କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ସେ କହିଛନ୍ତି ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ ନୋ ଡ୍ରୋନ୍ ଜୋନ୍ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡାଣ ମନା କରାଯାଇଛି । ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ , ହଟ ଏୟାର ବେଲୁନ, ୟୁଏଭି , ଡ୍ରୋନ ମଧ୍ଯ ମନା ହୋଇଛି । କଟକ ଜିଲ୍ଲାପାଳ ଆଉ ମଧ୍ୟ କହିଛନ୍ତି ଜନସାଧାରଣଙ୍କ ସୁରକ୍ଷା ଏବଂ ଐତିହାସିକ ମହୋତ୍ସବର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ BNSS ଆଇନ, ୨୦୨୩ର ଧାରା ୧୪(୧) ଏବଂ ଧାରା ୧୬୩ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକ୍ରମ ସମୟରେ ଯେକୌଣସି ବିମାନ ବିପଦ, ସୁରକ୍ଷା ଉଲ୍ଲଂଘନ କିମ୍ବା ଦୁର୍ଘଟଣାକୁ ରୋକିବା ପାଇଁ ଉଦ୍ଦିଷ୍ଟ। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଏଥର କଟକ ବାଲିଯାତ୍ରା ନାଁ ‘ଐତିହାସିକ ବାଲିଯାତ୍ରା କଟକ ହେବ । ଚଳିତବର୍ଷ ଆଠ ଦିନ ଧରି ଚାଲିବ ବାଲିଯାତ୍ରା । ଅନ୍ୟପଟେ ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ଏହା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ; ଚଳିତ ଥର କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା । ତଳ ପଡ଼ିଆର ୬୦ ଏକର ଜାଗାରେ ବାଲିଯାତ୍ରା ହେବ । ଉପର ପଡ଼ିଆରେ ବାଲିଯାତ୍ରା ହେବ ନାହିଁ । ଉପର ପଡିଆରେ ଗାଡି ପାର୍କିଂ ହେବ । ଚଳିତବର୍ଷ ବାଲିଯାତ୍ରାରେ ୧୬୭୦ଟି ଷ୍ଟଲ ଆବଣ୍ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଆୟୋଜନରେ ୫୦୦ ଷ୍ଟଲ ସ୍ଥାପନ କରାଯାଇ ଜାତୀୟ ପଲ୍ଲୀଶ୍ରୀ ମେଳା କରାଯିବ ବୋଲି ସୂଚନା ରହିଛି । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ବେଳେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । Post navigation ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ ନୂଆପଡ଼ା ଉପନିର୍ବାଚନ: କେତେ ଦମ୍ ରେ ଲଢ଼ିବ ବିଜେଡି ?