ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଖେଳାଯାଉଥିବା ବେଳେ ଓଡ଼ିଶାର ସୁନାମରେ ଲାଗିଛି କଳଙ୍କ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ମ୍ୟାଚ୍‌ର ସଫଳତା ନେଇ ବ୍ୟାପକ ପ୍ରସ୍ତୁତି କରିଥିଲେ ମଧ୍ୟ କିପରି ଏହିଭଳି ଓସିଏର ବଡ ଭୁଲ୍ ହୋଇଛି ଯାହା ଫଳରେ ଓଡ଼ିଶାର ସୁନାମରେ କଳଙ୍କ ଲାଗିଲା ତାହାକୁ ହେଇ ଓଡ଼ିଶାବାସୀଙ୍କ ମନରେ ଆଘାତ ଲାଗିଛି । ଏହା ସହ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଓସିଏର ଏହିଭଳି ଅବହେଳା ହୋଇଥିବା ପରେ ମଧ୍ୟ ଓଡ଼ିଶା କ୍ରିକେଟ ଆସୋସିଏସନର ପକ୍ଷରୁ ଦିଆଯାଇଥିବା ଭିତ୍ତିହୀନ ସ୍ପଷ୍ଟୀକରଣ ସମସ୍ତ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଏହି ଘଟଣା ସାରା ଦେଶରେ ବାରବାଟୀର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଲାଇଟ୍ ଜେନେରେଟରରେ ଏକ ଯାନ୍ତ୍ରିକ ତ୍ରୁଟିକୁ ଏହି ବିଫଳତା ପାଇଁ ଦାୟୀ କରିଛି। ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଭୁଲ ହୋଇଛି। ଲାଇଟ୍‌ ଚାଲିଯିବା ପରେ ଜେନେରେଟେର ବ୍ୟାକଅପ୍‌ ରହିଥିଲା। କିନ୍ତୁ ଖେଳାଳି ବସ୍‌ ଆଗରେ ରହିଯିବାରୁ ଜେନେରେଟର ଆସିପାରିନଥିଲା। ଦୁର୍ଭାଗ୍ୟବଶତଃ ଖେଳାଳିଙ୍କ ଡ୍ରାଇଭର୍‌ ଖେଳ ଦେଖିବାକୁ ଚାଲିଯାଇଥିଲେ। ଫଳରେ ଏହା ବିଳମ୍ବ ହୋଇଥିଲା। ଡ୍ରାଇଭରଙ୍କୁ ଫୋନରେ ଡକାଇବା ପରେ ବସ୍‌ ଘୁଞ୍ଚିଲା। ତାପରେ ସେ ବାଟରେ ଜେନେରେଟର ଆସିଲା । ଭୁଲ ଆମ ପକ୍ଷରୁ ହୋଇଛି। ଏହାର ପୁନରାବୃତ୍ତି ହେବନି।

ଅନ୍ୟପଟେ ବାରବାଟୀ ଷ୍ଟାଡିଅମରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣା ଓସିଏକୁ ସ୍ପଷ୍ଟୀକରଣ ମାଗିବା ସହ ରାଜ୍ୟ ସରକାର ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ବାରବାଟୀ ମ୍ୟାଚ ନେଇ ବହୁ ଆୟୋଜନ କରାଯାଇଥିଲା। ଏନେଇ ଓସିଏକୁ ଆମେ ଜବାବ ମଗିଛୁ। ପରିଚାଳନା ଦାୟିତ୍ବରେ ଥିବା ସମସ୍ତେ ପକ୍ଷଭୁକ୍ତ ହେବେ । ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଥିଲେ କାହିଁକି ଏପରି ଘଟିଲା ତାହା ଯାଞ୍ଚ କରାଯିବ। ଘଟଣାର ଠିକ୍ ଯାଞ୍ଚ ହେବା ଉଚିତ ।

ସୂଚନା ଯୋଗ୍ୟ; ବାରବାଟୀରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଥିଲା। ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍‌ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା।

Leave a Reply

Your email address will not be published. Required fields are marked *