କୌଣସି ଆବଶ୍ୟକତା ନାହିଁ । ୮୦୦୦ କୋଟି ବାକି କେନ୍ଦ୍ର ଦଉନି, ଅଥଚ ଏମାନେ ଡବଲ ଇଂଜିନ ସରକାର କଥା କହି ବାହାଦୁରି ମାରିବାରେ ବ୍ୟସ୍ତ । ସରକାର ନିଜକୁ ସୁଧାରନ୍ତୁ, ନହେଲେ ଲୋକେ ଦଣ୍ଡ ଦେବା ଥୟ ବୋଲି ଦାସ ଚେତାବନୀ ଦେଇଛନ୍ତି । Post navigation Naveen’s Take On Odisha Budget 2026: “ରୋଷେଇ ଘର ଖାଲି; ମେନୁ ଭରପୂର’ Foundation Day Of Arunachal Pradesh, Mizoram: ଲୋକ ଭବନରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ପ୍ରତିଷ୍ଠା ଦିବସ ପାଳିତ