ସୋମବାର ରାତିରେ ବାରିପଦାର ଛଉପଡ଼ିଆଠାରେ ଆୟୋଜିତ ମୟୂରଭଞ୍ଜ ମହୋତ୍ସବର ମଞ୍ଚରେ ଏକସଂଗେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଜଦ ଶାସନରେ ପ୍ରଭାବଶାଳୀ ବିଧାୟକ ଥିବା ବବି ଦାସଙ୍କୁ ଦେଖିବାକୁ ମିଳିଥିଲା। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଚର୍ଚ୍ଚିତ ନେତା ସାମ୍ପ୍ରତିକ ରାଜନୈତିକ ସ୍ଥିତି ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି । ସମସ୍ତେ ଏକତା ରକ୍ଷା କରି ମୟୂରଭଞ୍ଜ ମହୋତ୍ସବକୁ ୭ ବର୍ଷ ଧରି ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ବବି ଦାସ। ନୂତନ ପିଢି ମୟୂରଭଞ୍ଜର ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜାଣିବା ଦରକାର ବୋଲି ବବି ନିଜ ଭାଷଣରେ କହିଥିଲେ। ଭଞ୍ଜ ମାଟି ନିଜର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପାଇଁ ସତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବବି କହିଥିଲେ। ସେହିପରି ଉତ୍ସବରେ ଉଦବୋଧନ ଦେଇ ୧୯୭୧ ମସିହାଠାରୁ ମୟୂରଭଞ୍ଜ ଜିଲ୍ଲା ସହିତ ସମ୍ପର୍କ ରହିଛି ବୋଲି ବରିଷ୍ଠ ରାଜନେତା ବିଜୟ ମହାପାତ୍ର କହିଥିଲେ । ସେ କହିଥିଲେ ୧୯୭୧ ମସିହାଠାରୁ ୨୦୨୪ ମସିହା ମୋ ପାଇଁ ଲମ୍ବା ସମୟ ଏବଂ ମୁଁ ମୟୂରଭଞ୍ଜବାସୀ ଭାବେ ପରିଚିତ କରିବାକୁ ଚାହେଁ । ସମସ୍ତେ ଜନ୍ମମାଟିକୁ ଭଲ ପାଇବାକୁ ଏବଂ ଜନ୍ମ ମାଟି ସମ୍ମାନକୁ ତଳକୁ ନ ପକାଇବାକୁ ବିଜୟ ମହାପାତ୍ର ପରାମର୍ଶ ଦେଇଥିଲେ। ମୟୂରଭଞ୍ଜ ମହୋତ୍ସବ ଏକ ନିଆରା ପ୍ରୟାସ ବୋଲି ସେ ମତପ୍ରକାଶ କରିଥିଲେ। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ସାଂସଦ ରବି ନାରାୟଣ ପାଣି ଓ ସରୋଜିନୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, କୃଷି ଶିଳ୍ପ ନିଗମ ପ୍ରାକ୍ତନ ଅଧ୍ୟକ୍ଷ ଦେବାଶୀଷ ମହାନ୍ତି, ଗିରିଶ ଚନ୍ଦ୍ର ଦାସ, ଅଭିନେତା ଅସିତ ପତି, ସଂପାଦକ କଳିଙ୍ଗ କେଶରୀ ଜେନା, ଇଂ ବିପ୍ଳବ ବୁଗୁଡେଇ, ରାକେଶ ସିଂ, କାଶିନାଥ ରଣା, ଲଢୁକେଶ୍ୱର ରଣା, ରଂଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। Post navigation ଆଉ କେତେ ତଳକୁ ଯିବ କଂଗ୍ରେସ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ