ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ଗତକାଲି ବିଜେଡି ର ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଉ ପରେ ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ନେଇ ପ୍ରତିକ୍ରିୟା ରହିଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍ କରି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଛନ୍ତି । ଷଡ଼ଙ୍ଗୀ କହିଛନ୍ତି ଯେ ସୌମ୍ୟାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା । ବାଲେଶ୍ୱର ପରେ ତାଙ୍କୁ ଏମ୍ସରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ସହ ପରାମର୍ଶ କରି ଯଥା ସମ୍ଭବ ସୌମ୍ୟାଶ୍ରୀଙ୍କୁ ବଞ୍ଚେଇବାକୁ ପ୍ରୟାସ କରାଗଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଇନକ୍ୱାଇରୀ ହେବା ପୂର୍ବରୁ ଅଧ୍ୟାପକଙ୍କୁ ନିଲମ୍ବନ କରିବା ସହ ଗିରଫ କରାଯାଇ କୋର୍ଟ ପଠାଯାଇଛି । ସେହିପରି କମିଟି ଗଠନ କରାଯାଇ ଏଫଏମ ପ୍ରିନ୍ସପାଲଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଧାୟକ, ମନ୍ତ୍ରୀ ସମସ୍ତେ ଏମ୍ସ ପହଞ୍ଚି ଲଗାତାର ସ୍ଥିତି ଅନୁଧ୍ୟାନ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ତାଙ୍କ କାର୍ଯ୍ୟକ୍ରମରେ ଆସିଥିବାବେଳେ ସେ ନିଜ ଇଚ୍ଛାରେ ଝିଅକୁ ଦେଖିବାକୁ ଯାଇଥିଲେ । ସେ ପୁଣି ପ୍ରଶ୍ନ କରିଥିଲେ ଯେ ବିଜେଡିର ୨୪ ବର୍ଷ ଶାସନକାଳରେ ଏପରି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେଡିକାଲ ଯାଇଥିଲେ କି? କଂଗ୍ରେସ ର ୪୦ ବର୍ଷର ଶାସନକାଳରେ ବି କେବେ ଏମିତି ହୋଇଛି କି? ଆନ୍ଦୋଳନ ପୂର୍ବରୁ ଆତ୍ମସମୀକ୍ଷା କରିବା ଜରୁରୀ ଥିଲା । କିନ୍ତୁ ଘଟଣାରେ ବିରୋଧୀ ଦଳ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି । କଂଗ୍ରେସ ଓ ବିଜେଡି ଲଗାତାର ହଇରାଣ କରୁଛନ୍ତି । ଡାହାଣୀ ହେଇକି ଲାଗୁଛନ୍ତି, ଗୁଣିଆ ହେଇକି ଝାଡ଼ୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି । Post navigation କଂଗ୍ରେସର ଓଡିଶା ବନ୍ଦ; ଜାଣନ୍ତୁ, କେଉଁଠି କେମିତି ପ୍ରଭାବ ଓଡ଼ିଶା ବନ୍ଦ; ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ୍ ପୋଲିସ