ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା “ଆମ ଶାସନ’ ବ୍ୟବସ୍ଥା, ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ, ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ, କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି । କ୍ଷମତାକୁ ଆସିବାର ୧୪ ମାସ ପରେ ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର ଉପାଦେୟତାକୁ ବିଜେପି ସରକାର ସ୍ୱୀକାର କରିଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଲୋକପ୍ରିୟ ଯୋଜନାକୁ କେବଳ ନାମ ପରିବର୍ତ୍ତନ କରି ଓ ପୂର୍ବ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭବନ ଗୁଡିକର ରଙ୍ଗ ପରିବର୍ତ୍ତନ କରିବା ପ୍ରାଥମିକତା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଭିତରୁ ୨୪ଟି ଯୋଜନାର ନାମ ପୂର୍ବରୁ ହୋଇସାରିଥିଲା ଓ ଆଜି ଆରମ୍ଭ ହୋଇଥିବା ‘ଆମ ଶାସନ’ ବ୍ୟବସ୍ଥା ପରେ ଏହି ସଂଖ୍ୟା ୨୫କୁ ଛୁଇଁଲା ।

ଶ୍ରୀ ନାୟକ କହିଥିଲେ, ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇଥିବା ‘୫-ଟି – ମୋ ସରକାର’ ବ୍ୟବସ୍ଥା ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହୋଇଥଲା । କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ଏହାକୁ ପ୍ରଶଂସା କରିଥିବା ବେଳେ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ଏହାକୁ ପ୍ରଶଂସା କରିବା ସହିତ, ଏହି ବ୍ୟବସ୍ଥାକୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଲାଗୁ କରିବା ଦରକାର ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ସୁଶାସନ ଇଣ୍ଡେକ୍ସ ଓ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ଓଡ଼ିଶାର ଏହି ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । କିନ୍ତୁ, ରାଜ୍ୟର ବିଜେପି ନେତା ମାନେ ଏହାକୁ ରାଜନୀତି କରି ସମାଲୋଚନା କରି ଆସୁଥିଲେ । ବର୍ତ୍ତମାନ କେବଳ ନାମ ପରିବର୍ତ୍ତନ କରି ସମାନ ବ୍ୟବସ୍ଥାକୁ ଲାଗୁ କରାଯାଇଛି । କେବଳ ନାମ ପରିବର୍ତ୍ତନ କରି ଏହାକୁ ଲାଗୁ କରିବା, ଖଡା ବଡି ଥୋଡ ନା ଥୋଡ଼ ବଡି ଖଡ଼ା ସଦୃଶ୍ୟ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି, କିନ୍ତୁ ସରକାରଙ୍କ ନା ଅଛି ଫିଡ୍ବ୍ୟାକ ବ୍ୟବସ୍ଥା ନା ଅଛି ଉତ୍ତରଦାୟୀତ୍ୱ । ନାମ ବଦଳେଇ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିଥିଲେ ହେଁ, ଫିଡ୍ବ୍ୟାକ ବ୍ୟବସ୍ଥାର ଅନୁପସ୍ଥିତ କାରଣରୁ ଏହି ଯୋଜନା ଗୁଡିକ ଅନ୍ତସାର ଶୁନ୍ୟ ହୋଇଯାଇଛି । ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ କପି ପେଷ୍ଟରେ ସୀମିତ ହୋଇ ରହିଯାଇଛି ।

Leave a Reply

Your email address will not be published. Required fields are marked *