କଦଳୀ ଗଛରୁ ଯେମିତି ଅନେକ ପୁଆ ବାହାରେ ଠିକ ସେମିତି ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ ଅଭିଯୋଗରେ ବିଜଦ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିବା ପରେ ଅନେକ ପୁଆ ବାହାରିଲାଣି। ଆହୁରି ବି ଅନେକ ବାହାରିବ। ଗଲା ଗୁରୁବାର ନବୀନ ପଟନାୟକ ଦଳର ପ୍ରାୟ ୧୦ଜଣ ବିଧାୟକଙ୍କୁ ନବୀନ ନିବାସ ଡକାଇ ବୈଠକ କଲେ । ପ୍ରାୟୋଜିତ ବୈଠକ ଥିଲା। ଶୃଙ୍ଖଳା ଦାବି ଉଠିଲା। ଅନେକଙ୍କ ନାମ କୁହାଗଲା। କିନ୍ତୁ ସଭାପତି ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ । ପରବର୍ତ୍ତୀ ସମୟରେ ଏଥିରେ ବିଜଦର କ୍ଷମତାଶାଳୀ ଗୋଷ୍ଠୀ ଦୁଇଟି କାହାଣୀ ଯୋଡିଲେ । ଯଦିଓ ସନାତନ ଏକ ବାହାନା କିନ୍ତୁ ମୁଖ୍ୟ ଟାର୍ଗେଟ ଥିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । କୁହାଗଲା ସେ ଦୁର୍ନୀତିଗ୍ରସ୍ତ ଏବଂ ଚକ୍ରାନ୍ତକାରୀ । ଦୁର୍ନୀତିଗ୍ରସ୍ତ ଆକ୍ଷେପଟି ଏକ ବିରୋଧୀ ଦଳର ଜଣେ ନୂଆ ବିଧାୟକଙ୍କ ପାଇଁ କେମିତି ଲଗାଗଲା ତାହା ଆଶ୍ଚର୍ଯ୍ୟ କଲା । ଏବେ ଆସିଲା ଚକ୍ରାନ୍ତକାରୀ ପୁଆ। ଏଥିପାଇଁ ଯୋଡା ଗଲା ମିଡ୍ ଡେ’ ଅପରେସନ। ବିଜୁ ଜନତା ଦଳରେ ଏମିତି ଅପରେସନ ଉଦାହରଣ ଅନେକ। ସେଡୋ ଅଫ୍ କରପସନ ଅପରେସନ, ମିଡ୍ ନାଇଟ ଅପରେସନ ଇତ୍ୟାଦି ଇତ୍ୟାଦି । ମିଡ୍ ଡେ ଅପରେସନ ବାବଦରେ ଅରବିନ୍ଦ ଯେତେବେଳେ ଖୋଲା ଚ୍ୟାଲେଞ୍ଜ କଲେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ଦମ ନଥିଲା । ସେଥିପାଇଁ ଅରବିନ୍ଦଙ୍କୁ ଅର ଛାଡି ଦେଇ ବିଜୟଙ୍କୁ ଟାର୍ଗେଟ କଲେ ଏହି ଅନୁଗତ ଗୋଷ୍ଠୀ। ଅବଶ୍ୟଗତ ନିର୍ବାଚନରେ ଅରବିନ୍ଦଙ୍କ ଚକ୍ରାନ୍ତ ଯୋଗୁ ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ହାରିଥିଲେ ବୋଲି ଦଳର ଦୁଇଜଣ କଂଗ୍ରେସରୁ ଆମଦାନୀ ହୋଇଥିବା ଯୁବନେତା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ। ଅରବିନ୍ଦ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀ ଥିଲେ। କିନ୍ତୁ ଦଳର ଜଣେ ପୁରୁଖା ନେତା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯେଉଁ ମହାକାଳପଡାରୁ ପ୍ରାର୍ଥୀ ହୋଇଥିଲେ ସେଠାରୁ ଅଂଶୁମାନ ୪୧ହଜାର ଭୋଟରେ ପଛେ ପଛେଇ ଥିଲେ। ତେଣୁ – ଅରବିନ୍ଦଙ୍କ ଅପେକ୍ଷା ଚକ୍ରାନ୍ତକାରୀ ଥିଲେ ଅତନୁ । ଏବେ ଆଉ ଏକ ପୁଆର ଉଦ୍ଭବ। ୧୯୯୫ରେ ନିର୍ବାଚନରେ ବିଜୟ ବାବୁଙ୍କ ଯୋଗୁ ବିଜୁ ସରକାର କ୍ଷମତାରୁ ଯାଇଥିଲା ବୋଲି ବିଧାୟକଙ୍କ ବୈଠକରେ ନବୀନ ଯେଉଁ ବିଷ ଉଦ୍ଗାରଣ କରିଥିଲେ, ଏବେ ସେହି କଥାକୁ ଅନ୍ୟମାନେ ଦୋହରାଇବାରେ ଲାଗିଛନ୍ତି। ପୂର୍ବରୁ ବିଜୟଙ୍କୁ ଆକ୍ଷେପ କରାଯାଉଥିଲା ଯେ, ସେ ଅନେକ ସ୍ଵାଧୀନ ପ୍ରାର୍ଥୀ ଛିଡା କରାଇଥିଲେ। ତେଣୁ ଜନତା ଦଳ ପ୍ରାର୍ଥୀମାନେ ହାରିଗଲେ। ବିଜୟଙ୍କୁ ନବୀନ ଟିକଟ ନଦେବା ପରେ ଏହି କାହାଣୀ ଆରମ୍ଭହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କେହି ତଥ୍ୟ ସହ ଏହା ଉପରେ ଆଲୋଚନା କରିନାହାଁନ୍ତି। ତିନିଟି ବଡ଼ କାରଣ ଜନତା ଦଳ ବିପର୍ଯ୍ୟୟ ପାଇଁ ଦାୟୀ ଥିଲା । ଭାଜପା ନେତା ଲୋକନାଥ ଚୌଧୁରୀଙ୍କ ସହ ବିଜୁ ବାବୁଙ୍କ ତିକ୍ତ ସମ୍ପର୍କ । ଏହି କାରଣରୁ ୧୯୯୫ ନିର୍ବାଚନରେ ବାମଦଳ ସହ ମେଣ୍ଟ କଲେ ନାହିଁ ବିଜୁବାବୁ। ଏଥିପାଇଁ ବିଜୟ ମହାପାତ୍ରଙ୍କ ଭୂମିକା ନଥିଲା। ବରଂ ଜଗତସିଂହପୁର ରାଜନୀତି ପାଇଁ ଲୋକନାଥଙ୍କୁ ନାଥଙ୍କୁ ଡାକ୍ତର ଦାମୋଦର ରାଉତ ବିରୋଧ କରୁଥିଲେ। ଏହି ମେଣ୍ଟ ନହେବା ନିଷ୍ପତ୍ତି ଯୋଗୁ ପାଖାପାଖି ଦୁଇ ପ୍ରତିଶତ ଭୋଟର ଫରକ ପଡ଼ିଥିଲା। ୧୯୯୨ କଟକ ମଦ ମୃତ୍ୟୁ ପରେ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଦେଶୀ ମଦ ଉପରେ ନିଷେଧାଦେଶ ଲଗାଇଥିଲେ। ଏହା ମଦୁଆ ଭୋଟରଙ୍କ ଉପରେ ଭିନ୍ନ ପ୍ରଭାବ ପକାଇଥିଲା। ଯେଉଁସବୁ ସବୁ ଅଞ୍ଚଳରେ ଅଧିକ ଦେଶୀ ମଦ ଚାଲେ, ସେଠାରେ ଜନତା ଦଳ ଭୋଟ କମିଲା। କଂଗ୍ରେସ କ୍ଷମତାକୁ ଆସିଲା ପରେ ତୁରନ୍ତ ବ୍ୟାନ୍ ହଟାଇ ନେଲା। ତୃତୀୟ କାରଣଟି ଥିଲା ବିଜୁବାବୁଙ୍କର ଦ୍ବିତୀୟ ଇସ୍ପାତ କାରଖାନା ପ୍ରେମ। ଆଦିବାସୀ ଇଲାକାରେ ସେ ଏକ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ। ଆଦିବାସୀମାନଙ୍କ ଦ୍ବାରା ସାଇକେଲ କାରଖାନା ହୋଇପାରିବ ନାହିଁ ବୋଲି କହିଥିଲେ ବିଜୁବାବୁ। ଆଦିବାସୀ ବହୁଳ ଜିଲା ଅପେକ୍ଷା ବିଜୁବାବୁଙ୍କ ଫୋକସ୍ରେ ଉପକୂଳ ଓଡ଼ିଶା ଥିଲା। ସେଥିପାଇଁ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଜନତା ଦଳ ଅତି ଖରାପ କରି ଥିଲା। ମୟୁରଭଞ୍ଜରେ କେବଳ କରଞ୍ଜିଆ ଆସନଟି ଜନତା ଦଳ ହାତକୁ ଯାଇଥିଲା। ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରରେ ଜନତା ଦଳ ଶୂନ ହୋଇଯାଇଥିଲା। ଏଥିପାଇ ପାଇଁ ବିଜୟ ଦାୟୀ ହେବେ କେମିତି ? ଆରମ୍ଭ ମିଡ୍ ଡେ ଅପରେସନ ଯୁକ୍ତି ସପକ୍ଷରେ ଆଉ ଏକ ପ୍ରଚାର ରମ୍ଭ ହୋଇଛି। ମୟୁରଭଞ୍ଜର ଶିମିଳିପାଳରେ ଗତବର୍ଷ ଏକ ବନ୍ଧୁ ମିଳନ ହୋଇଥିଲା। ଏଥିରେ ବିଜୟ ମହାପାତ୍ର ଯୋଗଦେଇଥିଲେ । ସେହି ବନ୍ଧୁ ମିଳନରେ ମିଡ୍ ଡେ ଅପରେସନ ଆରମ୍ଭ ହୋଇଥିଲା ବୋଲି ଏକ ଉଦ୍ଭଟ ଯୁକ୍ତି ବଜାରକୁ ଛଡ଼ାଯାଇଛି। ଏହି ଭୋଜିରେ ବିଜଦ ନେତା ବବି ଦାସ ଏବଂ ସରୋଜିନୀ ହେମ୍ବ୍ରମ ମଧ୍ୟ ଥିଲେ । ତେବେ କ’ଣ ମିଡ୍ ଡେ’ ଅପରେସନରେ ଏମାନେ ବି ସାମିଲ ଥିଲେ ? ଥରେ କାହାଣୀ ଦୁର୍ବଳ ଏବଂ ଉଦ୍ଦେଶ୍ୟ ଅତ୍ୟନ୍ତ ମନ୍ଦ ହେଲେ ଏମିତି ଉଦ୍ଭଟ ଯୁକ୍ତି ସାମ୍ନାକୁ ଆସିବ ଏବଂ ଏହାଦ୍ବାରା ନବୀନ ବାବୁଙ୍କ ଆଉ ଏକ ଗୁପ୍ତ ଉଦ୍ଦେଶ୍ୟ ଧରାପଡ଼ି ବାକୁ ଡେରି ଲାଗିବ ନାହିଁ । Post navigation BJP National President: ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ BJP National President: ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ