ଆସନ୍ତା କାଲି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଟୁକୁନି ସାହୁ, ବାଲେଶ୍ବର ଏଫଏମ ଅଟୋନମୋସ କଲେଜର ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା ରାଜ୍ୟରେ ମହିଳା, ଛାତ୍ରୀ ଅସୁରକ୍ଷିତ ହୋଇ ପଡ଼ିଥିବା ଘଟଣାର ସଦ୍ୟତମ ଉଦାହରଣ ବୋଲି କହିଥିଲେ । ପ୍ରମିଳା ମଲ୍ଲିକ କହିଛନ୍ତି, ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ପୀଡିତା ଛାତ୍ରୀ ନ୍ୟାୟ ପାଇଁ ବିଧିବଧ ଭାବେ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିବା ବ୍ୟତୀତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଛଡା ସେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।

କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ ଏମାନଙ୍କ ଭିତରୁ କେହି ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲେ। ଛାତ୍ରୀ ଜଣକ ନ୍ୟାୟ ପାଇବାରେ ବିଫଳ ହେବା କାରଣରୁ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲା।

ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପୀଡିତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ଭା କରି ଆମେ ଜାଣିବାକୁ ପାଇଲୁ ଯେ, କଲେଜର ଅଧ୍ଯକ୍ଷ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପରିବର୍ଭେ, ଅଭିଯୁକ୍ତ ଅଧ୍ୟାପକଙ୍କ ସମ୍ମୁଖରେ, ଛାତ୍ରୀଙ୍କୁ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ। ଏହି ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତ୍ତେ, ଘଟଣାକୁ ଲିପା ପୋତି କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏମ୍ସ ଠାରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଥ‌ିବା ବେଳେ, ସେଠାରେ ବିଜେପିର କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ବାହାରେ ଜଗି ରହିଛନ୍ତି। ସେମାନେ, ପୀଡ଼ିତାଙ୍କୁ ଭେଟିବାକୁ ଯାଉଥିବା ବିଭିନ୍ନ ସଙ୍ଗଠନର ବ୍ୟକ୍ତି ମାନଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ସହିତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟିବା ପାଇଁ ବାଧା ଦେଉଛନ୍ତି।

ଟୁକୁନି ସାହୁ କହିଥିଲେ, କେବଳ ଏହି ଘଟଣା ନୁହେଁ ବରଂ ରାଜ୍ୟରେ ଗତ ୧୩ ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଓଡ଼ିଶାରେ ନାରୀ ସୁରକ୍ଷା ନେଇ ଆମେରିକାର ରାଷ୍ଟ୍ରପତିଙ୍କ ଟିପ୍ପଣୀ ଓଡିଶାକୁ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ କରିଛି। ନିୟମିତ ବ୍ୟବଧାନରେ, ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଳି ବସି ରହିଛନ୍ତି ।

ଏହି ପରିପ୍ରେକ୍ଷୀରେ, ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାରୁ, ବିଜେଡିର ଏକ ପ୍ରତିନିଧ ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ବିପର୍ଯ୍ୟସ୍ତ ମହିଳା ସୁରକ୍ଷା ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି। ଆଜି ଇ-ମେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ପାଇଁ ଅନୁରୋଧ କରା ଯାଇଛି ବୋଲି ଟୁକୁନି ସାହୁ କହିଛନ୍ତି ।

ସେହିପରି  ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ଚିଠି ଲେଖି ସମୟ ମାଗିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ ଲେଖିଛନ୍ତି ଆପଣ ଜାଣିଥିବେ, ଏହି ସମୟରେ ଓଡ଼ିଶାରେ ମହିଳା ଅତ୍ୟାଚାର ବୃଦ୍ଧି ପାଇଛି। ଏହି ଘୃଣ୍ୟ ଅପମାନର କାହାଣୀ ଆହୁରି ଦୃଢ଼ ହୋଇଗଲା ଯେତେବେଳେ ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ କଲେଜର ଜଣେ ସମନ୍ୱିତ ବି.ଏଡ୍ ଛାତ୍ରୀ କଲେଜର ପ୍ରିନ୍ସିପାଲଙ୍କ ଚାମ୍ବର ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ସେହି ଶୃଙ୍ଖଳାର ମୁଖ୍ୟଙ୍କ ଦ୍ୱାରା ଗମ୍ଭୀର ଯୌନ ନିର୍ଯାତନାର ଶିକାର ହୋଇ, ସେ କେବଳ ତାଙ୍କ ସମସ୍ୟା ପ୍ରତି କେହି ଧ୍ୟାନ ଦେଇ ନାହାଁନ୍ତି ବୋଲି ଦେଖିବା ପାଇଁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଗଲେ। ସେ ବର୍ତ୍ତମାନ ଭୁବନେଶ୍ୱରର ଏମ୍ସରେ ଏକ କୃତ୍ରିମ ଜୀବନ ସହାୟକ ବ୍ୟବସ୍ଥାରେ ଅଛନ୍ତି।

କଲେଜ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ଏବଂ ରାଜ୍ୟର ରାଜନୈତିକ ନେତୃତ୍ୱ ପକ୍ଷରୁ ଏପରି ଏକ ଅସମ୍ବେଦନଶୀଳ କାର୍ଯ୍ୟ ସମ୍ପୂର୍ଣ୍ଣ ନିନ୍ଦନୀୟ। ମୁଁ , ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହିତ ଆସନ୍ତାକାଲି ଆପଣଙ୍କ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱରରେ ଆପଣଙ୍କ ସୁବିଧା ଅନୁସାରେ ଆପଣଙ୍କୁ ଭେଟିବାକୁ ଚାହୁଁଛି ଯାହା ଦ୍ୱାରା ଆମେ ଏକ ସ୍ମାରକପତ୍ର ପ୍ରଦାନ କରିପାରିବୁ।

ଆପଣଙ୍କୁ ଆମେ ଅନୁରୋଧ କରୁଛୁ ଯେ ଆପଣ କେବଳ ପାଞ୍ଚ ମିନିଟ୍ ସମୟ ଦିଅନ୍ତୁ ଏବଂ ଉକ୍ତ ସ୍ମାରକପତ୍ର ଦାଖଲ କରନ୍ତୁ, ଯାହା ପାଇଁ ଆମେ ଆପଣଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବୁ।

 

Leave a Reply

Your email address will not be published. Required fields are marked *