ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ । ମଙ୍ଗଳବାର ଭୋର ସମୟରେ ଢାକାର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିଆଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ବର୍ଷ ହେବ ସେ ଅନେକ ଦୂରାରୋଗରେ ପୀଡ଼ିତ ଥିଲେ । ତାଙ୍କର ହୃଦ, ଲିଭର୍ ଏବଂ କିଡ଼ନୀରେ ସମସ୍ୟା ସହିତ ମେଦବହୁଳତା ଏବଂ ଆର୍ଥାଇଟ୍ସ ଭଳି ସମସ୍ୟା ମଧ୍ୟ ଥିଲା । ସେ ମେ ୬ରେ ଲଣ୍ଡନରୁ ଚିକିତ୍ସିତ ହୋଇ ସ୍ୱଦେଶ ଫେରିବା ପରେ ଏଭରକେୟାର ହସ୍ପିଟାଲରେ ନିୟମିତ ଚିକିତ୍ସିତ ହେଉଥିଲେ । ତାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମଙ୍ଗଳବାର ଏହି ଖବରକୁ ନିଶ୍ଚିତ କରିଛି । ବିଏନପି ସୋସିଆଲ ମିଡିଆର ଏକ ପୋଷ୍ଟ ସେୟାର କରି ଲେଖିଛି, ସକାଳ ପାଖାପାଖି ୬ଟାରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଖାଲିଦା ଜିଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଥିଲେ । ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ; ୧୯୪୫ରେ ଅଗଷ୍ଟ ୧୫ ତାରିଖରେ ଅବିଭାଜିତ ଭାରତର ଜଲପାଇଗୁଡ଼ୀରେ ଜନ୍ମ ଗ୍ରହଣ କରିଥିଲେ ଖାଲିଦା ଜିଆ। ବିବାହ ପୂର୍ବର ତାଙ୍କ ନାମ ଖାଲିଦା ଖାନମ ପୁତୁଲ ଥିଲା । ଭାରତ ବିଭାଜନ ପରେ ୧୯୪୭ରେ ସେ ନିଜ ପରିବାର ସହିତ ଦିନାଜପୁର ଚାଲିଯାଇଥିଲେ । ଖାଲିଦା ୧୯୬୫ରେ ପାକିସ୍ତାନ ସେନାର କ୍ୟାପଟେନ୍ ଜିଆଉର ରହମାନଙ୍କୁ ବିବାହ କରି ତାଙ୍କ ସହିତ ପାକିସ୍ତାନ ଚାଲିଯାଇଥିଲେ । ବିବାହ ପରେ ନିଜର ନାମ ଖାଲିଦା ଜିଆ ରଖିଥିଲେ । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଜିଆଉର ରେହମାନ ମଧ୍ୟ ନିୟୋଜିତ ଥିଲେ । ତାଙ୍କ ସ୍ୱାମୀ ଜିଆଉର ୧୯୭୭ରେ ବାଂଲାଦେଶର ରାଷ୍ଟ୍ରପତି ହୋଇଥିଲେ । ୧୯୮୧, ମେ ୩୦ରେ ସ୍ୱାମୀଙ୍କ ହତ୍ୟା ପରେ ଖାଲିଦା ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୮୨ ଜାନୁୟାରୀ ୨ ତାରିଖରେ ଖାଲିଦା ବିଏନପିର ସଦସ୍ୟତା ଗ୍ରହଣ କରିଥିଲେ । ୧୦, ମେ ୧୯୮୪ ମସିହାରେ ସେ ବିଏନପି ଦଳର ମଙ୍ଗ ସମ୍ଭାଳିଥିଲେ । ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଗୌରବ ହାସଲ କରିଛନ୍ତି । ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ୧୯୯୧ରୁ ୧୯୯୬ ଏବଂ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । Post navigation Vigilance Raid: ହାଟଡ଼ିହିର ବାଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ New Year Celebrations In Puri: ନୂଆବର୍ଷରେ ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି; ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ