ଜୟଦେବ ଭବନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଆଜି ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ଯେ ଦେଶ ପ୍ରତି ଦୀନଦୟାଲଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏବଂ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ସରକାର ତାଙ୍କ ନାମରେ ଭୁବନେଶ୍ୱରରେ ଏକ ସୁଦୃଶ୍ୟ ପାର୍କ ନିର୍ମାଣ କରିବେ। ସେହି ପାର୍କରେ ପଣ୍ଡିତ ଦୀନଦୟାଲଙ୍କ ଏକ ଲାଇଫ୍ ସାଇଜ୍ ପ୍ରତିମୂର୍ତ୍ତୀ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଦର୍ଶର ଆନ୍ତରିକ ଅନୁପାଳନ ହିଁ ତାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାରତୀୟ ସାଂସ୍କୃତିକ ବିଚାରଧାରା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ, ତେବେ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଜଣେ ମୌଳିକ ଚିନ୍ତାନାୟକ ଭାବେ ଦେଶ ପ୍ରତି ତାଙ୍କର ଅନେକ ଅବଦାନ ରହିଛି। କିନ୍ତୁ ଇତିହାସରେ ତାଙ୍କୁ ଯେଉଁ ସମ୍ମାନ ମିଳିବାର କଥା, ତାହା ମିଳିପାରିନାହିଁ। ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ଜଣେ ମୌଳିକ ଚିନ୍ତାନାୟକଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟଦା ପ୍ରଦାନ କରିବାର ପ୍ରକୃଷ୍ଟ ସମୟ ଆସିଛି ।

ପଣ୍ଡିତଜୀ ହେଉଛନ୍ତି ଏକାତ୍ମ ମାନବବାଦର ପ୍ରବର୍ତ୍ତକ । ଏହି ଏକାତ୍ମ ବାଦକୁ ଅନୁସରଣ କଲେ ବର୍ତ୍ତମାନ ସମାଜରେ ଦେଖା ଯାଉଥିବା ଅନେକ ସମସ୍ୟା ସହଜରେ ସମାଧାନ ହୋଇପାରିବ। ସାମ୍ୟବାଦ ଓ ପୁଞ୍ଜିବାଦର ବାହାରେ ପଣ୍ଡିତ ଦୀନଦୟାଲ ଏକ ଭିନ୍ନ ବିଚାରଧାରାରେ ଏକାତ୍ମ ମାନବବାଦକୁ ଉପସ୍ଥାପିତ କରିଥିଲେ । ଏକାତ୍ମ ମାନବବାଦର ମୂଳମନ୍ତ୍ର ଅନ୍ତଦ୍ୟୋୟର ଦର୍ଶନକୁ ଆମେ ରାଜନୀତିର ମୂଳଭିତ୍ତି ଭାବେ ଗ୍ରହଣ କରିଛୁ । ଅନ୍ତ୍ୟୋଦୟର କଥାକୁ ନେଇ ଆମେ କାମ କରିଚାଲିଛୁ। ପଣ୍ଡିତ ଦୀନଦୟାଲଙ୍କ ବ୍ୟବହାରିକ ଜୀବନ ଥିଲା ଅନ୍ତ୍ୟୋଦୟ ଉପରେ ଆଧାରିତ । ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣୀତ ହୋଇ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଓ ସବ୍‌କା ପ୍ରୟାସ’ରେ ସମସ୍ତଙ୍କୁ ସାଥିରେ ନେଇ ବିକାଶର ଲକ୍ଷ୍ୟ ରଖିଛନ୍ତି। ଆମ ସରକାରରେ ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସାମ୍‌ନାକୁ ଆଣିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ପଣ୍ଡିତଜୀଙ୍କ ବିଚାରଧାରାକୁ ପାଥେୟ କରି ଆମେ ଜନକଲ୍ୟାଣ ଚିନ୍ତାଧାରାରେ ଚାଲିଛୁ। ଆମ ଆଭିମୁଖ୍ୟ ବ୍ୟକ୍ତିଗତ ସ୍ବାର୍ଥ ଠାରୁ ବହୁ ଉର୍ଦ୍ଧ୍ବରେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପଣ୍ଡିତଜୀଙ୍କ ଚିନ୍ତାଧାରା ଥିଲା ଗରିବ କଲ୍ୟାଣ ଓ ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା । ଏ ଦିଗରେ ଆମ ସରକାର ବିଗତ ୧୦୦ ଦିନ ଭିତରେ ଅନେକ ଜନକଲ୍ୟାଣ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଥିଲେ ଭାରତବର୍ଷର ଅନନ୍ୟ ରାଜନୀତିଜ୍ଞ ଓ ବିଶିଷ୍ଟ ଦାର୍ଶନିକ। ଭାରତବର୍ଷରେ ଏକ ନୂତନ ଦର୍ଶନ ତତ୍ତ୍ବ ସେ ଆରମ୍ଭ କରିଥିଲେ । ଭାରତକୁ ଏକ ନୂତନ ଦିଗନ୍ତରେ ପହଞ୍ଚାଇବା ପାଇଁ ଏକାତ୍ମ ମାନବବାଦ ହେଉଛି ତାଙ୍କର ଭେଟି। ପଣ୍ଡିତଜୀଙ୍କ ଏକାତ୍ମ ମାନବବାଦରୁ ଆରମ୍ଭ ହୋଇଛି ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଓ ସବ୍‌କା ପ୍ରୟାସ’ର ମୂଳସୂତ୍ର। ଆଜି ରାଜ୍ୟ ସରକାର ପଣ୍ଡିତଜୀଙ୍କ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ତତ୍ତ୍ବକୁ ଆଧାର କରି ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବା ପାଇଁ ଚେଷ୍ଟାରତ ଅଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଭୁବନାନନ୍ଦ ତ୍ରିପାଠୀ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ, ଦର୍ଶନ ଓ ରାଜନୈତିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ତଥା ବରିଷ୍ଠ ରାଜନେତା ଗୋଲକ ପ୍ରସାଦ ମହାପାତ୍ର କହିଥିଲେ ଯେ ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦର ଦର୍ଶନକୁ ଶାସନର ୧୦୦ ଦିନ ମଧ୍ୟରେ କାମରେ କରି ଦେଖାଇଛନ୍ତି ଆମ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ହେଉଛି ଏକାତ୍ମ ମାନବବାଦର ଅଂଶବିଶେଷ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ପଣ୍ଡିତଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ବହୁ ବୁଦ୍ଧିଜୀବୀ ଓ ରାଜନେତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *